ଆରମ୍ଭ ହେଲା ପାଟକୁରା ଲଢେଇ । ଗାଁ ଗାଁରେ ପହଞ୍ଚିଲେଣି ନେତା । ଭୋଟରଙ୍କୁ ମନାଇବାକୁ ଚାଲିଛି ପ୍ରୟାସ

ବିଜେଡି, ବିଜେପି ମଧ୍ୟରେ କଡା ଟକ୍କର

227

କନକ ବ୍ୟୁରୋ: ଆରମ୍ଭ ହେଲା ପାଟକୁରା ଲଢେଇ । ଗାଁ ଗାଁରେ ପହଞ୍ଚିଲେଣି ନେତା । ଭୋଟରଙ୍କୁ ମନାଇବାକୁ ଦଳ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଯାଇଛି । ବିଜେଡି, ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ଚଳିତ ମାସ ୨୦ ତାରିଖରେ ପାଟକୁରା ବିଧାନସଭା ଆସନପାଇଁ ନିର୍ବାଚନ ହେବ । ଭୋଟଗଣତି ୨୪ ତାରିଖରେ ହେବ । ୨୬ ତାରିଖ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ସରିବ । ବିଜେଡି ପ୍ରାର୍ଥୀଙ୍କ ପରଲୋକ ଓ ଫୋନି ଯୋଗୁଁ ଦୁଇ ଦୁଇ ଥର ପାଟକୁରା ନିର୍ବାଚନକୁ ଘୁୁଞ୍ଚାଯାଇଥିଲା । ପ୍ରଥମେ ପାଟକୁରା ନିର୍ବାଚନ ଏପ୍ରିଲ ୨୯ ତାରିଖରେ ହେବାର ଥିଲା ।

କିନ୍ତୁ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ପରଲୋକ ଯୋଗୁଁ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ପରେ ମେ ୧୯ ତାରିଖରେ ନିର୍ବାଚନ ହେବ ବୋଲି ନିର୍ବାଚନ କମିଶନ ଘୋଷଣା କରିଥିଲେ । କିନ୍ତୁ ଫୋନି ଯୋଗୁଁ ପୁଣି ନିର୍ବାଚନକୁ ଘୁଞ୍ଚାଯାଇଥିଲା । ପାଟକୁରା ଉପନିର୍ବାଚନ ପାଇଁ ବିଜେପିରୁ ବିଜୟ ମହାପାତ୍ର ଲଢୁଥିବାବେଳେ ବିଜେଡିରୁ ସାବିତ୍ରୀ ଅଗ୍ରୱାଲ ଲଢୁଛନ୍ତି ।

ସାବିତ୍ରୀ ଅଗ୍ରୱାଲ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ବେଦପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ । ମୈଦାନରେ କଂଗ୍ରେସ ପ୍ରାର୍ଥୀ ବି ଅଛନ୍ତି । ଏହି ଆସନ ଉଭୟ ବିଜେଡି ଓ ବିଜେପି ପାଇଁ ବିଶେଷ କରି ବିଜୟ ମହାପାତ୍ରଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ୨୦ ବର୍ଷ ପରେ ବିଜୟ ମହାପାତ୍ର ବିଧାନସଭା ଆସିବାକୁ ଲକ୍ଷ୍ୟ ରଖିଛନ୍ତି ।