ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ ଘଟଣା: ରାଷ୍ଟ୍ରପତିଙ୍କୁ ରାଜକ୍ଷମା ଆବେଦନ ଫାଇଲ୍ ପଠାଇଲା ଗୃହ ମନ୍ତ୍ରାଳୟ; ରାଜକ୍ଷମା ଆବେଦନ ଖାରଜ ପାଇଁ ସୁପାରିସ୍

ବଢିଲା ଫାଶୀ ଦଣ୍ଡାଦେଶ ପାଇବାର ସମ୍ଭାବନା

772

କନକ ବ୍ୟୁରୋ: ଦିଲ୍ଲୀର ନିର୍ଭୟା ଗଣଦୁଷ୍କର୍ମ ହତ୍ୟା ମାମଲା । ଦୋଷୀଙ୍କ ରାଜକ୍ଷମା ଆବେଦନ ଫାଇଲକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଲା କେନ୍ଦ୍ର ଗୃହ ବିଭାଗ । ଏହା ସହିତ ଏହି ରାଜକ୍ଷମା ଆବେଦନକୁ ଖାରଜ କରିବା ପାଇଁ ରାଷ୍ଟ୍ରପତିଙ୍କୁ ନିବେଦନ କରିଛି କେନ୍ଦ୍ର ଗୃହମନ୍ତ୍ରାଳୟ । ଏବେ ରାଷ୍ଟ୍ରପତି ନିର୍ଭୟା ଦୋଷୀଙ୍କ ରାଜକ୍ଷମା ଆବେଦନକୁ ନେଇ ଚୂଡାନ୍ତ ନିଷ୍ପତି ନେବେ ।

ତେବେ ମିଳିଥିବା ସୂଚନା ଅନୁସାରେ ପସ୍କୋ ଆକ୍ଟ ଅନୁସାରେ ଦୋଷୀଙ୍କ ମାମଲା ତୁରନ୍ତ ଶେଷ କରିବାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଇସାରା କରିଛନ୍ତି । ୨୦୧୨ ମସିହା ଡିସେମ୍ୱର ମାସରେ ଦିଲ୍ଲୀରେ ଘଟିଥିଲା ନିର୍ଭୟା ଗଣଦୁଷ୍କର୍ମ ଘଟଣା । ଏଥିରେ ୪ ଜଣ ଅଭିଯୁକ୍ତ ଏବେ ଜେଲରେ ରହିଛନ୍ତି । ୭ ବର୍ଷ ପରେ ବି ନିର୍ଭୟାର ପରିବାରକୁ ନ୍ୟାୟ ମିଳିପାରିନି । ଏପରି ସମୟରେ ୪ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ କେବଳ ଜଣେ ଅର୍ଥାତ୍ ବିନୟ ଶର୍ମା ହିଁ ରାଜକ୍ଷମା ଆବେଦନ କରିଛି ।

 ଏହି ରାଜକ୍ଷମା ଆବେଦନକୁ କେନ୍ଦ୍ର ଗୃହମନ୍ତ୍ରାଳୟ ଖାରଜ କରିଛି । ପୂର୍ବରୁ ଏହାକୁ ଦିଲ୍ଲୀ ସରକାର ମଧ୍ୟ ଖାରଜ କରିସାରିଥିଲେ । ସାରା ଦେଶରେ ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଚାରିଆଡେ ଉଷ୍ମତା ଦେଖା ଦେଇଥିବା ବେଳେ ସାମ୍ନାକୁ ଆସିଛି ନିର୍ଭୟା ମାମଲାର ରାଜକ୍ଷମା ଆବେଦନର ଫାଇଲ । ତେବେ ରାଷ୍ଟ୍ରପତି ଏହି ରାଜକ୍ଷମା ଆବେଦନକୁ ଖାରଜ କରିଦେଲେ ନିର୍ଭୟା ଦୋଷୀଙ୍କୁ ଫାଶୀ ମିଳିବାର ରାସ୍ତା ଖୋଲିଯିବ ।