ବିଧାନସଭାରେ ବୈଜ୍ଞାନିକ । ସ୍ୱାଧୀନତା ପରବର୍ତ୍ତୀ ପ୍ରଥମ ନିର୍ବାଚନରେ ବାଲିକୁଦାରୁ ଜିତିଥିଲେ ପ୍ରାଣକୃଷ୍ଣ ପରିଜା । 

224

କନକ ବ୍ୟୁରୋ : (ସ୍ୱରାଜ ମିଶ୍ର) : ଏପ୍ରିଲ ପହିଲା, ଉଭୟଙ୍କର ଜନ୍ମଦିନ । ଓଡ଼ିଶା ପ୍ରଦେଶର ଓ ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜାଙ୍କର । ଭଲ ଲୋକମାନେ ରାଜନୀତିକୁ ଆସିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି ବୋଲି ଅନେକ ସମୟରେ ଅଭିଯୋଗ ହୁଏ । କିନ୍ତୁ ଓଡ଼ିଶା ବିଧାନସଭାକୁ ବହୁ ବିଦ୍ଵାନ୍, ସମାଜସେବୀ, ଶିକ୍ଷାବିତ୍ ଏପରିକି ବୈଜ୍ଞାନିକମାନେ ମଧ୍ୟ ଆସିଛନ୍ତି । ସେମାନଙ୍କ ଭିତରେ ଅଛନ୍ତି ପ୍ରବୀଣ ଶିକ୍ଷାବିତ୍ ଓ ବୈଜ୍ଞାନିକ ଡ.ପ୍ରାଣକୃଷ୍ଣ ପରିଜା । ସେ କୌଣସି ମନୋନୀତ ସଭ୍ୟ ନଥିଲେ ବା କୌଣସି ରାଜନୈତିକ ଦଳର ପୃଷ୍ଠପୋଷକତାରେ ଦଳୀୟ ଟିକେଟ ନେଇ ନିର୍ବାଚନ ଲଢ଼ି ନଥିଲେ । ସ୍ୱାଧୀନତା ପରବର୍ତ୍ତୀ ପ୍ରଥମ ନିର୍ବାଚନରେ ସେ ନିର୍ଦ୍ଦଳୀୟ ସଦସ୍ୟ ଭାବରେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇ ଆସିଥିଲେ ବାଲିକୁଦା ନିର୍ବାଚନ ମଣ୍ଡଳୀରୁ ।

ପ୍ରାଣକୃଷ୍ଣ ପରିଜାଙ୍କର ଜନ୍ମ ୧ ଏପ୍ରିଲ୍ ୧୮୯୧ ମସିହାରେ ତତ୍କାଳୀନ କଟକ ଜିଲ୍ଲାର ବାଲିକୁଦା ନିକଟସ୍ଥ ଇଚ୍ଛାପୁର ଗ୍ରାମରେ ହୋଇଥିଲା । ରେଭେନ୍ସା କଲେଜିଏଟ୍ ସ୍କୁଲ, ରେଭେନ୍ସା କଲେଜ୍ ଓ କଲିକତା ବିଶ୍ୱବିଦ୍ୟାଳୟରୁ ପଢ଼ା ଶେଷ କରି ସେ ଛାତ୍ରବୃତ୍ତି ଉଚ୍ଚଶିକ୍ଷା ପାଇଁ ଯାଇଥିଲେ ଇଂଲଣ୍ଡ । କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରୁ ଉଦ୍ଭିଦ ବିଜ୍ଞାନରେ ଗବେଷଣା କରି ଫେରିବା ପରେ ସେ ରେଭେନ୍ସା କଲେଜରୁ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ । ଏହି ପ୍ରଖ୍ୟାତ ବୈଜ୍ଞାନିକ ୧୯୪୩ ମସିହାରେ ପ୍ରତିଷ୍ଠିତ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ପଦ ମଧ୍ୟ ମଣ୍ଡନ କରିଥିଲେ ।

ସ୍ୱାଧୀନତା ପରର ପ୍ରଥମ ବିଧାନସଭା ନିର୍ବାଚନ ୧୯୫୧ ମସିହା ଡିସେମ୍ବର ୨୦ ତାରିଖରୁ ଆରମ୍ଭ ହୋଇ ୧୯୫୨ ଜାନୁଆରି ୨୪ ତାରିଖରେ ଶେଷ ହୋଇଥିଲା । ଏହା ଥିଲା ଦେଶର ପ୍ରଥମ ସାମ୍ବିଧାନିକ ସାଧାରଣ ନିର୍ବାଚନ । ଏହି ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ସୋସାଲିଷ୍ଟ ପାର୍ଟି, ଗଣତନ୍ତ୍ର ପରିଷଦ ଓ ଫରଓ୍ଵାର୍ଡ଼ ବ୍ଲକ୍ ପ୍ରମୁଖ ପ୍ରତିଦ୍ଵନ୍ଦ୍ୱିତା କରିଥିଲେ । କିନ୍ତୁ ଅନେକ ସ୍ୱାଧୀନଚେତା, ରାଜନେତା ଏ ଭିତରୁ କୌଣସି ଦଳର ଟିକେଟ ନନେଇ ନିର୍ଦ୍ଦଳୀୟ ଭାବରେ ପ୍ରତିଦ୍ଵନ୍ଦ୍ୱିତା କରିବାକୁ ପସନ୍ଦ କରିଥିଲେ । ସେମାନଙ୍କ ଭିତରୁ ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜା ଥିଲେ ଅନ୍ୟତମ ।

ବାଲିକୁଦା ନିର୍ବାଚନ ମଣ୍ଡଳୀରେ ୧୯୫୨ରେ ଏକ ତ୍ରିମୁଖୀ ପ୍ରତିଯୋଗିତା ହେଉଥାଏ । ପ୍ରାଣକୃଷ୍ଣ ପରିଜାଙ୍କ ବିପକ୍ଷରେ ଥାଆନ୍ତି କଂଗ୍ରେସର ଟାଣୁଆ ନେତା ତଥା ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ସାଧାରଣ ସଂପାଦକ ଭାଗୀରଥି ମହାପାତ୍ର । ତାଙ୍କର ପତ୍ନୀ ସାରଳା ଦେବୀ ୧୯୩୭ ବିଧାନସଭା ନିର୍ବାଚନରେ କଟକ ସହର ନିର୍ବାଚନ ମଣ୍ଡଳୀରୁ ମହିଳା ସଭ୍ୟ ହିସାବରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବାଲିକୁଦା ନିର୍ବାଚନ ମଣ୍ଡଳୀରେ ଉଭୟଙ୍କର ପ୍ରଭାବ ବେଶ୍ ଭଲ ଥିଲା । ତା’ଛଡ଼ା ତୃତୀୟ ପ୍ରାର୍ଥୀ ସୋସାଲିଷ୍ଟ ପାର୍ଟିର ବସନ୍ତ କୁମାର ସାହୁ ମଧ୍ୟ କଡ଼ା ଟକ୍ଟର ଦେଉଥାନ୍ତି । ତଥାପି ନିର୍ବାଚନ ଶେଷ ବେଳକୁ ପ୍ରାଣକୃଷ୍ଣ ପରିଜା ୩୫୫ ଖଣ୍ଡ ଭୋଟ ବ୍ୟବଧାନରେ ଭାଗୀରଥିଙ୍କୁ ପରାସ୍ତ କରି ନିର୍ବାଚନ ଜିଣିଲେ । ବସନ୍ତ ସାହୁ ୫୪୭୦ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଲେ ।

୧୯୫୨ ନିର୍ବାଚନରେ ବିଧାନସଭାର ୧୪୦ଟି ଆସନ ମଧ୍ୟରୁ କଂଗ୍ରେସ ୬୭ଟି ଆସନ ଜିଣିଥିଲା ବେଳେ ଗଣତନ୍ତ୍ର ପରିଷଦ ଜିଣିଥିଲା ୩୧ଟି ଆସନ । ତେବେ ଅନ୍ୟ ରାଜନୈତିକ ଦଳମାନଙ୍କୁ ପଛରେ ପକାଇ ନିର୍ଦ୍ଦଳୀୟ ପ୍ରାର୍ଥୀମାନେ ୨୪ଟି ଆସନ ଜିଣିଥିଲେ । ସେମାନଙ୍କ ଭିତରୁ ୭ଜଣଙ୍କର ସମର୍ଥନ ନେଇ କଂଗ୍ରେସ ଦଳ ନବକୃଷ୍ଣ ଚୌଧୁରୀଙ୍କ ନେତୃତ୍ଵରେ ସରକାର ଗଠନ କଲା ।

ଉଦ୍ଭିଦମାନଙ୍କର ଶ୍ୱାସକ୍ରିୟା ସଂପର୍କରେ ଗବେଷଣା କରି ଖ୍ୟାତି ଅର୍ଜନ କରିଥିବା ବୈଜ୍ଞାନିକ ପରିଜା ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସର ପ୍ରତିଷ୍ଠାତା ସଦସ୍ୟ । ବିଜ୍ଞାନ ଶିକ୍ଷା ପ୍ରତି ଲୋକଙ୍କ ମନରେ ଆଗ୍ରହ ସୃଷ୍ଟି କରିବା ପାଇଁ ସେ ଅନେକ କିଛି କରିଯାଇଛନ୍ତି । ୧୯୫୫ରେ ସେ ଭାରତ ସରକାରଙ୍କ ଦ୍ଵାରା ପଦ୍ମଭୂଷଣ ଉପାଧିରେ ମଧ୍ୟ ସମ୍ମାନିତ ହୋଇଛନ୍ତି । ଶିକ୍ଷା ଓ ବୈଜ୍ଞାନିକ ଗବେଷଣା ପ୍ରତି ସମର୍ପିତ ଏଭଳି ଜଣେ ବ୍ୟକ୍ତିତ୍ଵ ଯେ ଓଡ଼ିଶା ବିଧାନସଭାର ସଦସ୍ୟ ଥିଲେ ତାହା ହିଁ ବଡ଼କଥା ।