କନକ ବ୍ୟୁରୋ : ୬ କୋଟି ମାଇଲ୍ ଖୁଂଟ ଛୁଇଁଲା ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା । ଆଜି ହିତାଧିକାରୀଙ୍କୁ ୬ କୋଟି ତମ ଉଜ୍ଜ୍ୱଳା ସଂଯୋଗ ହସ୍ତାନ୍ତର କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଭିଜନ୍ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ତୈଳ ମନ୍ତ୍ରଣାଳୟ ଓ ତୈଳ ବିପଣନ କମ୍ପାନୀଗୁଡିକର ସାମୁହିକ ପ୍ରଚେଷ୍ଟାକୁ ପ୍ରଂଶସା କରିଛନ୍ତି ଉପରାଷ୍ଟ୍ରପତି । ସଂସ୍କାର, ପ୍ରଦର୍ଶନ ଓ ପରିବର୍ତ୍ତନ ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ଏବଂ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ଏହି ପଦକ୍ଷେପ ଲୋକମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଦିଗରେ ଏକ ବିଶାଳ ପଦକ୍ଷେପ ବୋଲି ଉପରାଷ୍ଟ୍ରପତି କହିଛନ୍ତି ।
୨୦୧୪ରେ ଏଲପିଜି ସଂଯୋଗ ସାନ୍ଦ୍ରତା ୫୫ ପ୍ରତିଶତ ଥିଲା । ଯାହାକି ଏବେ ୯୦ ପ୍ରତିଶତକୁ ବୃଦ୍ଧି ପାଇଛି । ଏଲପିଜି ଶୁଭାରମ୍ଭ ହେବାର ୫୦ ବର୍ଷ ମଧ୍ୟରେ କେବଳ ୧୩ କୋଟି ସଂଯୋଗ ଯୋଗାଇ ଦିଆଯାଇଛି । କିନ୍ତୁ ଗତ ୫୪ ମାସ ମଧ୍ୟରେ ବର୍ତ୍ତମାନର ସରକାରଙ୍କ ଦ୍ୱାରା ସମାନ ପରିମାଣର ଏଲପିଜି ସଂଯୋଗ ଯୋଗାଇ ଦିଆଯାଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ପିଏମୟୁୱାଇ ଅଧୀନରେ ୮୦ ପ୍ରତିଶତ ହିତାଧିକାରୀ ସେମାନଙ୍କ ସିଲିଣ୍ଡରକୁ ରିଫିଲିଂ କରୁଛନ୍ତି ।
ଦେଶର ବିପିଏଲ ପରିବାରକୁ ସ୍ୱଚ୍ଛ ରୋଷେଇ ଇନ୍ଧନ ଯୋଗାଇବା ଉଦ୍ଦେଶ୍ୟରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରର ୫ କୋଟି ମହିଳାଙ୍କୁ ଜମା ମୁକ୍ତ ଏଲପିଜି ସଂଯୋଗ ଦେବାକୁ ସରକାର ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ସ୍କିମ୍ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ୧୨,୮୦୦ କୋଟି ଟଙ୍କାର ବ୍ୟୟ ଅଟକଳ ସହ ମୋଟ୍ ହିତାଧିକାରୀ ସଂଖ୍ୟାକୁ ୮ କୋଟିକୁ ବୃଦ୍ଧି କରାଯାଇଛି । ପ୍ରାରମ୍ଭିକ ଭାବେ ରଖାଯାଇଥିବା ୫ କୋଟି ଏଲପିଜି ସଂଯୋଗ ଲକ୍ଷ୍ୟକୁ ଧାର୍ଯ୍ୟ ଅବଧି ୨୦୧୯ ମାର୍ଚ୍ଚ ୩୧ର ବହୁ ପୂର୍ବରୁ ସରକାର ହାସଲ କରିଛନ୍ତି । ୨୦୧୮ ଡିସେମ୍ବର ୧ ତାରିଖ ସୁଦ୍ଧା ଦେଶରେ ୨୨,୬୩୯ ଏଲପିଜି ବିତରକ ଅଛନ୍ତି । ଗରିବ ପରିବାରକୁ ଏଲପିଜି ଶସ୍ତାରେ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ଉଜ୍ଜଳା ହିତାଧିକାରୀଙ୍କ ପାଇଁ ୫ କିଲୋଗ୍ରାମ ବିଶିଷ୍ଟ ରିଫିଲ୍ ବିକଳ୍ପ ପ୍ରଚଳନ କରାଯାଇଛି ।