ଶିକ୍ଷକଙ୍କୁ ନେଇ ବଡ ରାଜନୀତି ! କଂଗ୍ରେସ ଓ ବିଜେପି ପରେ ନୈତିକ ସମର୍ଥନ ଦେଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା, ଏପଟେ ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା ।

32

କନକ ବ୍ୟୁରୋ : ଶିକ୍ଷକଙ୍କୁ ନେଇ ବଡ ରାଜନୀତି । ନେତା ଭେଟୁଛନ୍ତି, ତାତି ବଢ଼ୁଛି । ନିରଞ୍ଜନ, ଧର୍ମେନ୍ଦ୍ରଙ୍କ ପରେ ଆଜି ଆନ୍ଦୋଳନ ସ୍ଥଳକୁ ଯାଇ ଶିକ୍ଷକଙ୍କୁ ଭେଟିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ଶିକ୍ଷକଙ୍କ ଦାବିକୁ ସମର୍ଥନ ଜଣାଇବା ସହ ରାଜ୍ୟର ଶିକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଛନ୍ତି ବୈଜୟନ୍ତ । ଅନ୍ୟପଟେ ବିଧାନସଭାରେ ଶାସକ ଦଳକୁ ଘେରିଛନ୍ତି ବିରୋଧୀ । ଶିକ୍ଷକଙ୍କ ସମସ୍ୟାର ସମାଧାନ ନହେଲେ ଗୃହ ଚାଲି ପାରିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ଆଉ ଏସବୁ ଭିତରେ ଆଲୋଚନା ନେଇ ଶିକ୍ଷକ ସହଯୋଗ କରୁନଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ ।

ଶିକ୍ଷକଙ୍କ ଆନ୍ଦୋଳନରେ ପଶିଲା ରାଜନୀତି ? ଆଳ ଶିକ୍ଷକ ଆନ୍ଦୋଳନ, ଲକ୍ଷ୍ୟ ୨୦୧୯ ? ପ୍ରାୟ ମାସେ ହେଲା ରାଜରାସ୍ତାରେ ବସିଥିବା ଶିକ୍ଷକଙ୍କ ଆନ୍ଦୋଳନ ସ୍ଥଳରେ ପ୍ରଥମେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଉ ଆଜି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା. ଶିକ୍ଷକଙ୍କ ଦୁଃଖରେ ସମଦୁଃଖି ଥିବା ଦେଖିବାକୁ ମିଳିଛି । ଶିକ୍ଷକଙ୍କୁ ସହାନୁଭୁତି ହେବାକୁ ଯାଇ ପରୋକ୍ଷରେ ରାଜ୍ୟ ସରକାରଙ୍କୁ କାଠଗଡ଼ାକୁ ଟାଣିବାକୁ ଭୁଲି ନାହାନ୍ତି ବୈଜୟନ୍ତ । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ବହୁତ ପଛରେ ଥିବା କହି, ରାଜ୍ୟ ସରକାରଙ୍କ ଶିକ୍ଷା ବ୍ୟବସ୍ଥା ନେଇ ଉଠାଇଛନ୍ତି ପ୍ରଶ୍ନ ।

ଗୋଟିଏ ପଟେ ରାଜରାସ୍ତାରେ ଶିକ୍ଷକଙ୍କ ଆନ୍ଦୋଳନ ଚାଲିଛି, ଅନ୍ୟପଟେ ଗୃହ ଭିତରେ ଶାସକ ଦଳକୁ ଘେରିଛନ୍ତି ବିରୋଧୀ । ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟ ବିଧାନସଭାରେ ହଙ୍ଗାମା କରିଥିବା ବେଳେ ଶିକ୍ଷକ ସମସ୍ୟାର ସମାଧାନ ନହେଲେ ଗୃହ ଚାଲିପାରିବ ନାହିଁ ବୋଲି ବିରୋଧୀ ଚେତାବନୀ ଦେଇଛନ୍ତି । ଏପଟେ ବିଭାଗୀୟ ମନ୍ତ୍ରୀ କହିଛନ୍ତି- ଶିକ୍ଷକମାନେ ଆଲୋଚନା ପାଇଁ ସହଯୋଗ କରୁ ନାହାଁନ୍ତି । ଚାକିରି ସର୍ତାବଳୀରେ ସଂଶୋଧନ ଦାବି କରି ଦୀର୍ଘ ୨୭ ଦିନ ହେଲା ଆନ୍ଦୋଳନ କରି ଆସୁଛି ସ୍କୁଲ ଓ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଂଚ । ଭୁବନେଶ୍ୱରରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ, ବ୍ଲକ୍ ସ୍ତରରେ ପହଂଚିଛି । ଆଉ ଏସବୁ ଭିତରେ ୩୦ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଠ ପଢ଼ା ନେଇ ସୃଷ୍ଟି ହୋଇଛି ଏକ ବଡ ପ୍ରଶ୍ନଚିହ୍ନ ।