ପାଖେଇ ଆସିଲା ଭୋଟ୍, ମାଟିରେ ପଡିଲା ନେତାଙ୍କ ପୋଷ୍ଟର ! ଆଚରଣ ବିଧି ଲାଗୁ ହେବା ପରେ ଆରମ୍ଭ ହେଲା ପୋଷ୍ଟର ହଟାଅ ଅଭିଯାନ ।

135

କନକ ବ୍ୟୁରୋ : ନିର୍ବାଚନ ଘୋଷଣା ସହ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଯାଇଛି । ଏହାପରେ ଆରମ୍ଭ ହୋଇଛି ପୋଷ୍ଟର ହଟାଅ ଅଭିଯାନ । ବିଭିନ୍ନ ସରକାରୀ ଯୋଜନାର ପ୍ରଚାର ଏବଂ ପ୍ରସାର ପାଇଁ ସାରା ରାଜ୍ୟରେ ଲାଗିଥିବା ପୋଷ୍ଟର, ବ୍ୟାନର ଓ ହୋର୍ଡିଂକୁ ହଟାଇଛି ଜିଲ୍ଲା ପ୍ରଶାସନ ।

ହଟାଯାଉଛି ପ୍ରଧାନମନ୍ତ୍ରୀଙ୍କ ହୋର୍ଡିଂ । ରାସ୍ତାକଡରେ ଲାଗିଥିବା ନରେନ୍ଦ୍ର ମୋଦିଙ୍କ ବିଶାଳ ପୋଷ୍ଟରକୁ ଗାଡିରେ ବୋହି ନେଇ ଯାଉଛନ୍ତି ବିଏମସି କର୍ମଚାରୀ । କେବଳ ପ୍ରଧାନମନ୍ତ୍ରୀ ମୋଦି ନୁହନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକଙ୍କ ହୋର୍ଡିଂ ମଧ୍ୟ କଢାଯାଇଛି । କାରଣ ଦେଶରେ ଲାଗୁ ହୋଇସାରିଛି ୨୦୧୯ ସାଧାରଣ ନିର୍ବାଚନ ପାଇଁ ଆଚରଣ ସଂହିତା । କେବଳ ରାଜଧାନୀ ନୁହେଁ ସମଗ୍ର ରାଜ୍ୟରେ ଦେଖିବାକୁ ମିଳିଛି ଏମିତି ଚିତ୍ର ।

ଭାରତୀୟ ମୁଖ୍ୟ ନିର୍ବାଚନ କମିଶନର ରବିବାର ସଂଧ୍ୟାରେ ଏହା ଘୋଷଣା କରିବା ପରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଯାଇଛି କାର୍ଯ୍ୟାନୁଷ୍ଠାନ । ବିଭିନ୍ନ ରାଜନୈତିକ ଦଳ, ସାଧାରଣ ଲୋକଙ୍କ ପାଇଁ ପ୍ରଣୟନ କରିଥିବା ଯୋଜନା ଏବଂ ପ୍ରତିଶ୍ରୁତି ହୋର୍ଡିଂ ଓ ସେଥିରେ ଲାଗିଥିବା ନେତାଙ୍କ ଫଟୋକୁ ହଟାଇଦିଆଯାଉଛି । କାରଣ ଆଚରଣବିଧି ଲାଗୁ ହେବା ପରେ କୌଣସି ରାଜନୈତିକ ଦଳ କିମ୍ବା ବ୍ୟକ୍ତି ବିଶେଷ ସାଧାରଣ ଜନତାଙ୍କୁ କୌଣସି ଲୋଭନୀୟ ପ୍ରତିଶ୍ରୁତି ଦେଇପାରିବେ ନାହିଁ । ଏହାରି ଭିତରେ କିନ୍ତୁ ରାଜ୍ୟ ସରକାର କେବଳ ବିରୋଧୀଙ୍କ ପୋଷ୍ଟର କାଢୁଥିବା ନେଇ ଅଭିଯୋଗ ଆଣିଛି ବିଜେପି । ଆଉ ଯାହାକୁ ଅସ୍ୱୀକାର କରିଛି ବିଜୁ ଜନତା ଦଳ ।