ସୋସିଆଲ ମିଡିଆ ଚଳାଇବାକୁ ନେତାଙ୍କ ପୁଅ ଦେଉଛନ୍ତି ଦରମା । କାମ କମ୍, ପ୍ରଚାର ବେଶୀ ।

ଶାସକ ଓ ବିରୋଧୀଙ୍କ ପାଇଁ ନିର୍ବାଚନ ମଇଦାନରେ ହେବ କାଣ୍ଟେ କା ଟକ୍କର । କିନ୍ତୁ ଯୁବନେତା ତଥା ନେତାଙ୍କ ପୁଅକୁ ଟିକେଟ୍ ପାଇବାକୁ ହେଲେ ନିଜ ସୋସିଆଲ ସାଇଟରେ କରିବାକୁ ପଡ଼ିବ ଜୋରଦାର ପ୍ରଚାର । 

187

କନକ ବ୍ୟୁରୋ: ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ସଜବାଜ ହେଉଛନ୍ତି ଶାସକ ଓ ବିରୋଧୀ । ଆଉ ଆଗାମୀ ନିର୍ବାଚନ ମଇଦାନରେ ହେବ କାଣ୍ଟେ କା ଟକ୍କର । ତେଣୁକରି କାହାକୁ ଟିକେଟ୍ ମିଳିବ ଏବଂ କାହାକୁ ନୁହେଁ ତାକୁ ନେଇ ଜାରି ରହିଛି ସସପେନ୍ସ  । ତେବେ ଟିକେଟ ବଣ୍ଟନକୁ ନେଇ ଶାସକ ବିଜେଡ଼ି ଓ ବିରୋଧୀ ବିଜେପି ଏବଂ କଂଗ୍ରେସର ରହିଛି ଭିନ୍ନ ଭିନ୍ନ ରଣନୀତି । ହେଲେ ଏବେ ଖଟିରେ ଶୁଣିବାକୁ ମିଳୁଛି ଯେ, ଟ୍ୱିଟର ଦେବ ଟିକେଟ ।

bijepurବିଜେଡ଼ି, ବିଜେପି ଅବା କଂଗ୍ରେସ ସଭିଙ୍କ ଦଳର ନେତାମାନଙ୍କୁ ଏବେ ଘାରିଛି ସୋସିଆଲ ମିଡ଼ିଆ ନିଶା । କାରଣ ଟିକେଟ୍ ପାଇବାର ଫଣ୍ଡା କୁଆଡ଼େ ଟ୍ୱିଟର ପାଖରେ ଅଟକିଛି । ତେବେ ନେତାମାନଙ୍କର ସୋସିଆଲ୍ ସାଇଟକୁ ସମ୍ଭାଳିବା ପାଇଁ ନିଯୁକ୍ତ ହୋଇଛନ୍ତି କିଛି ଆଇଟି କ୍ଷେତ୍ରରେ ପାରଙ୍ଗମଥିବା ଯୁବକ ଯୁବତୀ ବୋଲି ଶୁଣିବାକୁ ମିଳୁଛି । ଯେବେଠାରୁ ରାଜ୍ୟର ପ୍ରମୂଖ ରାଜନୈତିକ ଦଳମାନେ ଆଗାମୀ ନିର୍ବାଚନରେ ଯୁବନେତାମାନଙ୍କୁ ଗୁରୁତ୍ୱ ଦେବାକୁ କହିବା ପରଠାରୁ ଏହାର ଇମ୍ପାକ୍ଟ ଦେଖିବାକୁ ମିଳିଛି । ନେତାମାନଙ୍କ ସୋସିଆଲ ସାଇଟକୁ ପରିଚାଳନା କରୁଛନ୍ତି କିଛି ସୋସିଆଲ ମିଡ଼ିଆ ଏକ୍ସପର୍ଟ ।

କେବଳ ନେତା ନୁହେଁ ନେତାଙ୍କ ଟିକେଟ୍ ପାଇବାକୁ ଥିବା ଆଶାୟୀ ନେତାଙ୍କ ପୁଅମାନେ ମଧ୍ୟ ସୋସିଆଲ ସାଇଟକୁ ବେଶ୍ ଗୁରୁତ୍ୱ ଦେଉଛନ୍ତି । କାରଣ ନିଜ ଅଞ୍ଚଳରେ ଘଟୁଥିବା ପୂଜା, ପର୍ବ ସହ ପ୍ରତିଟି ଘଟଣା ସମ୍ପର୍କରେ ଯାହାର ଟ୍ୱିଟର ବେଶି ଆକ୍ଟିଭ୍ ଥିବ ସେମାନଙ୍କୁ ଟିକେଟ୍ ମିଳିବା ଏକ ପ୍ରକାର ନିଶ୍ଚିତ ବୋଲି ଏବେ ଚର୍ଚ୍ଚା ହେଉଛି । ସେଥିପାଇଁ ରାଜନେତାଙ୍କ ପୁଅମାନେ ନିଜ ସୋସିଆଲ ସାଇଟ୍କୁ ଗୁରୁତ୍ୱ ଦେଇ କିଛି ଦକ୍ଷ ସୋସିଆଲମିଡ଼ିଆ ଏକ୍ସପର୍ଟଙ୍କୁ ନିଯୁକ୍ତ ଦେଇଛନ୍ତି । ଏବଂ ସେମାନଙ୍କୁ ମୋଟା ଅଙ୍କରେ ମାସିକ ଦରମା ଦେଉଛନ୍ତି ବୋଲି ଶୁଣିବାକୁ ମିଳୁଛି । ନିଜ ଟ୍ୱିଟର ଆକାଉଣ୍ଟକୁ ପରିଚାଳନା କରିବାକୁ ସେମାନଙ୍କୁ ରାଜନେତାଙ୍କ ପୁଅମାନେ ମାସିକ ସର୍ବନିମ୍ନ ୧୦ରୁ ୧୫ ହଜାର ଟଙ୍କା ଏବଂ ସର୍ବାଧିକ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ଦେଉଛନ୍ତି ।

ଶୁଣିବାକୁ ମିଳୁଛି ଯେ, ଯାହାର ସୋସିଆଲସାଇଟ୍ ଯେତେ ଆକ୍ଟିଭ ତାର ଟିକେଟ୍ ପାଇବାର ସମ୍ଭାବନା ବେଶ୍ ଅଧିକ  । ୨୦୧୯ ନିର୍ବାଚନ ପାଖେଇ ଆସୁଥିବାରୁ ଲୋକଙ୍କ ସହ ଯୋଡ଼ି ହେବାକୁ ନୂଆ ପ୍ରୟାସ । ସୋସିଆଲ ମିଡ଼ିଆ ମାଧ୍ୟମରେ ନେତା ଏବଂ ନେତାଙ୍କ ପୁଅମାନେ ଲୋକପ୍ରିୟତା ଦେଖାଇବାକୁ ପ୍ରୟାସ କରୁଛନ୍ତି । ଯେଉଁଥି ପାଇଁ ଏଭଳି ନୂଆ ଫଣ୍ଡା ଆପଣାଉଥିବା କହିଛନ୍ତି ରାଜନୀତି ବିଶେଷଜ୍ଞ ।