ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ମନ କି ବାତ’ : ୪୦ବର୍ଷ ହେଲା ଆତଙ୍କବାଦରେ ପିଡୀତ ଭାରତ, ଏକଜୁଟ ହେଉ ବିଶ୍ୱ

42

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୋଡିଓ କାର୍ଯ୍ୟକ୍ରମ ମନ କି ବାତ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ କି ବାତ’ କାର୍ଯ୍ୟକ୍ରମ ମାଧ୍ୟମରେ ସାଧାରଣ ଲୋକଙ୍କ ସମସ୍ୟା ବିଷୟରେ କହିଥିଲେ । ‘ମନ କି ବାତ’ର ୩୮ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀ ସମ୍ବିଧାନ ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ତା ସହ ମୁମ୍ବାଇ ହମଲାରେ ଜୀବନ ହାରିଥିବା ବୀରମାନଙ୍କୁ ସ୍ଣରଣ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ୨୦୧୭ରେ ଲୋକମାନେ ମୋବାଇଲ ଆପ ସହ ଯୋଡିହେବାର ଅନୁଭବ ବଖାଣିଥିଲେ ।

ଦେଶବାସୀଙ୍କୁ ସମ୍ବୋଧିତ କରି କହିଥିଲେ, ସମ୍ବିଧାନ ଗଣତନ୍ତ୍ରର ଆତ୍ମା, ଏହା ସମସ୍ତ ନାଗରିକଙ୍କ ଅଧିକାରର ସୁରକ୍ଷା କରିଥାଏ । ଏହି ଅବସରରେ ସମ୍ବିଧାନ ପ୍ରଣେତା ଡକ୍ଟର ବିଆର ଆମ୍ବେଦକରଙ୍କୁ ମନେ ପକେଇଥିଲେ ମୋଦି । ସମ୍ବିଧାନ ଦିବସ ଅବସରରେ ସମ୍ବିଧାନ ତିଆରି କରିଥିବା ବ୍ୟକ୍ତିଙ୍କୁ ସ୍ମରଣ କରିବା ଉଚିତ କାରଣ ଆମ ସମ୍ବିଧାନ ସାମାଜର ଗରିବ ଓ ଦୁର୍ବଳ ଶ୍ରେଣୀରଲୋକଙ୍କୁ ସୁରକ୍ଷା ଦେଉଛି । ଆମ ସମ୍ବିଧାନ ନିର୍ମାତାଙ୍କ ପାଇଁ ଆମେ ଗର୍ବ ଅନୁଭବ କରିବା ଉଚିତ ବୋଲି ମୋଦି କହିଥିଲେ । ଏହି ଅବସରରେ ସେ ବାବା ସାହେବ ଆମ୍ବେଦକରଙ୍କ ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲେ । ତାଙ୍କ ସମ୍ବିଧାନ ନିର୍ମାଣରେ ତାଙ୍କ ଅବଦାନ ମହାନ ଓ ଭାରତ ନିର୍ମାଣରେ ସେ ମହତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ ।

ଆତଙ୍କବାଦ ବିରୋଧରେ ସମଗ୍ର ବିଶ୍ୱ ଏକାଠି ହେବା ଉଚିତ

ମୁମ୍ବାଇ ଆତଙ୍କବାଦୀ ହମଲାକୁ ସ୍ମରଣ କରି ମୋଦି କହିଲେ, ଆକ୍ରମଣରେ ଜୀବନ ହରାଇଥିବା ବ୍ୟକ୍ତିଙ୍କୁ ଦେଶ କଦାପି ଭୂଲିପାରିବ ନାହିଁ । ଭାରତ ଚାରି ଦଶନ୍ଧି ହେଲା ଆତଙ୍କବାଦୀଙ୍କ ଆକ୍ରମଣରେ ଜର୍ଜରିତ । ଆଗରୁ ଆତଙ୍କବାଦୀ ଆକ୍ରମଣ କଥା କହିଲେ ଲୋକମାନେ ଏହାକୁ ଗମ୍ଭୀରତାର ସହ ନେଉନଥିଲେ । କିନ୍ତୁ ଆଜି କେବଳ ଭାରତ ନୁହେଁ, ଅନ୍ୟ ଦେଶର ଲୋକମାନେ ଏହାକୁ ନେଇ ଚିନ୍ତିତ ଅଛନ୍ତି । ତେଣୁ ଆତଙ୍କବାଦୀ ବିରୋଧରେ ସମଗ୍ର ମାନବ ଜାତି ଏକାଠି ହେବା ପାଇଁ କହିଥିଲେ ପ୍ରଧାନମନ୍ତ୍ରୀ ମୋଦି । ପୃଥିବୀର ପ୍ରତ୍ୟୋକ ରାଷ୍ଟ୍ର ଆତଙ୍କବାଦୀ ବିରୋଧରେ ଲଢିବା ପାଇଁ ଏକାଠି ହେବାକୁ ମୋଦି ଅପିଲ କରିଥିଲେ ।

ନୌସେନାର ଅବଦାନକୁ ମନେପକାଇଲେ

ଐତିହାସିକ ସାମୁଦ୍ରିକ ଜଳଯାତ୍ରାର ପରମ୍ପରା କଥା, ଯୁଦ୍ଧ ଓ ଶାନ୍ତି ସମୟରେ ନୌସେନାର ଭୂମିକାକୁ ସ୍ମରଣ କରିଛନ୍ତି ନରେନ୍ଦ୍ର ମୋଦି। ନୌସେନା ଦିବସ ଏବଂ ଆମ ଇତିହାସରେ ନଦୀର ଗୁରୁତ୍ୱ କଥା ପ୍ରସଙ୍ଗରେ କହିଛନ୍ତି, ଆମ ସଭ୍ୟତାର ବିକାଶ ନଈକୂଳରୁ ଆରମ୍ଭ ହୋଇଛି। ସେ ସିନ୍ଧୁ, ଗଙ୍ଗା, ଯମୁନା କି, ସରସ୍ୱତୀ ହେଉ ଆମର ନଦୀ ଏବଂ ସମୁଦ୍ର ଆର୍ଥିକ ଏବଂ ସାମରିକ କ୍ଷେତ୍ରରେ ଅତି ମହତ୍ତ୍ୱପୂର୍ଣ୍ଣ। ସମଗ୍ର ବିଶ୍ୱ ପାଇଁ ଏହା ଆମର ଦ୍ୱାର। ଗୋଆର ମୁକ୍ତି ସଂଗ୍ରାମ ହେଉ କିଂବା ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ହେଉ, ସ୍ୱାଧୀନତା ପରେ ବିଭିନ୍ନ ସମୟରେ ଭାରତୀୟ ନୌସେନା ତା’ର ପରାକ୍ରମ ଦେଖାଇଛି। ସଙ୍କଟ ସମୟରେ ଭାରତୀୟ ନୌସେନା ମାନବଜାତିର ସେବା କରିଛି।

ମାଟିର ଯତ୍ନ ଏବଂ ସାରର ବ୍ୟବହାର ସମ୍ବନ୍ଧରେ ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି। ୟୁରିଆ ଭଳି ସାରର ମାତ୍ରାଧିକ ବ୍ୟବହାର ମାଟିର କ୍ଷତି କରୁଛି ମେ ମତ ଦେଇଛନ୍ତି। ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ମଧ୍ୟ ମୋଦି କହିଛନ୍ତି। ସେ କହିଛନ୍ତି, ଦିନ ଥିଲା ଦୀପାବଳି ପରେ ପରେ ଶୀତ ପଡୁଥିଲା। କିନ୍ତ ଏବେ ଡିସେମ୍ବର ମାସରେ ମଧ୍ୟ ଗରମ ଲାଗୁଛି।

ଆଜିକାଲି ଦିବ୍ୟାଙ୍ଗ ଭାଇ ଭଉଣୀମାନେ ପ୍ରତ୍ୟେକ କ୍ଷେତ୍ରରେ ସୁନାମ ଅର୍ଜନ କରୁଛନ୍ତି। ନିଜ ଗାଁ’କୁ ବାହ୍ୟ ମଳମୁକ୍ତ କରାଇ ପାରିଥିବା ମଧ୍ୟପ୍ରଦେଶର ଦିବ୍ୟାଙ୍ଗ ବାଳକ କଥା ଉଠାଇ ଥିଲେ ପ୍ରଧାନମନ୍ତ୍ରୀ । ଭାରତର ଦିବ୍ୟାଙ୍ଗ ଖେଳାଳିମାନେ ଦେଶକୁ ଗୌରବାନ୍ଵିତ କରିଛନ୍ତି ବୋଲି ଏହି ଅବସରରେ ସେ କହିଥିଲେ । ପ୍ରତି ବର୍ଷ ଶେଷରେ ଆମେ ବିଗତ ବର୍ଷର ଘଟଣାବଳୀ ସ୍ମରଣ କରୁ ବୋଲି ମୋଦି କହିଛନ୍ତି। ସକାରାତ୍ମକ ବାର୍ତ୍ତା ସହ ୨୦୧୮ ଆରମ୍ଭ କରିବାକୁ ସେ ଦେଶବାସୀଙ୍କୁ କହିଛନ୍ତି। ସେ କହିଛନ୍ତି, ଆପଣମାନେ ଏ ବର୍ଷ ଆରମ୍ଭରୁ ୫ଟି ସକାରାତ୍ମକ ବିଷୟ ସଂଯୋଜନା କରି ମୋ ସହ ସେୟାର କରୁନ୍ତୁ। ଏହା ଅନ୍ୟମାନଙ୍କୁ ଉତ୍ସାହ ଦେବ।