ନିଖୋଜ ଓଡିଆ ପାଇଲଟ ପୁଅକୁ ଖୋଜିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଲେ ପ୍ରମିଳା । ତଲାସି ଅଭିଯାନକୁ ତ୍ୱରାନିତ୍ୱ କରିବାକୁ କଲେ ଅନୁରୋଧ ।

1,615

କନକ ବ୍ୟୁରୋ : ନିଜ ଅଞ୍ଚଳର ପୁଅକୁ ଖୋଜିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖିଲେ ଆସ୍କା ସାଂସଦ ପ୍ରମିଳା ବିଶୋଇ । ନିର୍ବାଚନ ପ୍ରଚାର ସମୟରେ ସୁଖ ଦୁଃଖରେ ସାଥୀ ହେବାକୁ କଥା ଦେଇଥିବା ପ୍ରମିଳା ଏବେ ନିଜ ମାଟିର ପାଇଲଟ ପୁଅକୁ ଖୋଜିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ଆଉ ଏଥିପାଇଁ ଦିଲ୍ଲୀ ଦରବାରକୁ ଚିଠି ଲେଖି ଜଣାଇଛନ୍ତି ପ୍ରମିଳା ।

 ଗତ ୩ ତାରିଖରେ ଭାରତୀୟ ବାୟୁସେନାର ଏଏନ-୩୨ ବିମାନଟି ଆକାଶମାର୍ଗରୁ ନିଖୋଜ ହୋଇଯାଇଛି । ଏଥିରେ ଥିବା ୧୩ ଜଣ ବାୟୁସେନା ଯବାନଙ୍କର ଏଯାଏଁ ପତ୍ତା ମିଳୁନାହିଁ । ଯେଉଁଥିରେ ଓଡିଆ ପାଇଲଟ ଫ୍ଲାଇଟ ଲେଫ୍ଟନାଣ୍ଟ ସୁନୀତ ମହାନ୍ତି ମଧ୍ୟ ରହିଥିଲେ । ଯାହାଙ୍କର ଏଯାଏଁ ପତ୍ତା ମିଳୁନାହିଁ । ସୁନୀତଙ୍କ ଘର ଗଞ୍ଜାମର କବିସୂର୍ଯ୍ୟନଗର ଅଞ୍ଚଳରେ ହୋଇଥିବା ବେଳେ ପରିବାର ସହ ଦିଲ୍ଲୀରେ ରହୁଥିଲେ ।

ଆଉ ଏଭଳି ସ୍ଥିତିରେ ନିଜ ଅଞ୍ଚଳର ପାଇଲଟ ପୁଅକୁ ଖୋଜିବା ପାଇଁ ପ୍ରତିରକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ପ୍ରମିଳା । ପୁଅର ପତ୍ତା ନ ମିଳୁନଥିବାରୁ ନିଖୋଜ ସୁନୀତଙ୍କ ବାପା ଓ ମା ଭାଙ୍ଗି ପଡିଛନ୍ତି  ଏବଂ ପୁଅକୁ ଖୋଜିବା ପାଇଁ ଆକୁଳ ନିବେଦନ କରିଛନ୍ତି । ତେଣୁ ସରକାରଙ୍କ ପକ୍ଷରୁ କରାଯାଉଥିବା ତଲାସି ଅଭିଯାନକୁ  ତ୍ୱରାନିତ୍ୱ କରିବାକୁ ରାଜନାଥଙ୍କୁ ଚିଠି ଲେଖି ଜଣାଇଛନ୍ତି ପ୍ରମିଳା । କେବଳ ସୁନୀତ ନୁହେଁ ବରଂ ନିଖୋଜ ଥିବା ସମସ୍ତ ବାୟୁସେନା ଯବାନଙ୍କୁ ଖୋଜିବାକୁ ଏହି ଚିଠିଲେ ଉଲ୍ଲେଖ କରିଛନ୍ତି ପ୍ରମିଳା ।