ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀଙ୍କୁ ନେଇ ଥମୁନି ରାଜନୀତି: ଧର୍ମେନ୍ଦ୍ର କହିଲେ, ଭିତିରି ନୁହେଁ ହୋଇଛି ଖୋଲା ବୁଝାମଣା, ନରସିଂହ ଉଠାଇଲେ ଖଣି ଲିଙ୍କ୍

179

କନକ ବ୍ୟୁରୋ: ଦୁଇ ଦିନ ପୂର୍ବରୁ ସମସ୍ତଙ୍କ ପାଇଁ ଅପରିଚିତ ଥିବା ଅଶ୍ୱିନୀ ବୈଷ୍ଣବ, ଏବେ ରାଜ୍ୟ ରାଜନୀତିର ସବୁଠୁ ଅଧିକ ଚର୍ଚ୍ଚିତ ବ୍ୟକ୍ତି । କାରଣ, ବିଜେଡି ସମର୍ଥନରେ ରାଜ୍ୟସଭାକୁ ଯିବାକୁ ପ୍ରସ୍ତୁତ, ବିଜେପିର ଏହି ପ୍ରାର୍ଥୀ । ତେବେ ଅଶ୍ୱିନୀଙ୍କୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି । ଆଉ ଓଡିଶାର ବିକାଶ ପାଇଁ ଏଭଳି ନିଷ୍ପତି ହୋଇଥିବା ବିଜେଡି ଓ ବିଜେପି କହୁଥିବା ବେଳେ କଂଗ୍ରେସ କହିଛି, ବିଜେଡି-ବିଜେପି ମଧ୍ୟରେ ଚାଲିଛି ସାଲିସ ରାଜନୀତି ଯାହା ରାଜନୀତିର ପାରଦକୁ ଅଧିକ କରିଦେଇଛି ।

ଅଶ୍ୱିନୀ ବୈଷ୍ଣବ । ବିଜେଡି ସମର୍ଥନରେ ଓଡିଶାରୁ ବିଜେପି ସଭ୍ୟ ଭାବେ ରାଜ୍ୟସଭା ଯାଉଥିବା ଏହି ବ୍ୟକ୍ତିଙ୍କୁ ନେଇ ଯେତିକି ଚର୍ଚା, ତାଠାରୁ ଅଧିକ ଚର୍ଚା, ଓଡିଶାର ରାଜନୈତିକ ସମୀକରଣକୁ ନେଇ । ଆଉ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ଅଶ୍ୱିନୀ ବୈଷ୍ଣବ ଜଣେ ଦକ୍ଷ ପ୍ରଶାସକ ଭାବେ ଓଡ଼ିଶାରେ କାର୍ଯ୍ୟ ଦକ୍ଷତା ଦେଖାଇ ସାରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ସଙ୍ଗେ କାମ କରିବାର ସୁଯୋଗ ମଧ୍ୟ ତାଙ୍କୁ ମିଳିଛି । ଅଶ୍ୱିନୀଙ୍କ ଦୃଷ୍ଟିକୋଣ ଓ କାର୍ଯ୍ୟ ଦକ୍ଷତା ରାଜ୍ୟକୁ ଓ ଦଳ ପାଇଁ ସହାୟକ ହେବ । ଓଡ଼ିଶାରୁ ଜଣେ ରାଜ୍ୟସଭା ପ୍ରାର୍ଥୀ ମିଳିବ । ରାଜ୍ୟର ବିକାଶ ପାଇଁ ଏପରି ବୁଝାମଣା ହୋଇଛି ବୋଲି କହିଛନ୍ତି ଧମେନ୍ଦ୍ର ।

ସେପଟେ କଂଗ୍ରେସ, ଏହି ଘଟଣା ପଛରେ ଏକ ବଡ ଧରଣର ସାଲିସ ରାଜନୀତି ଥିବା ସନ୍ଦେହ କରୁଛି ବୋଲି କହିଛନ୍ତି ନରସିଂହ ମିଶ୍ର । କାରଣ ଜାତୀୟ ଗଣମାଧ୍ୟମରେ ବିଜେପି ରାଜ୍ୟ ସଭା ପ୍ରାର୍ଥୀ ଜଣେ ଖଣି ମାଲିକ ବୋଲି କୁହାଯାଉଛି । ସେତେବେଳେ ବିଜେଡି ହଠାତ୍ ତାଙ୍କୁ ସମର୍ଥନ ଜଣାଇବା ସନ୍ଦେହକୁ ଦ୍ୱିଗୁଣିତ କରିଛି ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ।

ତେବେ ବିଜେପି ସଭ୍ୟଙ୍କୁ ରାଜ୍ୟସଭା ପାଇଁ ବିଜେଡିର ସମର୍ଥନ ପରେ ବିଜେପି ବିଧାୟକ ଦଳ ଉପରେ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଚର୍ଚା ହେଉଛି । ଏତେ ବଡ ସମର୍ଥନ ଦେଇଥିବା ବିଜେଡି ସରକାରକୁ ସେମାନେ କେମିତି ବିଧାନସଭାରେ ଘେରିବେ, ତାକୁ ନେଇ ପ୍ରଶ୍ନ ବି ଉଠୁଛି । ଏସବୁ ଭିତରେ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରସଙ୍ଗକୁ ବିଜେଡି ଓ ବିଜେପି ମଧ୍ୟରେ, ଦବା-ନବାର ସମ୍ପର୍କ ହୋଇଥାଇପାରେ ବୋଲି ରାଜନୈତିକ ସମୀକ୍ଷକ ମାନେ ଅନୁମାନ କରୁଛନ୍ତି ।