ଭାରତରେ ଖୋଲିବ ନୂଆ ଧରଣର ପେଟ୍ରୋଲ ପମ୍ପ! ଏଟିଏମ ଭଳି କରିବ କାମ, ପେଟ୍ରୋଲ ବ୍ୟତୀତୀ ମିଳିବ କିରୋସିନ ଓ ଇନ୍ଧନ

99

ଗାଡିରେ ତେଲ ପକାଇବାକୁ ଆଉ ଗ୍ରାହକଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡିବନି । କାହିଁକିନା ଦେଶରେ ଖୋଲିବ ନୂଆ ଧରଣର ପେଟ୍ରୋଲ ପମ୍ପ । ଏହି ପେଟ୍ରୋଲ ପମ୍ପ ପୂରାପୁରି ଭାବେ ଏଟିଏମ ଭଳି କାମ କରିବ । ଦିଲ୍ଲୀର ଏଲିଞ୍ଜ ନାମକ କମ୍ପାନି ଏବେ ଦେଶରେ ପୋର୍ଟେବଲ୍ ପେଟ୍ରୋଲ ପମ୍ପ ନିର୍ମାଣ କରିବାକୁ ଯୋଜନା କରିଛି । ଏନେଇ ପେଟ୍ରୋଲିୟମ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ଏଲିଞ୍ଜ କମ୍ପାନିକୁ ଗ୍ରୀନ୍ ସିଗନାଲ ମିଳିଛି । ଏହି ପେଟ୍ରୋଲ ପମ୍ପ ନିର୍ମାଣ ପାଇଁ ଏଲିଞ୍ଜ କମ୍ପାନି ଚେକ୍ ଗଣରାଜ୍ୟର କମ୍ପାନି ପେଟ୍ରୋକାର୍ଡଠାରୁ ଅତ୍ୟାଧୁନିକ ଜ୍ଞାନକୌଶଳର ସହାୟତା ନେବ । ଏହାପରେ ଭାରତରେ ଏହି ପେଟ୍ରୋଲ ପମ୍ପର ଯନ୍ତ୍ରପାତି ନିର୍ମାଣ ହେବ ।

ପୋର୍ଟେବଲ୍ ପେଟ୍ରୋଲ ପମ୍ପ କଣ ?
ପୋର୍ଟେବଲ ପେଟ୍ରୋଲ ପମ୍ପ । ସାଧାରଣ ପେଟ୍ରୋଲ ପମ୍ପ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏହି ପୋର୍ଟେବଲ୍ ପେଟ୍ରୋଲ ପମ୍ପ ପାଇଁ ସାଧାରଣ ପେଟ୍ରୋଲ ପମ୍ପ ଭଳି ଅଧିକ ଜମି ଆବଶ୍ୟକତା ନାହିଁ । ଏହି ନୂଆ ଧରଣର ପେଟ୍ରୋଲ ପମ୍ପର ସେଟଅପ ପାଇଁ ମାତ୍ର ୪୦୦ ବର୍ଗ ମିଟର ଜମି ଆବଶ୍ୟକ । ଯେଉଁଥିରେ ସାଧାରଣ ପେଟ୍ରୋଲ ପମ୍ପ ଭଳି ଭୂମି ତଳେ ତେଲ ଟାଙ୍କି ରହିନଥାଏ । ଓଭରହେଡ ଟାଙ୍କି ଦ୍ୱାରା ଏହି ପେଟ୍ରୋଲ ପମ୍ପ ଚାଲିଥାଏ । ପ୍ରତି ୟୁନିଟ ପାଇଁ ୯୦ ଲକ୍ଷରୁ ୧ କୋଟି ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । ଏହି ପୋର୍ଟେବଲ ପେଟ୍ରୋଲ ପମ୍ପରେ ସର୍ବାଧିକ ୩୫ ହଜାର ଲିଟର ତୈଲ ରହିପାରିବ । ଏହା ସମ୍ପୂର୍ଣ୍ଣ ଭାବେ ସ୍ୱୟଂ ଚାଳିତ ପେଟ୍ରୋଲ ପମ୍ପ । ଏହାକୁ ସ୍ଥାପନା କରିବାକୁ ମାତ୍ର ଦୁଇ ଘଣ୍ଟା ସମୟ ଲାଗିଥାଏ । ତେଣୁ ଏହି ପେଟ୍ରୋଲ ପମ୍ପ କମ ସମୟ ମଧ୍ୟରେ ନିର୍ମାଣ ହେଉଥିବା ବେଳେ ଖର୍ଚ୍ଚ ମଧ୍ୟ କମ ହୋଇଥାଏ । ଏଭଳି ପେଟ୍ରୋଲ ପମ୍ପ ସାଧାରଣତଃ ଦୁର୍ଗମ ଅଞ୍ଚଳ ଓ ବିଚ୍ଛିନ୍ନାଞ୍ଚଳରେ ବେଶ ସହଜରେ ନିର୍ମାଣ କରାଯାଇପାରିବ ।

ପୋର୍ଟେବଲ ପେଟ୍ରୋଲ ପମ୍ପରେ କଣ ମିଳିବ ସୁବିଧା :
ପୋର୍ଟେବଲ ପେଟ୍ରୋଲ ପମ୍ପ ଏଟିଏମ ଭଳି କାମ କରିଥାଏ । ଏଟିଏମରୁ ଟଙ୍କା ଉଠାଇବା ବେଳେ ଯେପରି କୌଣସି ବ୍ୟାଙ୍କ କର୍ମଚାରୀଙ୍କ ଆବଶ୍ୟକତା ପଡିନଥାଏ ଠିକ୍ ସେହିଭଳି ଏହି ପେଟ୍ରୋଲ କିମ୍ବା ଡିଜେଲ ପକାଇବା ବେଳେ କୌଣସି ସେଲସ୍ୟମ୍ୟାନଙ୍କ ଆବଶ୍ୟକତା ପଡିନଥାଏ । ଇ-ୱାଲେଟ ଦ୍ୱାରା କ୍ୟାସଲେସ ମୋଡରେ ଗ୍ରାହକମାନେ ଟଙ୍କା ପୈଠ କରି ପେଟ୍ରୋଲ ପମ୍ପରୁ ଗାଡିରେ ତୈଳ ପକାଇପାରିବେ । ଏପରିକି ଏହି ପେଟ୍ରୋଲ ପମ୍ପରୁ ଗ୍ରାହକମାନେ ପେଟ୍ରୋଲ, ଡିଜେଲ, ଏଲପିଜି ଓ କିରୋସିନ ମଧ୍ୟ ପାଇପାରିବେ । ଆଗାମୀ ୫ରୁ ୭ ବର୍ଷ ମଧ୍ୟରେ ୫୦ ହଜାର ପୋର୍ଟେବଲ ପେଟ୍ରୋଲ ପମ୍ପ ନିର୍ମାଣ କରିବାକୁ ଏଲିଞ୍ଜ୍ କମ୍ପାନି ପକ୍ଷରୁ ଲକ୍ଷ୍ୟ ରଖାଯାଇଛି ।

ଦେଶରେ ପୋର୍ଟେବଲ ପେଟ୍ରୋଲ ପମ୍ପ ନିର୍ମାଣ କରିବାକୁ ଅଗଷ୍ଟ ୧୦ ତାରିଖରେ ଏଲିଞ୍ଜ୍ କମ୍ପାନିକୁ ପେଟ୍ରୋଲିୟମ ମନ୍ତ୍ରାଳୟ ପକ୍ଷରୁ ମଞ୍ଜୁରୀ ମିଳିଛି । ଏହି ପେଟ୍ରୋଲ ପମ୍ପ ନିର୍ମାର ପାଇଁ ପ୍ରତ୍ୟେକ ରାଜ୍ୟ ସରକାରଙ୍କ ପକ୍ଷରୁ ଟେଣ୍ଡର ଡକାଯିବ । ଟେଣ୍ଡର ପାଇଥିବା କମ୍ପାନିକୁ ଏଲିଞ୍ଜ୍ କମ୍ପାନି ପକ୍ଷରୁ କେବଳ ପୋର୍ଟେବଲ ପେଟ୍ରୋଲ ପାଇଁ ଆବଶ୍ୟକ ହେଉଥିବା ମେସିନ ପ୍ରଦାନ କରାଯିବ । ଏପରିକି ଏହି ପୋର୍ଟେବଲ ପେଟ୍ରୋଲ ପମ୍ପ ପାଇଁ ବ୍ୟାଙ୍କ ପକ୍ଷରୁ ମଧ୍ୟ ଆର୍ଥିକ ସହାୟତା ମିଳିବ । ପୂରା ବିଶ୍ୱରେ ୩୫ଟି ଦେଶରେ ଏହି ପୋର୍ଟେବଲ ପେଟ୍ରୋଲ ପମ୍ପ ଚାଲୁଥିବା ବେଳେ ଏବେ ଏହା ଭାରତରେ ଦେଖିବାକୁ ମିଳିବ । ।