‘ମୋ ସରକାର’କୁ ଡାକ୍ତର ବାବୁଙ୍କ ଉପହାସ…ଲେବର ରୁମରୁ ଫେରାଇଦେଲେ ଡାକ୍ତର…କ୍ୟାପିଟାଲ ହସ୍ପିଟାଲର ଫୁଟପାଥରେ ସନ୍ତାନ ପ୍ରସବ କଲେ ଗର୍ଭବତୀ

536

କନକ ବ୍ୟୁରୋ: ‘ମୋ ସରକାର’କୁ ଡ଼ାକ୍ତର ବାବୁଙ୍କ ଉପହାସ । କ୍ୟାପିଟାଲ ହସ୍ପିଟାଲ ଫୁଟପାଥରେ ପ୍ରସବ । ହସ୍ପିଟାଲକୁ ଆସୁଥିବା ସବୁ ରୋଗୀ ଉତ୍ତମ ସେବା ପାଇବେ କେହି ଜଣେ ନିରାଶ ହୋଇ ଫେରିବେନି । ଏଥିପାଇଁ ଚାଲିଛି ସରକାରଙ୍କ ମହତ୍ୱକାଂକ୍ଷୀ ଅଭିଯାନ ‘ମୋ ସରକାର’ । କିନ୍ତୁ ଏଠି ଖୋଦ୍ ଡ଼ାକ୍ତର ବାବୁ ମୋ ସରକାରକୁ ଉପହାସ କରୁଛନ୍ତି । କେଉଁ ଉପାନ୍ତ ଅଂଚଳ ନୁହେଁ ରାଜ୍ୟ ଶାସନର ପ୍ରାଣକେନ୍ଦ୍ର ରାଜଧାନୀ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଲେବର ରୁମ୍ରୁ ଡ଼ାକ୍ତର ଫେରାଇ ଦେବାରୁ ଯନ୍ତ୍ରଣା ଜର୍ଜରିତ ଜଣେ ଗର୍ଭବତୀ ହସ୍ପିଟାଲ ଫୁଟପଥରେ ସନ୍ତାନ ପ୍ରସବ କରିଛନ୍ତି ।

ଶୁକ୍ରବାର ରାତି ପ୍ରାୟ ୮ଟା । ସାଲିଆ ସାହିରେ ରହୁଥିବା ପାନା ମୁର୍ମୁ ପ୍ରସବ ଯନ୍ତ୍ରଣା ହେବା ପରେ କ୍ୟାପିଟାଲ ହସ୍ପିଟାଲ ଆସିଥିଲେ । ତାଙ୍କ ସହ ପରିବାର ଲୋକ ଥିଲେ । ଏମସିଏଚରେ ଥିବା ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରେ ଡ଼ାକ୍ତରଙ୍କୁ ଦେଖାଇବା ପେର ଲେବର ରୁମକୁ ଯାଇଥିଲେ । କିନ୍ତୁ ଡ଼୍ୟୁଟିରେ ଥିବା ଡ଼ାକ୍ତର ତାଙ୍କୁ ପ୍ରସବ କରାଇନଥିଲେ । ଅବସ୍ଥା ଜଟିଳ ଅଛି କଟକ ପଳାଅ ବୋଲି ଡ଼ାକ୍ତର କହିଥିଲେ । ପାନାଙ୍କ ଯନ୍ତ୍ରଣା ଦେଖି ପରିବାର ଲୋକ ପ୍ରସବ କରାଇବାକୁ ପରିବାର ଲୋକ ଡ଼ାକ୍ତରଙ୍କୁ ନେହୁରା ହୋଇଥିଲେ ।

ହେଲେ ଡ଼ାକ୍ତର ପାନା ପ୍ରତି ସାମାନ୍ୟ ସମ୍ବେଦନଶୀଳତା ଦେଖାଇ ନଥିଲେ । ତାଙ୍କୁ ଲେବର ରମରୁ ବାହାର କରି ଦେଇଥିଲେ । କଟକ ଯିବାକୁ ତାଙ୍କ ପାଖରେ ଟଙ୍କା ନଥିଲା । ବାଧ୍ୟ ହୋଇ ସେ ରାସ୍ତା କଡ଼ ଫୁଟପାଥରେ ବସି ପଡ଼ିଥିଲେ । ମାତ୍ର କିଛି ସମୟ ଭିତରେ ଫୁଥପାଥରେ ସେ ପୃତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ଆଖପାଖରେ ଥିବା ଲେକେ ଦେଖିବା ପରେ ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା ।