ଗଡୁଛି ସମୟ, ବଢୁଛି ଟେନସନ୍: କାଲି ଖୋଲିବ ଭାନୁମତୀ ପେଡି, ଜଣାପଡ଼ିବ କାହାକୁ ଆଶୀର୍ବାଦ କରିଛନ୍ତି ଜନତା, କାହା ବିରୋଧରେ ଯାଇଛି ଜନମତ

ଏକଜିଟ୍ ପୋଲ ଆକଳନ ପରଠାରୁ ବଦଳି ଯାଇଛି ହେବିୱେଟଙ୍କ ବଡି ଲାଙ୍ଗୁଏଜ

153

କନକ ବ୍ୟୁରୋ: ଗଣତି ପୂର୍ବରୁ ବଢ଼ିବାରେ ଲାଗିଛି ନେତାଙ୍କ ହାର୍ଟବିଟ୍ସ । ନିର୍ବାଚନ ଜିତିବା ପାଇଁ ଦିନ ରାତି ଏକ କରି ଦେଇଥିବା ନେତାଙ୍କୁ ଘାରିଛି ଜିତିବା ହାରିବା ଚିନ୍ତା । ବିଶେଷ କରି ଏକଜିଟ୍ ପୋଲ୍ ରିପୋର୍ଟ ନେତାଙ୍କ ନିଦ ହଜାଇ ଦେଇଛି । ଯେଉଁ ପ୍ରାର୍ଥୀଙ୍କ ବିପକ୍ଷରେ ବୁଥ ବାହୁଡ଼ା ମତ ଆସିଛି, ସେମାନଙ୍କ ମନରେ ହତାଶା ଖେଳିଯାଇଛି । ଯେଉଁମାନଙ୍କ ସପକ୍ଷରେ ରହିଛି ଏକଜିଟ୍ ପୋଲ୍ ରିପୋର୍ଟ, ସେମାନେ ବେଶ୍ ଉତ୍ସାହିତ ହୋଇ ପଡିଛନ୍ତି ।

ରାତି ପାହିଲେ ଖୋଲା ହେବ ଇଭିଏମ୍, ଆସିବ ଜନତା ଜନାର୍ଦ୍ଦନଙ୍କ ରାୟ । ଏହାକୁ ନେଇ ଜନତାଙ୍କ ମଧ୍ୟରେ ଯେତିକି ଉକ୍ରଣ୍ଠା ବଢ଼ୁଛି, ସେହି ଅନୁସାରେ ନେତାଙ୍କ ଛାତି ବି ଧଡ଼ଧଡ଼ ହେଉଛି । କାରଣ ନିର୍ବାଚନ ପାଇଁ ଦୀର୍ଘ ଦିନ ଧରି ଯେଉଁ କସରତ କରିଥିଲେ, ତା’ର ହିସାବ ନିକାଶ ହୋଇଯିବ ଆସନ୍ତାକାଲି । ତେବେ ଜନାଦେଶ ଆସିବା ପୂର୍ବରୁ ଏକଜିଟ୍ ପୋଲ୍ ରିପୋର୍ଟକୁ ନେଇ ବଦଳିଯାଇଛି ନେତାଙ୍କ ବଡି ଲାଙ୍ଗୁଏଜ୍ । କେବଳ ନେତାଙ୍କ ବଡି ଲାଙ୍ଗୁଏଜ୍ ନୁହେଁ, ଫଳାଫଳ ଆସିବା ପୂର୍ବରୁ ସେମାନଙ୍କ ମତାମତ ମଧ୍ୟ ବଦଳି ଯାଇଛି । ରାଜନୀତିରେ ଜୟ ପରାଜୟ ନାହିଁ, ସବୁକିଛି ଲୋକଙ୍କ ଉପରେ ଛାଡ଼ିଦେଇଥିବା କହିଛନ୍ତି ବରିଷ୍ଠ ନେତା ଦାମ ରାଉତ ।

ପ୍ରଥମ ଥର ପାଇଁ ଆସନ ଭିତିରେ ଏକଜିଟ୍ ପୋଲ୍ କରି ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି ସମ୍ବାଦ ଓ କନକ ନ୍ୟୁଜ । ଏକଜିଟ୍ ପୋଲରେ ଯେଉଁ ନେତାଙ୍କ ହାରିବା ସମ୍ଭାବନା ଥିବା ଜଣାପଡ଼ିଛି, ସେମାନଙ୍କ ମଧ୍ୟରେ ନିରାଶା ସୃଷ୍ଟି ହୋଇଛି, ଆଉ ଯେଉଁମାନଙ୍କ ସପକ୍ଷରେ ବୁଥ ବାହାଡ଼ା ମତ ଆସିଛି ବେଶ୍ ଉତ୍ସାହିତ ହୋଇଛନ୍ତି ସେମାନେ ।

ଆସନ୍ତାକାଲି ଦିନ ଗଡ଼ିବା ସହ ଧୀରେ ଧୀରେ ସ୍ପଷ୍ଟ ହୋଇଯିବ କାହା ସପକ୍ଷରେ ରହିଛି ଜନମତ । ସବୁ ପ୍ରକାର ଆକଳନ, ପୂର୍ବାନୁମାନ, ଆଲୋଚନା, ସମୀକ୍ଷା, ତର୍କ ଓ ବିତର୍କକୁ ପଛରେ ପକାଇ ଆସିବ ଜନତାଙ୍କ ରାୟ । ଏଗଜିଟ୍ ପୋଲ୍ ସ୍ଥାନରେ ଏଗଜାଟ୍ ରେଜଲ୍ଟକୁ ନେଇ ଆରମ୍ଭ ହେବ ଚର୍ଚ୍ଚା ।