“ଘରକୁ ଫେରିବା ବେଳେ ଅସୁବିଧାରେ ପଡିଲେ ‘ଭାଇ’ ଭାବି ମୋତେ ଫୋନ୍ କରିବ । ମୁଁ ସାହାଯ୍ୟ କରିବି ।” ସୋସିଆଲ ମିଡିଆରେ ସାହାଯ୍ୟ ଯାଚୁଥିବା ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ, ସତର୍କ କରାଇଲା ପୋଲିସ ।

1,532

କନକ ବ୍ୟୁରୋ : ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣାକୁ ନେଇ ସାରା ଦେଶ ସ୍ତବ୍ଧ ହୋଇଯାଇଛି । ମହିଳା ସୁରକ୍ଷାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଝିଅ ବାହାରକୁ ଯାଇଥିଲେ ନ ଫେରିବା ପର୍ଯ୍ୟନ୍ତ ପରିବାର ଲୋକ ଆଶା ଆଶଙ୍କାରେ ରହୁଛନ୍ତି । ଝିଅକୁ ରାତିରେ ବାହାରକୁ କେଉଁଆଡେ ପଠାଇବା ପୂର୍ବରୁ ହଜାରେ ଥର ଭାବୁଛନ୍ତି ପରିବାର ଲୋକ । ଏହିଭଳି ଦୁଷ୍କର୍ମ ଘଟଣା ପାଇଁ କେତେବେଳେ କିଏ ପୋଲିସକୁ ଦୋଷ ଦେଉଛି ତ ପୁଣି କିଏ ସରକାରକୁ । ଆଉ ଏଭଳି ସମୟରେ କିଛି ଯୁବକଙ୍କର ଏଭଳି ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯାହା ରାଜ୍ୟ ପୋଲିସର ମୁଣ୍ଡବ୍ୟଥାର କାରଣ ପାଲଟିଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଛି କିଛି ଯୁବକଙ୍କ ସାହାଯ୍ୟ ପୋଷ୍ଟ । “ଘରକୁ ଫେରିବା ବେଳେ ଯେତେବେଳେ କୌଣସି ଅସୁବିଧାରେ ପଡିବ ଭାଇ ଭାବି ମୋତେ ଫୋନ୍ କରିବ । ମୁଁ ସାହାଯ୍ୟ କରିବି । ସମେସ୍ତ ନିଜ ନିଜ ଅଞ୍ଚଳରେ ଏମିତି କରନ୍ତୁ ଯାହା ଫଳରେ କୌଣସି ଯୁବତୀ ଆଉ ଅସୁବିଧାର ସମ୍ମୁଖୀନ ହେବେ ନାହିଁ ।” ଏହିଭଳି ଲେଖା ଥିବା କିଛି ପୋଷ୍ଟ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ଏଥିରେ ଯୁବକ ମାନେ ନିଜ ମୋବାଇଲ ନମ୍ବର ଦେଇ ସାହାଯ୍ୟର ପ୍ରତିଶ୍ରୁତି ଦେଉଛନ୍ତି । ଯୁବକଙ୍କର ଏଭଳି ପ୍ରୟାସ ନିଶ୍ଚିତ ଭାବେ ପ୍ରଂଶସାଯୋଗ୍ୟ । କିନ୍ତୁ ସବୁ ଯୁବକ ଯେ ଭରସାଯୋଗ୍ୟ ତାହା ଭାବିବା ଭୁଲ । ତେଣୁ ଏଭଳି ପୋଷ୍ଟକୁ ନେଇ ସତର୍କ କରାଇଛି କମିସନରେଟ ପୋଲିସ ।

ମୋବାଇଲ ନମ୍ବର ଦେଇ ସାହାଯ୍ୟର ହାତ ବଢାଉଥିବା ଯୁବକ ମନରେ ଯେ ସୈତାନ ପ୍ରବୃତ୍ତି ନ ଲୁଚି ରହିଥିବ ତାହା କିଏ କହିବ । ତେଣୁ ଏଭଳି ସୈତାନଙ୍କର ଶିକାର ହେବା ପୂର୍ବରୁ ସତର୍କ କରିଛି ପୋଲିସ । ଏଭଳି ପୋଷ୍ଟ ଉପରେ ଭରସା ନ କରିବାକୁ ପୋଲିସ ପକ୍ଷରୁ କୁହାଯାଇଛି । ବିପଦରେ ପଡିଥିଲେ ଏଭଳି ଯୁବକଙ୍କୁ କଲ୍ କରିବା ବଦଳରେ ୧୦୦ ନମ୍ବର ଡାଏଲ କରିବାକୁ କହିଛି ପୋଲିସ । ଯାହାଦ୍ୱାରା ପୋଲିସ ଆପଣଙ୍କ ନିକଟରେ ପହଞ୍ଚି ସହାୟତା କରିପାରିବ । ତେଣୁ ସୈତାନଙ୍କ ଚକ୍ରବ୍ୟୁହରେ ଫଶିବା ପୂର୍ବରୁ ଯୁବତୀଙ୍କୁ ଚେତାଇ ଦେଇଛି ପୋଲିସ ।