କନକ ବ୍ୟୁରୋ: ନିଶା ବେପାରୀଙ୍କୁ ତଡ଼ିପାର୍ କରିବା ପାଇଁ ଚାଲିଥିବା ସ୍ବତନ୍ତ୍ର ଅଭିଯାନକୁ ସଫଳ କରିବା ପାଇଁ ଆଉ ପାଦେ ଆଗକୁ ଯାଇଛି କମିସନରେଟ୍ ପୁଲିସ। ଏହି ଅଭିଯାନରେ ତିନି ସପ୍ତାହରେ ୩୦ଟି ମାମଲା ହୋଇଥିବା ବେଳେ ୫୦ଜଣ ନିଶା ବେପାରୀ ଗିରଫ ହୋଇଛନ୍ତି। ଗିରଫ ବେପାରୀଙ୍କ ମଧ୍ୟରୁ ୯୦ ପ୍ରତିଶତରୁ ଅଧିକ ସରକାରୀ ଜାଗା ମାଡ଼ି ବସି ରହୁଛନ୍ତି। ଏଣୁ ସେମାନଙ୍କୁ ସରକାରୀ ଜାଗାରୁ ଉଚ୍ଛେଦ କରିବା ପାଇଁ ବିଡିଏକୁ ଚିଠି ଲେଖିଛନ୍ତି ଡିସିପି ଅନୁପ କୁମାର ସାହୁ। ଏ ନେଇ ବିଡିଏକୁ ଏକ ସ୍ବତନ୍ତ୍ର ତାଲିକା ପ୍ରଦାନ କରାଯାଇଛି। ତାଲିକାରେ ସରକାରୀ ଜାଗାରେ ରହୁଥିବା ପାଖାପାଖି ୪୦ଜଣ ନିଶା ବେପାରୀଙ୍କର ନାମ ରହିଛି। ନିଶା ବେପାର ଅଭିଯୋଗରେ ବାରମ୍ବାର ଗିରଫ ହୋଇ ଜାମିନରେ ଆସିବା ପରେ ପୁଣି ଥରେ ସେଇ ବେପାରରେ ଲାଗୁଥିବା ଅଧିକାଂଶ ବେପାରୀ ଏହି ତାଲିକାରେ ରହିଛନ୍ତି।

Advertisment

କମିସନରେଟ୍ ପୁଲିସ ଜାଣିବାକୁ ପାଇଛି, ଧରାପଡ଼ିଥିବା ବେପାରୀମାନଙ୍କ ମଧ୍ୟରୁ ଅଧିକାଂଶ ଭୁବନେଶ୍ବର ବାହାରର। କେତେକ ଏଠାରେ ସରକାରୀ ଜାଗା ମାଡ଼ି ବସି ଘର କରିଥିବା ବେଳେ ଆଉ କିଛି ସରକାରୀ ଜାଗାରେ ହୋଇଥିବା ଘରେ ଭଡ଼ାରେ ଅଛନ୍ତି। ଅପରାଧ ଘଟାଇବା ପରେ ଏମାନେ ଭୁବେନଶ୍ବର ବାହାରକୁ ଚାଲି ଯାଉଛନ୍ତି। ତେଣୁ ପ୍ରାଥମିକ ପର୍ଯ୍ୟାୟରେ ସରକାରୀ ଜାଗାରେ ଥିବା ଅଭିଯୁକ୍ତଙ୍କ ଘର ଉଚ୍ଛେଦ ପାଇଁ ଯୋଜନା ହୋଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଏମାନେ ଭଡ଼ା ରହୁଥିବା ଘର ମାଲିକ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାଯାଇଛି।

ସେହିଭଳି ଗିରଫ ଅଭ୍ୟାସଗତ ନିଶା ବେପାରୀଙ୍କର ଦଫା ୧୧୦ ବଳରେ ଶୁଣାଣି ହେବ। ତଡ଼ିପାର୍ ପାଇଁ ସିପିଙ୍କ କୋର୍ଟରେ ଶୁଣାଣି ହେବ। ଲଗାତାର ଡ୍ରାଇଭ୍ ହେବା ସହ ନୂଆ ବେପାରୀଙ୍କୁ ବ୍ୟବସାୟ ଆରମ୍ଭ କରିବାକୁ ଦିଆଯିବ ନାହିଁ। ଅନେକ ପୁରୁଣା ବେପାରୀ ଏହି ଡ୍ରାଇଭ୍ ଦେଖି ଆତ୍ମଗୋପନ କରିଥିବା ବେଳେ କେତେକ ସହର ଛାଡ଼ି ଚାଲି ଯାଇଛନ୍ତି। ପ୍ରସଙ୍ଗ ଥଣ୍ଡା ପଡ଼ିଗଲେ, ପୁଣି ଆସି ବେପାର କରିପାରନ୍ତି। ଏଥିପାଇଁ କମିସନରେଟ୍ ପୁଲିସ ସଜାଗ ରହିଛି।