ଗୁଡିରେ ଉଡୁଛନ୍ତି ମୋଦି-ନବୀନ । ମକର ସଂକ୍ରାନ୍ତିରେ କଟକ ଆକାଶରେ ପଲିଟିକାଲ ‘ଗୁଡି’

156

କନକ ବ୍ୟୁରୋ: ଆଜି ମକର ସଂକ୍ରାନ୍ତି । ଦେଶବ୍ୟାପୀ ପାଳିତ ହେଉଛି ଏହି ଉତ୍ସବ । କିନ୍ତୁ କଟକର ମକର ସଂକ୍ରାନ୍ତି ପାଳନର ମଜା ନିଆରା । କାରଣ କଟକରେ ଜମେ ଗୁଡ଼ି ଉଡା ଖେଳ । ବର୍ଷ ବର୍ଷ ଧରି ଚାଲି ଆସିଥିବା ଏହି ପରମ୍ପରା ଆଜି ବି ସେମିତି ରହିଛି । ଏହି ପରମ୍ପରାକୁ ଦେଖି ବଜାରେ ମିଳୁଛି ଭଳିକି ଭଳି ଗୁଡ଼ି । ପ୍ରଥମ ଥର ପାଇଁ ବଜାରରେ ଦେଖିବାକୁ ମିଳିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଥିବା ଗୁଡି । ଏବେ ଏହି ପଲଟିକାଲ ଗୁଡିକୁ ନେଇ ବେଶ ଚର୍ଚ୍ଚା ।

କଟକର ଗୁଡ଼ି । ଗୁଡ଼ିକୁ ନେଇ ଯେତେ କାହାଣୀ, ସେତେ କବିତା । ଆଉ ତାରି ଭିତରେ ଅକ୍ଷୟ ମହାନ୍ତିଙ୍କ ଗୀତ, ମକର ସଂକ୍ରାନ୍ତିରେ ଗୁଡ଼ି ଉଡାଇବା ପରମ୍ପରା କଥା ହିଁ ବଖାଣିଥାଏ । ନିର୍ବାଚନ ବର୍ଷରେ ଗୁଡ଼ିରେ ବି ଲାଗିଛି ରାଜନୀତିର ରଙ୍ଗ । କଟକର ବାଉନ-ବଜାର ତେପନ ଗଳିରେ ମିଳୁଛି ପଲିଟିକାଲ ଗୁଡ଼ି । ଗୁଡି ଦୋକାନରେ ଦେଖିବାକୁ ମିଳିଛି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋ । ଚୌଧୁରୀ ବଜାରରେ ମୋଦି ଓ ନବୀନଙ୍କ ଫଟୋ ଥିବା ଏହି ଗୁଡ଼ିକୁ କିଣିବା ପାଇଁ ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି ।

ଦୋକାନରେ ମୁଖ୍ୟମନ୍ତ୍ରୀ ଫଟୋ ଥିବା ବିଭିନ୍ନ ଡିଜାଇନର ଗୁଡ଼ି ଉପଲବ୍ଧ ରହିଛି । ଏଥିରେ ନବୀନ ପଟ୍ଟନାୟକଙ୍କ ସହ ଶଙ୍ଖ ଚିହ୍ନ ମଧ୍ୟ ରହିଛି । ନୀଳ ରଙ୍ଗ ସହ ବିଜୁ ଜନତା ଦଳ ଲେଖାଥିବା ଏହି ଗୁଡି ଗ୍ରାହକଙ୍କ ଆକର୍ଷଣର ଅନ୍ୟତମ କେନ୍ଦ୍ରବିନ୍ଦୁ ପାଲଟିଛି । ତେବେ ଏହାକୁ ବିକ୍ରି କରାନଯାଉ ନାହିଁ । ଅନ୍ୟ ଗୁଡି କିଣିଲେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ଗୁଡିକୁ ମାଗଣାରେ ଦିଆଯାଉଥିବା ବ୍ୟବସାୟୀ କହିଛନ୍ତି ।

ପଲଟିକାଲ ଗୁଡି ଛଡା ପି ଲାଙ୍କ ପସନ୍ଦର ଗୁଡି ମଧ୍ୟ ଦୋକାନରେ ବିକ୍ରି ହେଉଛି । ବେଟୀ ବଚାଓ, ବେଟୀ ପଢାଓ ଗୁଡି, କାର୍ଟୁନ ଗୁଡିରେ ଲେଖାଥିବା ଟମ୍ ଆଣ୍ଡ ଜେରୀ, ମୋଟୁ ପତଲୁ, ଶିବା, ପକେମନ୍, ଡୋରେମନ୍ ଏବଂ ପିଲାଙ୍କ ଅଧିକ ଚାହିଦା ଥିବା ବେନ୍ ଟେନ୍ ଗୁଡି ବିକ୍ରି ହେଉଛି ।