ସହିଦ ହେଲେ ଗଣତନ୍ତ୍ରର ସୈନିକ ସଂଯୁକ୍ତା ଦିଗାଲ । ଗର୍ଭବତୀ ଥିଲେ ମଧ୍ୟ ପୁଲିଂ ସୁପରଭାଇଜିଂ ଟିମରେ ଥିଲେ ସକ୍ରିୟ, ଗୁଳିମାଡ଼ରେ ଚାଲିଗଲା ଜୀବନ । 

696

କନକ ବ୍ୟୁରୋ : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନର ମାତ୍ର କିଛି ଘଂଟା ପୂର୍ବରୁ ଫୁଲବାଣୀରେ ଏପରି ଘଟଣା ଘଟିଥିଲା, ଯାହା ସାରା ରାଜ୍ୟକୁ ସ୍ତବ୍ଧ କରି ଦେଇଥିଲା । ମାଓବାଦୀଙ୍କ ଗୁଳିମାଡରେ ଟଳି ପଡିଥିଲେ ପୋଲିଂ ସୁପରଭାଇଜର ସଂଯୁକ୍ତା ଦିଗାଲ । ଲୁଇସିଂ ପଂଚାୟତର ଜିଆରଏସ୍ ଭାବେ କାର୍ଯ୍ୟ କରୁଥିଲେ ସଂଯୁକ୍ତର । ୩-୪ ମାସର ଗର୍ଭବତୀ ଥିବା ସତ୍ୱେ ନିର୍ବାଚନ ଡ୍ୟୁଟିରେ ଯୋଗ ଦେଇଥିଲେ ସେ । ମାତ୍ର ଲାଲବାହିନୀ ବର୍ବର ଆକ୍ରମଣରେ ସହିଦ ହୋଇଯାଇଥିଲେ ଗଣତନ୍ତ୍ରର ଏହି ସୈନିକ ।

ସହିଦ ହେଲେ ଗଣତନ୍ତ୍ରର ସୈନିକ । ମାଓବାଦୀଙ୍କ ଗୁଳିରେ ଗଲା ଜୀବନ । ସଂଯୁକ୍ତା ଦିଗାଲ୍ । ବୟସ ୨୩ । ପଂଚାୟତ ଜିଆରଏସ ଭାବେ କାର୍ଯ୍ୟ କରୁଥିବା ସଂଯୁକ୍ତା, ପୋଲିଂ ସୁପରଭାଇଜିଂ ଟିମରେ ସାମିଲ ହୋଇଥିଲେ । ଗଣତନ୍ତ୍ରର ବଡ଼ ଦାୟିତ୍ୱ ତୁଲାଉଥିବାରୁ ମନରେ ଥିଲା ପ୍ରବଳ ଉତ୍ସାହ । ୩-୪ ମାସର ଗର୍ଭବତୀ ଥିଲେ ବି ବୁଧବାର ଦିନ ସୈନିକ ଭଳି କର୍ତବ୍ୟ ତୁଲାଇବାକୁ ଘରୁ ବାହାରି ଆସିଥିଲେ । ବୁଥକୁ ବୁଥ୍ ବୁଲି ନିର୍ବାଚନର ପ୍ରସ୍ତୁତି ଦେଖୁଥିଲେ । ତେବେ ବାଟରେ ଆମ୍ବୁସ୍ କରି ଛକି ରହିଥିଲେ ମାଓବାଦୀ ।

ଗୋଚ୍ଛପଡ଼ା ଥାନା କୋଇଲିମାଣ୍ଢୁ ନିକଟରେ ପୋଲିଂ ସୁପରଭାଇଜିଂ ଗାଡ଼ି ଉପରକୁ ଆକ୍ରମଣ କଲେ ସଶସ୍ତ୍ର ନକ୍ସଲ । ପ୍ରଥମେ ଗାଡି ଆଗରେ ହୋଇଥିଲା ବିସ୍ଫୋରଣ । କେହି କିଛି ବୁଝିବା ପୂର୍ବରୁ ଅଚାନକ ଆରମ୍ଭ ହୋଇଥିଲା ଗୁଳି ବର୍ଷଣ । ଏହି ଗୁଳିମାଡରେ ଟଳି ପଡିଥିଲେ ସଂଯୁକ୍ତା ଦିଗାଲ । ଗାଡ଼ିରେ ଥିବା ଅନ୍ୟ ୩ଜଣ ଅଧିକାରୀ ପ୍ରାଣ ବିକଳରେ ଦୌଡି ନିଜ ଜୀବନ ବଂଚାଇଥିଲେ । ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା ଏହି ଘଟଣା ।

ସେପଟେ ସଂଯୁକ୍ତାଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଛନ୍ତି ତାଙ୍କର ସଂପର୍କୀୟ ଓ ପରିବାର ବର୍ଗ । କାରଣ ଉଭୟ ବାପଘର ଓ ଶ୍ୱଶୁର ଘରର ମେରୁଦଣ୍ଡ ଥିଲେ ସଂଯୁକ୍ତା । ସବୁଠୁ ଦୁଃଖର କଥା ହେଉଛି ୩-୪ ମାସର ଗର୍ଭବତୀ ଥିଲେ ସଂଯୁକ୍ତା । ତାଙ୍କର ଏପରି ମୃତ୍ୟୁରେ ଧୋଇ ହୋଇଯାଇଛି ପରିବାରର ସବୁ ଆଶା ଭରସା । ଗତକାଲି ଫୁଲବାଣୀରୁ ବାହାରିଥିବା ଏକ ପୋଲିଂ ପାର୍ଟି ଉପରକୁ ମଧ୍ୟ ଆକ୍ରମଣ କରିଥିଲେ ମାଓବାଦୀ । ଦୁଇଟି ବୋଲେରୋ ଓ ବାଇକକୁ ବିସ୍ଫୋରଣରେ ଉଡାଇ ଦେବାରୁ ପୋଡି ପାଉଁଶ ହୋଇ ଯାଇଥିଲା ଇଭିଏମ୍ ଓ ଅନ୍ୟାନ୍ୟ ନିର୍ବାଚନ ସାମଗ୍ରୀ ।