ରେଂଜରଙ୍କୁ ମାଡ ମାରି ଜେଲରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ

41

ନବରଙ୍ଗପୁର : ନବରଙ୍ଗପୁର ରାଇଘର ରେଂଜ କାର୍ଯ୍ୟାଳୟରେ ଭଙ୍ଗାରୁଜା, ରେଂଜରଙ୍କୁ ମାଡ ଘଟଣାରେ ଗିରଫ ୧୫ ଜଣଙ୍କୁ ଜାମିନ ଆବେଦନ ଖାରଜ ପରେ ପୋଲିସ ଜେଲକୁ ପଠାଇ ଦେଇଛି । ଏଥିରେ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ ଓ ଅନ୍ୟ କଂଗ୍ରେସ କର୍ମୀ ରହିଛନ୍ତି । ଗରିବ ଭୂମିହୀନ ଲୋକଙ୍କୁ ଜଙ୍ଗଲଜମି ପଟ୍ଟା ପ୍ରଦାନ ଓ ରାସନ କାର୍ଡ ଯୋଗାଇବା ଦାବିରେ ରାଜ୍ୟପାଳଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ ପାଇଁ କଂଗ୍ରେସର ବିରାଟ ରାଲି ବେଳେ ଏହି ଘଟଣା ଘଟିଛି । ରେଂଜ କାର୍ଯ୍ୟାଳୟରେ କଂଗ୍ରେସ କର୍ମୀ ଧସେଇ ପସିବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଏପରିକି ରେଂଜର କୁମାର ଖରାଙ୍କୁ ମାଡ ମାରିଛନ୍ତି ।

କଂଗ୍ରେସ କର୍ମୀମାନେ ଅଫିସରେ ଥିବା ବୋଲେରୋକୁ ମଧ୍ୟ ଭାଙ୍ଗିଦେଇଛନ୍ତି । ପରିସ୍ଥିତିକୁ ଉପସ୍ଥିତ ପୋଲିସ ଆୟତ କରିପାରିନ ଥିଲା । ସୁରକ୍ଷା ଦେବାକୁ ଯାଇ ରାଇଘର ଥାନା ଏଏସଆଇ ବୁଲୁ ପଟ୍ଟନାୟକ ମଧ୍ୟ ଆହତ ହୋଇଛନ୍ତି । କଂଗ୍ରେସ କର୍ମୀମାନେ ରେଂଜ କାର୍ଯ୍ୟାଳୟକୁ ଦୀର୍ଘ ୪ ଘଂଟା ଧରି ନିଜ କବଜାରେ ରଖିଥିଲେ । ଏପରକି ସେମାନେ ଅଫିସରେ ପୂର୍ବରୁ ଜବତ ହୋଇ ରହିଥିବା  ସାଇକେଲ, କୁରାଢୀ, ମଟର ସାଇକେଲ ଆଦି ନେଇ ଚାଲିଯାଇଥିବା ଅଭିଯୋଗ ହୋଇଛି । ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଏହି ରାଲି ଆୟୋଜିତ ହୋଇଥିଲା । ଅନ୍ୟପଟେ ଗରିବ ଲୋକଙ୍କ ହକ୍ ପାଇଁ ବାରମ୍ବାର ଜେଲ ଯିବାକୁ ମୁଁ ପ୍ରସ୍ତୁତ ବୋଲି ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ କହିଛନ୍ତି ।