ଦିନକ ପରେ ଧରାବତରଣ କରିବେ ବିଶ୍ୱକର୍ମା । ବିଶ୍ୱଶ୍ରଷ୍ଠାଙ୍କ ଆଗମନରେ ସଜେଇ ହେଉଛି ପୁରପଲ୍ଲୀ ।

440

କନକ ବ୍ୟୁରୋ: ବନ୍ଦର ନଗରୀ ପାରାଦୀପ ଏବେ ଚଳଚଂଚଳ । ଚାଲିଛି ଜୋରଦାର ପ୍ରସ୍ତୁତି । ରାଜ୍ୟ ତଥା ରାଜ୍ୟ ବାହାରୁ ନିଖୁଣ କାରିଗର ଦ୍ୱାରା ନିର୍ମାଣ ହେଉଛି ଉଚ୍ଚ ଉଚ୍ଚ ତୋରଣ । ଆଉ ଦିନକ ପରେ ଆଲୋକ ମାଳରେ ସଜେଇ ହେବ ବନ୍ଦର ନଗରୀ ପାରାଦୀପ । କାରଣ ଧରାପୃଷ୍ଠରେ ଧରାବତରଣ କରିବେ ବିଶ୍ୱ ଶ୍ରଷ୍ଠା ବିଶ୍ୱକର୍ମା ।

ଆସନ୍ତା ୧୭ ତାରିଖରେ ପ୍ରସିଦ୍ଧ ବିଶ୍ୱକର୍ମା ପୂଜା । ଏଥିପାଇଁ ଚଳଚଂଚଳ ଏବେ ବନ୍ଦର ନଗରୀ ପାରାଦୀପ । ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ପୂଜାକୁ ନେଇ ପାରାଦୀପରେ ପୂଜା ମଣ୍ଡପ ଗୁଡିକ ମଧ୍ୟରେ ଲାଗିଛି ପ୍ରତିଯୋଗିତା । ରାଜ୍ୟ ତଥା ରାଜ୍ୟ ବାହାରୁ କାରିଗରଙ୍କୁ ଆଣି ବିଭିନ୍ନ ପ୍ରକାରର ବଡବଡ ତୋରଣ ସଜା କାମ ଚଲାଇଛନ୍ତି । କିଏ ବାଉଁଶ ପୋତୁଛି ତ କିଏ ଟିକିନିକି କରି ଖଜିଂ ଚାଲିଛି ।

ସାଜସଜାରେ ପ୍ରଥମ ସ୍ଥାନ ଅଧିକାର କରିବା ପାଇଁ ଆୟୋଜକ ଠାରୁ କାରିଗର ଯାଏଁ ସମସ୍ତେ ଲାଗି ପଡିଛନ୍ତି କାମରେ । ବର୍ଷା ଯୋଗୁ କାମ ଟିକେ ଧିମେଇ ଯାଇଥିବା ବେଳେ ପୂଜା ପୁର୍ବରୁ ପ୍ରସ୍ତୁତି ସାରିବା ପାଇଁ କାରିଗରମାନେ ଦିନରାତି ଏକ କରିଦେଇଛନ୍ତି । ଷ୍ଟିଲ ଚାମଚ, ଗ୍ଲାସ, ଥାଳି, ଧୁପଦାନୀ, ଦିପ ସହିତ ଶୁଖିଲା କଦଳୀ ପତ୍ର, ସାମୁକାରେ ତୋରଣ ନିର୍ମାଣ କରାଯାଉଛି ।

ଚଳିତ ବର୍ଷ ପାରାଦୀପର ୨୦ରୁ ଅଧିକ ପୂଜା ମଣ୍ଡପରେ ପୂଜା ପାଇବେ ବିଶ୍ୱକର୍ମା । ତେବେ ଆଉ କିଛି ଦିନର ଅପେକ୍ଷା, ବନ୍ଦର ନଗରୀ ସଜେଇ ହେବ ରଙ୍ଗ ବେରଙ୍ଗର ଆଲୋକ ମାଳାରେ । ପ୍ରତିବର୍ଷ ପରି ବିଭିନ୍ନ ଶ୍ରମିକ ସଂଘ, ଟ୍ରକ ମାଲିକ ସଂଘ, ପାରାଦ୍ୱୀପ ବନ୍ଦରର ବିଭିନ୍ନ ବିଭାଗ ପକ୍ଷରୁ ବିଶ୍ୱକର୍ମା ପୂଜାକୁ ଆଡମ୍ବରରେ ପାଳନ କରାଯିବ । ଏହାସହ ପୂଜାରେ ଦର୍ଶକଙ୍କ ମନୋରଂଜନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ନାମିଦାମୀ କଳାକାରଙ୍କୁ ଆଣି ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି ପୂଜା କମିଟି । ଲଘୁଚାପ ଜନିତ ବର୍ଷାକୁ ନେଇ ତୋରଣ କାର୍ଯ୍ୟ ବିଳମ୍ବରେ ଆରମ୍ଭ ହୋଇଥିଲେ ମଧ୍ୟ ପୂଜା ଆଗରୁ କାମ ସାରିବା ପାଇଁ କାରିଗର ମାନେ ଦିନରାତି ଏକ କରିଦେଇଛନ୍ତି ।