ସାମ୍ନାକୁ ଆସିଲା ସହିଦଙ୍କ ଶେଷ ଫୋନ୍ କଲ୍ : ରାତି ୧୦ଟା ପରେ ଫୋନ କରିବେ ବୋଲି ଗର୍ଭବତୀ ପତ୍ନୀଙ୍କୁ କହିଥିଲେ ପ୍ରଦୀପ

52

କନକ ବ୍ୟୁରୋ :  ସାମରିକ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଯୋଗୁଁ, ଆସନ୍ତା ଜାନୁୟାରୀ ୨୬ ତାରିଖରେ ସମ୍ମାନିତ ହୋଇଥାନ୍ତେ ସହିଦ ଯବାନ ପ୍ରଦୀପ ପଣ୍ଡା । ଯାହାକୁ ନେଇ ବେଶ ଖୁସିରେ ଥିଲେ । ଏମିତିକି ଅପରେସନକୁ ଯିବା ପୂର୍ବରୁ ଘରକୁ ଫୋନ୍ କରି ପତ୍ନୀ ମିନତି ପଣ୍ଡାଙ୍କ ସହ କଥା ହୋଇଥିଲେ ।

ଆଉ ଏହାହିଁ ହୋଇଥିଲା ତାଙ୍କର ଶେଷ କଲ୍ । ପତ୍ନୀଙ୍କୁ ଫୋନରେ ଖାଇସାରିଲଣି ନା ନାହିଁ ପଚାରିଥିଲେ । ଆଉ କ୍ୟାମ୍ପରେ ଖାଇବାକୁ ଯାଉଛି ବୋଲି କହିଥିଲେ ପ୍ରଦୀପ । ଅପରେସନ୍ ଅଛି ମୁଁ ଯାଉଛି । ଫେରିଲେ ରାତି ୧୦ଟାରେ ଫୋନ  କରିବି ବୋଲି ଏମିତି ପତ୍ନୀଙ୍କୁ କହିଥିଲେ ପ୍ରଦୀପ । ରାତି ୧୦ଟା ସିନା ହେଲା, ହେଲେ ଫୋନ୍ ଆଉ ଆସିନଥିଲା । ଆଉ ରାତି ପାହିଲା ବେଳକୁ ଯେଉଁ ଖବର ଆସିଲା, ସେହି ଖବର ମିନତି ପଣ୍ଡାଙ୍କ ହସଖୁସିକୁ ଛଡ଼ାଇ ନେଇଗଲା । କୋଳରେ ୨ ବର୍ଷର ପୁଅ, ପେଟରେ ୩ ମାସର ଗର୍ଭ । ଆଉ ଆଖି ଆଗରେ ଠିଆ ହୋଇଗଲା ଦୁଃଖର ପାହାଡ଼ । ଜୀବନସାରା ସାଥୀ ହୋଇ ରହିବାର ପ୍ରତିଶ୍ରୁତି ଦେଇ, ହାତ ଧରିଥିବା ମଣିଷ, ମା’-ମାଟି ଓ ଦେଶର ସୁରକ୍ଷା ପାଇଁ ଲଢ଼ି ଲଢ଼ି ଶେଷରେ ଆଖିବୁଜି ଦେଇଛି ।

କୋଳରେ ଦୁଇ ବର୍ଷର ପୁଅ ଓମ୍ । ଦୁନିଆ କ’ଣ ଜାଣିନଥିବା ଓମ୍ ବି ବୁଝି ପାରୁନି ମା’ ଆଖିର ଲୁହ ପଛର କାରଣ । ହୁଏତ ସେ ଆଶା ବାନ୍ଧିଥିବ ବାପା ପୁଣି ଫେରି ଆସିବେ । ପେଟରେ ଥିବା ୩ ମାସର କୁନି ଛୁଆ ତ, ଦୁନିଆ ଦେଖିବା ଆଗରୁ ପାଲଟି ଯାଇଛି ବାପ ଛେଉଣ୍ଡ । ରକ୍ତର ହୋଲି ଖେଳୁଥିବା ପାକିସ୍ତାନ, ସୀମା ସେପଟେ ଥାଇ ଯେଉଁ ସୈତାନ ପଠାଉଛି, ସେହି ସୈତାନକୁ କାବୁ କରିବାକୁ ଯାଇ ଆଜି ବୀର ଓଡ଼ିଆ ଯବାନ ପ୍ରଦୀପ ପଣ୍ଡା ସହିଦ୍ ହୋଇଯାଇନ୍ତି । ଆଉ ପ୍ରଦୀପ ପଣ୍ଡାଙ୍କ ଏହି ବଳିଦାନ, ପୁଣି ଥରେ ପାକିସ୍ତାନ ବିରୋଧର ସ୍ୱରକୁ ତୀବ୍ର କରିଛି ।

ହୁଏତ ନିଜ ପ୍ରିୟ ମଣିଷ ସହ କଥା ହୋଇଥିବା ଶେଷ ଦୁଇ ପଦ, ଏବେବି ମିନତିଙ୍କ କାନରେ ବାଜୁଥିବ । କାହାକୁ କିଛି ସିନା କହି ପାରୁ ନାହାଁନ୍ତି । ହେଲେ ଆଖିରୁ ଝରି ଆସୁଥିବା ଏହି ଦୁଇ ଧାର ଲୁହ ହିଁ ମନ ଭିତରେ ଥିବା କୋହକୁ ସ୍ପଷ୍ଟ ବଖାଣି ଦେଉଛି ।