ସମ୍ବଲପୁରରେ ପ୍ରଚାର ସରଗରମ । ଘର ଘର ବୁଲି ଭୋଟ ମାଗୁଛନ୍ତି କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଶ୍ୱିନୀ ପୁଜାହାରୀ

ବିଜେଡିର ରାସେଶ୍ୱରୀ ଓ ବିଜେପିର ଜୟନାରାୟଣ ମିଶ୍ର ସହ ହେଉଛି ଟକ୍କର

230

କନକ ବ୍ୟୁରୋ: ସମ୍ବଲପୁରରେ ପ୍ରଚାର ସରଗରମ ହୋଇଛି । ବିଧାନସଭାରେ ଏଠାରେ ତ୍ରିମୁଖୀ ଲଢେଇ ହେବାର ଅନୁମାନ କରାଯାଉଛି । ସମ୍ବଲପୁର ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ରାସେଶ୍ୱରୀ ପାଣିଗ୍ରାହୀ । ବିଜେପିର ଜୟ ନାରାୟଣ ମିଶ୍ର ଓ କଂଗ୍ରସରୁ ଅଶ୍ୱିନୀ ପୁଜାହାରୀ ପ୍ରାର୍ଥୀ ହୋଇଛି । ତିନି ଦଳର ପ୍ରାର୍ଥୀ ଯୋରଦାର ପ୍ରଚାର ଚଲାଇଛନ୍ତି । ବିଜେଡି ପ୍ରାର୍ଥୀ ରାସେଶ୍ୱରୀ ପାଣିଗ୍ରାହୀ ବିକାଶକୁ ମୁଖ୍ୟ ପ୍ରସଙ୍ଗ କରି ସମର୍ଥକଙ୍କ ସହ ନିର୍ବାଚନ ମଣ୍ଡଳିରେ ପ୍ରଚାର କରୁଛନ୍ତି । ସେପଟେ ଅଶ୍ୱିନୀ ପୁଜାହାରୀ ଡୋର ଟୁ ଡୋର କ୍ୟାମ୍ପେନ କରୁଛନ୍ତି । ସେହିପରି ଜୟନାରାୟଣ ମିଶ୍ର ଗାଁ, ସାହିରେ ଜନସଭା ସହ ରାଲି କରି ଭୋଟରଙ୍କ ସମର୍ଥନ ମାଗୁଛନ୍ତି ।

ତେବେ ସମଗ୍ର ରାଜ୍ୟରେ ପ୍ରଥମ ଥର ଲାଗି ଏଥର ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଲାଗିଛି ଜଣେ ଶିକ୍ଷୟିତ୍ରୀ ଓ ତାଙ୍କର ଜଣେ ଛାତ୍ରଙ୍କ ମଧ୍ୟରେ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା। ଛାତ୍ରଜଣକ ହେଉଛନ୍ତି ‘ବୀର ସୁରେନ୍ଦ୍ର ସାଏ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ୍ ରିସର୍ଚ’ (ଭିମ୍ସାର୍) ପୂର୍ବତନ ନିର୍ଦେଶକ ତଥା କଂଗ୍ରେସ ପ୍ରାର୍ଥୀ ଡାକ୍ତର ଅଶ୍ୱିନୀ ପୂଜାହାରୀ। ସେ ନିର୍ବାଚନ ଲଢୁଛନ୍ତି ବିଜେଡି ପ୍ରାର୍ଥୀନୀ ତଥା ତାଙ୍କର ଶିକ୍ଷୟିତ୍ରୀ ରାସେଶ୍ୱରୀ ପାଣିଗ୍ରାହୀଙ୍କ ବିପକ୍ଷରେ। ଉଭୟ ଡାକ୍ତର ଏବଂ ରାଜନୀତିକୁ ଆସିବା ପୂର୍ବରୁ ସେମାନେ ବୃତ୍ତିଗତ ଜୀବନରେ ସୁନାମ ଅର୍ଜନ କରିଥିଲେ।

ରାଶେସ୍ୱରୀ ଏବେ ସମ୍ବଲପୁର ବିଧାନସଭା ଆସନର ବିଧାୟିକା ଅଛନ୍ତି। ଅଶ୍ୱିନୀ ପୂଜାହାରୀ ନୂଆ ହେଲେ ବି ଲୁଣ ଚିକିତ୍ସା ଯୋଗୁଁ ସେ ଚର୍ଚ୍ଚାକୁ ଆସିଥିଲେ। ବର୍ତ୍ତମାନ ‘ଭିମ୍ସାର୍’ ହୋଇଥିବା ‘ଭି. ଏସ୍. ଏସ୍. ମେଡିକାଲ୍ କଲେଜ୍ ଆଣ୍ଡ୍ ହସ୍ପିଟାଲ୍’ରେ ପୂଜାହାରୀ ୧୯୭୫-୮୦ ମସିହାରେ ଏମ୍ବିବିଏସ୍ ପଢୁଥିବା ବେଳେ ପାଣିଗ୍ରାହୀ ତାଙ୍କର କନିଷ୍ଠ ଶିକ୍ଷୟିତ୍ରୀ ଥିଲେ। ସ୍ଥାନୀୟ ବିଧାୟିକା ତାଙ୍କ କାମରେ ହସ୍ତକ୍ଷେପ କରୁଛନ୍ତି ଏବଂ ଓଡ଼ିଶା ସରକାରଙ୍କ ଉଦାସୀନତାରେ ଅପମାନିତ ହୋଇ ପୂଜାହାରୀ ଗତ ଫେବ୍ରୁଆରି ମାସରେ ଚାକିରିରୁ ଇସ୍ତଫା ଦେଇଥିଲେ। ରାଜ୍ୟର ମେଡିକାଲ କଲେଜଗୁଡ଼ିକରେ ହେଉଥିବା ଦୁର୍ନୀତି ହଟାଇବାକୁ ପ୍ରଶାସନିକ ଧାରା ବିରୋଧରେ ଲଢ଼େଇ କରିବାକୁ ସେ ସେବେଠାରୁ ନିଷ୍ପତ୍ତି ନେଇଥିଲେ।କିଛି ଦିନ ତଳେ ସେ ରାଜନେତା ପାଲଟି ମାର୍ଚ ୨୪ ତାରିଖରେ ଭୁବନେଶ୍ୱର ଠାରେ କଂଗ୍ରେସ ପାର୍ଟିରେ ଯୋଗ ଦେଇଥିଲେ।