ଗତକାଲି ଜେଲରୁ ମୁକୁଳିଥିଲେ ସିସୋର ମୁଖ୍ୟ ପ୍ରଶାନ୍ତ ଦାସ : ଆଜି ପୁଣି ଗଲେ ଜେଲ୍ !

20

କନକ ବ୍ୟୁରୋ :  ଚିଟଫଣ୍ଡ ସଂସ୍ଥା ସିସୋର ମୁଖ୍ୟ ପ୍ରଶାନ୍ତ ଦାସଙ୍କ ସେଲଫି । ପ୍ରାୟ ୪ବର୍ଷ କାଳ ଜେଲର ଚାରିକାନ୍ଥ ଭିତରେ ରହିବା ପରେ ପରିବାର ସହ ମୁକ୍ତିର ଆନନ୍ଦ ନେଇଥିଲେ ୭ଶହ କୋଟି ଠକେଇର ଏହି ମାଷ୍ଟର ମାଇଣ୍ଡ । ପତ୍ନୀ ଓ ପୁଅ ସହ ଖୁସିର ମୁହୁର୍ତକୁ ମୋବାଇଲ କ୍ୟାମେରାରେ କଏଦ କରିନେଇଥିଲେ । ଆଜିି ସକାଳର ଦୃଶ୍ୟ ଥିଲା ଏହିପରି । ଯେତେବେଳେ ଢେଙ୍କାନାଳରେ ହୋଇଥିବା ମାମଲା ଆଧାରରେ ତାଙ୍କୁ ଉଠାଇ ନେଉଛି ପୋଲିସ ।

ଭୁବନେଶ୍ୱର ଝାରପଡାସ୍ଥିତ ତାଙ୍କ ଘରୁ ଉଠାଇ ନେଇଥିଲା ଢେଙ୍କାନାଳ କଂଟାବଣିଆ ପୋଲିସ । ଗତକାଲି ହାଇକୋର୍ଟକୁ ସର୍ତମୂଳକ ଜାମିନ ପାଇ ଜେଲରୁ ବାହାରିବା ପରେ ପୂର୍ବ ୱାରେଂଟ ବଳରେ ପୁଣି ତାଙ୍କୁ ଗିରଫ କରିଛି ଢେଙ୍କାନାଳ ପୋଲିସ । ଅଭିଯୋଗ ଅନୁସାରେ ୨୦୦୮ରେ ଢେଙ୍କାନାଳରେ ମଲଟିପୁଲ କୋ-ଅପରେଟିଭ ସୋସାଇଟି ଖୋଲିଥିଲା ସିସୋର ସଂସ୍ଥା । ଯାହାର ଅଧ୍ୟକ୍ଷ ଥିଲେ ପ୍ରଶାନ୍ତ ଦାସ । କମ୍ ଅବଧିରେ ଟଙ୍କା ଦୁଇରୁ ତିନିଗୁଣା ହୋଇଯିବାର ଲୋଭ ଦେଖାଇ ଜମାକାରୀଙ୍କୁୁ ଲକ୍ଷାଧିକ ଟଙ୍କାର ଚୂନା ଲଗାଇଥିଲେ ଏହି ସଂସ୍ଥାର ଏଜେଂଟ । ତିନିଜଣ ଜମାକାରୀଙ୍କ ଏତଲାକୁ ଆଧାର କରି ପ୍ରଶାନ୍ତଙ୍କ ନାଁରେ ଏନବିଡବ୍ଲୁ ଜାରି କରିଥିଲା ଢେଙ୍କାନାଳ ପୋଲିସ ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସାରଦା, ସିସୋର, ଅର୍ଥତତ୍ୱଠାରୁ ଆରମ୍ଭ କରି ରାଜ୍ୟରେ ୪୩ଟି ଚିଟଫଣ୍ଡ ଦୁର୍ନୀତିର ଏକାଠି ତଦନ୍ତ କରୁଛି ସିବିଆଇ । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ତଦନ୍ତ ଭାର ହାତକୁ ନେବା ପରେ ପୋଲିସ ଓ କ୍ରାଇମବ୍ରାଂଚ ଅଧିନରେ ଥିବା ସମସ୍ତ ମାମଲା ସିବିଆଇକୁ ହସ୍ତାନ୍ତର ହୋଇଛି । ତେଣୁ ପ୍ରଶ୍ନ ଉଠୁଛି-

– ୮ଟି ମାମଲାରେ ହାଇକୋର୍ଟରୁ ଜାମିନ ପାଇବା ପରେ ଢେଙ୍କାନାଳ ମାମଲା ଏହା ଭିତରେ ନଥିଲା କି?
– ଯଦି ଚିଟଫଣ୍ଡ ସଂପର୍କୀତ ସମସ୍ତ ମାମଲା ସିବିଆଇ ତଦନ୍ତ କରୁଛି ତେବେ ପୋଲିସ ପ୍ରଶାନ୍ତଙ୍କୁ କାହିଁକି ଗିରଫ କଲା?
– ସିିସୋର ବିରୋଧରେ ଢେଙ୍କାନାଳରେ ଥିବା ମାମଲାଗୁଡିକ ସିବିଆଇକୁ କାହିଁକି ହସ୍ତାନ୍ତର ହୋଇନଥିଲା?
– ଏବେ ଢେଙ୍କାନାଳ ପୋଲିସ ମାମଲାର ଛାନଭିନ କରିବ ନା ପୁଣି ସିବିଆଇକୁ ହସ୍ତାନ୍ତର କରିବ?
– ଜେଲରୁ ବାହାରିବା ପରେ ମେ’ ୨୯ ମିଡନାଇଟ୍ ଅପରେସନ କଥା ଉଠାଇବା ପ୍ରଶାନ୍ତଙ୍କୁ ମହଙ୍ଗା ପଡିଲା କି?