ରାହୁଲ ଗାନ୍ଧିଙ୍କ ନୂଆ ଅବତାର । କଂଗ୍ରେସ ସଭାପତିଙ୍କୁ ରାମଚନ୍ଦ୍ର ଦର୍ଶାଇ ବିହାରର ପାଟନାରେ ଲାଗିଲା ପୋଷ୍ଟର

109

କନକ ବ୍ୟୁରୋ: ପ୍ରିୟଙ୍କା ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ ନେଇ ଦେଶର ରାଜନୀତି ସରଗରମ ହୋଇଥିବାବେଳେ ଏବେ ନୂଆ ପୋଷ୍ଟରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆମେ ଆଜି ଦେଖାଇବୁ ଦୁଇଟି ପୋଷ୍ଟର ଯାହା ଉତରପ୍ରଦେଶ ଓ ବିହାରରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରିୟଙ୍କା ଗାନ୍ଧିଙ୍କୁ କଂଗ୍ରେସର ସାଧାରଣ ସମ୍ପାଦକ କରାଯିବା ପରେ ଜୋଶରେ ୟୁପି କଂଗ୍ରେସ । ତାଙ୍କୁ ସ୍ୱାଗତ କରିବା ଲାଗି ବିଭିନ୍ନ ପ୍ରକାରର ବ୍ୟାନର ଓ ପୋଷ୍ଟର ଲଗାଯାଉଛି । ପ୍ରୟାଗରାଜରେ ପ୍ରିୟଙ୍କା ଗାନ୍ଧିଙ୍କୁ ଗଙ୍ଗାଙ୍କ ଝିଅ ଦର୍ଶାଯାଇ କଂଗ୍ରେସ ନେତା ମାରିଛନ୍ତି ପୋଷ୍ଟର । ଏଥିରେ କୁହାଯାଇଛି ୟୁପିକୁ ଜିତାଇବା ପାଇଁ ପ୍ରିୟଙ୍କା ଉତରପ୍ରଦେଶ ଆସିଛନ୍ତି । ଏବେ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପୋଷ୍ଟରରେ ଇନ୍ଦିରା ଗାନ୍ଧି, ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ ବି ସ୍ଥାନ ମିଳିଛି ।

ସେପଟେ ରାହୁଲ ଗାନ୍ଧିଙ୍କ ନୂଆ ଅବତାର । କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କୁ ଶ୍ରୀରାମ ଦର୍ଶାଯାଇ ବିହାର ପାଟନାରେ ଲାଗିଛି ପୋଷ୍ଟର । ଆସନ୍ତା ୩ ତାରିଖରେ ଏଠାରେ ଜନ ଆକାଂକ୍ଷା ରାଲି ହେବାର ଅଛି । ଏହା ପୂର୍ବରୁ କଂଗ୍ରେସ ସମର୍ଥକ ସହରର ବିଭିନ୍ନ ସ୍ଥାନରେ ଏହି ପୋଷ୍ଟର ମାରିଛନ୍ତିି । ପୋଷ୍ଟରରେ ସୋନିଆ ଗାନ୍ଧି, ପ୍ରିୟଙ୍କା ଭଦ୍ରା ଓ ମନମୋହନ ସିଂହଙ୍କ ଫଟୋ ବି ଅଛି । ଗତବର୍ଷ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ ନିର୍ବାଚନବେଳେ ବି ରାହୁଲ ଗାନ୍ଧିଙ୍କୁ ଶିବ ଭକ୍ତ ଭାବେ ଦର୍ଶାଯାଇଥିଲା । ରାହୁଲ ବି ବିଭିନ୍ନ ଶୈବପୀଠକୁ ଯାଇଥିଲେ ।

ପାଟନାର ପୋଷ୍ଟର ଲାଗିବା ପରେ ରାହୁଲ ଗାନ୍ଧିଙ୍କ ନୂଆ ଅବତାରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ରାହୁଲ ଏବେ ଗୋଆରେ ଅଛନ୍ତି । ଆଗମୀ ଲୋକସଭା ନିର୍ବାଚନ ପାଇଁ ବିହାରରେ ଆରଜେଡି, କଂଗ୍ରେସ, ଆରଏସଏଲପି ମେଂଟ କରିଛନ୍ତି । ସେପଟେ ଏନଡିଏ ମେଂଟରେ ସାମିଲ ହୋଇଛନ୍ତି ବିଜେପି,ସଂଯୁକ୍ତ ଜନତା ଦଳ ଓ ଲୋକ ଜନଶକ୍ତି ପାର୍ଟି । ବିଭିନ୍ନ ସର୍ଭେରେ ରାଜ୍ୟରେ ଏହି ଦୁଇ ମେଂଟରେ କଡା ଟକ୍କର ହେଉଥିବା ଦର୍ଶାଯାଇଛି ।