ରାତି ପାହିଲେ ଆଲୋକର ପର୍ବ ଦୀପାବଳି । ଉତ୍ସବମୁଖର ପୂରପଲ୍ଲୀ , ବଜାରରେ ଜମୁଛି ଗ୍ରାହକଙ୍କ ଭିଡ ।

175

କନକ ବ୍ୟୁରୋ : ରାତି ପାହିଲେ ଆଲୋକର ପର୍ବ ‘ଦୀପାବଳି’। ଏଥିପାଇଁ ବାଲେଶ୍ୱର ସହରରେ ବାଣଦୋକାନ, ମାଟି ଦୀପ, ପୟାକାଠି (କାଉଁରିଆ କାଠି), ମହମବତୀ, ଓ କଇଁ ଫୁଲର ପସରା ବସିଛି । ବିଭିନ୍ନ ଗ୍ରାମାଞ୍ଚଳରୁ ବେପାରୀମାନେ ଆସି ସହରର ଫାଣ୍ଡି ଛକ, ମୋତିଗଂଜ ଏବଂ ନୂଆବଜାର ଅଞ୍ଚଳରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି । ଗ୍ରାମାଞ୍ଚଳର ବ୍ୟବସାୟୀମାନେ ସହରର ଭିଡ଼ ଥିବା ଛକଗୁଡ଼ିକରେ ଭଲ ବ୍ୟବସାୟ କରୁଥିବା ପରିଲକ୍ଷିତ ହେଉଛି ।

କାର୍ତ୍ତିକ ଅମାବାସ୍ୟା ତିଥିରେ ରବିବାର ପୂର୍ବ ପୁରୁଷଙ୍କ ଶ୍ରାଦ୍ଧ ଉଦ୍ଦେଶ୍ୟରେ ଦରକାର ହେଉଥିବା ପୟାକାଠି ବିଡ଼ା ପ୍ରତି ଦଶ ଟଙ୍କାରେ ବିକ୍ରି ହେଉଛି । ସେହିପରି ୧୦ଟି ଛୋଟ ମାଟି ଦୀପ ୨୦ ଟଙ୍କା, ବଡ଼ ଦୀପ ୨୦ରୁ ୩୦ ଟଙ୍କାରେ ଗ୍ରାହକ କିଣୁଛନ୍ତି ।

କଇଁ ଫୁଲ ମା’କାଳୀଙ୍କ ସବୁଠାରୁ ଅଧିକ ପ୍ରିୟ ଜିନିଷ । ସେଥିପାଇଁ ବଜାରରେ ଏହି ଫୁଲର ଚାହିଦା ରହୁଛି । ୩ଟି କଇଁ ଫୁଲକୁ ଗ୍ରାହକ ୧୦ ଟଙ୍କା ଦେଇ କିଣୁଛନ୍ତି । ସରକାରଙ୍କ ବାଣ ବିକ୍ରି କଟକଣା ଥିବାରୁ ସହରରେ ପୁରୁଣା ଷ୍ଟାଡିୟମ ଏବଂ ଆଇଟିଆଇ ପଡିଆ ଠାରେ ୧୦୦ରୁ ଉର୍ଦ୍ଧ୍ଵ ଷ୍ଟଲରେ ବିଭିନ୍ନ କିସମର ବାଣ ବିକ୍ରି ଚାଲିଛି । ଦୁଇଦିନ ଲଗାଣ ବର୍ଷାରେ ବାଣ ବେପାର ମାନ୍ଦା ହୋଇଥିଲା କିନ୍ତୁ ଆଜି ପାଗ ଶୁଖିଲା ଥିବାରୁ ଷ୍ଟଲ ଗୁଡ଼ିକରେ ଲୋକଙ୍କ ଭିଡ଼ ଜମିବାର ଦେଖିବାକୁ ମିଳଛି । ୧୦ ଟଙ୍କାରୁ ଆରମ୍ଭ କରି ୧୦ ହଜାର ଟଙ୍କା ଦାମ ରହିଥିବା ବାଣର ପସରା ମେଳାଇଛନ୍ତି ଦୋକାନୀମାନେ। ବାଣ ବଜାରକୁ ଯିବା ପାଇଁ ରାସ୍ତା ଜାମ ସାଙ୍ଗକୁ ପଡିଆରେ ମଧ୍ୟ ବେଶ ଭିଡ଼ ଜମିଛି ।