ଓଡିଶାରେ ସର୍ବାଧିକ ଦୂଷିତ ସହର କୋଣାର୍କ : ଗ୍ରୀନପିସ୍ ଇଣ୍ଡିଆର ସର୍ଭେକ୍ଷଣ ରିପୋର୍ଟରେ ଚିନ୍ତାଜନକ ତଥ୍ୟ

82

କନକ ବ୍ୟୁରୋ :  ଓଡ଼ିଶାରେ ସର୍ବାଧିକ ଦୂଷିତ ସହର କୋଣାର୍କ । ବାୟୁ ପ୍ରଦୂଷଣର ମାତ୍ରା ପ୍ରତି ଘନମିଟରରେ ୧୯୧ ମାଇକ୍ରୋଗ୍ରାମ୍ । ଜାତୀୟ ମାନକଠାରୁ ଏହା ଦୁଇଗୁଣା ଅଧିକ । ପ୍ରଦୂଷଣର ମାତ୍ରା ପ୍ରତି ଘନମିଟରରେ ୬୦ ମାଇକ୍ରୋଗ୍ରାମ୍ ରହିବା କଥା । ପରିବେଷ ପ୍ରଦୂଷଣ ନେଇ ଗବେଷଣା କରୁଥିବା ଜାତୀୟ ସ୍ତରର ଏକ ପ୍ରତିଷ୍ଠିତ ସଂସ୍ଥା ଗ୍ରୀନପିସ୍ ଇଣ୍ଡିଆର ସର୍ଭେକ୍ଷଣ ପରେ ସାମ୍ନାକୁ ଆସିଛି ଏହି ତଥ୍ୟ । ଦେଶବ୍ୟାପୀ ୨ଶହ ୮୦ଟି ସହରକୁ ନେଇ ସର୍ଭେକ୍ଷଣ ପରେ ୨୦୧୬ରେ ମାସିକ ମାତ୍ରାରେ କୋଣାର୍କ ସବୁଠାରୁ ଅଧିକ ପ୍ରଦୂଷିତ ବୋଲି କୁହାଯାଇଛି । ଏପରିକି ବାୟୁ ପ୍ରଦୂଷଣର ବିଭୀଷିକା ରିପୋର୍ଟରେ ଚେତାଇ ଦିଆଯାଇଛି ଯେ, ପ୍ରତିକାର ପାଇଁ କୌଣସି ଠୋସ୍ ପଦକ୍ଷେପ ନନେଲେ ପରିଣତି ଭୟାବହ ହେବ ।

କୋଣାର୍କରେ ରହିଛି ବିଶ୍ୱ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର । ସେଥିଲାଗି ପ୍ରତିଦିନ ଏଠାରୁ ଦେଶ ବିଦେଶରୁ ହଜାର ହଜାର ପର୍ଯ୍ୟଟକ ଛୁଟି ଆସିଥାନ୍ତି । ହେଲେ ଏଠାକାର ବାୟୁରେ ବିଷ ନେଇ ରିପୋର୍ଟ ନିଶ୍ଚିତ ଭାବରେ ଚିନ୍ତାର ବିଷୟ । କାରଣ ବାୟୁରେ କାର୍ବନ ଡାଇଅକସାଇଡ, ସଲଫର ଡାଇଅକ୍ସାଇଡ, କାର୍ବନ ମନୋକ୍ସାଇଡ, ନାଇଟ୍ରୋଜେନ ଡାଇଅକ୍ସାଇଡ ଆଦି ବିଷାକ୍ତ କଣିକା ବିଭିନ୍ନ ପ୍ରକାର ଚର୍ମରୋଗ ଓ ଶ୍ୱାସ ଜନିତ ରୋଗ ସୃଷ୍ଟି କରିପାରେ । ରିପୋର୍ଟରେ ଆହୁରି ରହିଛି ବାର୍ଷିକ ମାତ୍ରାରେ ସୁନ୍ଦରଗଡ ଜିଲ୍ଲାର ରାଜଗାଙ୍ଗପୁର ସହର ଅଧିକ ପ୍ରଦୂଷିତ । ବିଭିନ୍ନ ଶିଳ୍ପ ସଂସ୍ଥାରୁ ନିର୍ଗତ ଧୂଆଁ ଏଠାକାର ବାୟୁ ମଣ୍ଡଳକୁ ବିଷାକ୍ତ କରିପକାଉଛି ।

ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପାଂଚଳ, ବନ୍ଦର ନଗରୀ ପାରାଦ୍ୱୀପ, ରାଜଧାନୀ ଭୁବନେଶ୍ୱର ସମେତ କୋଇଲା ଅଂଚଳ ତାଳଚେରରେ ମଧ୍ୟ ବାୟୁ ପ୍ରଦୂଷଣର ମାତ୍ରା ପ୍ରତି ଘନମିଟରରେ ୧୦୦ ମାଇକ୍ରୋଗ୍ରାମରୁ ଅଧିକ ରହିଛି ।