ଖୋଲିଲା ୧୦ ଲକ୍ଷ ଟଙ୍କା ଲୁଟର ରହସ୍ୟ ! ଝାରସୁଗୁଡା ଏସପି କହିଲେ ଟିକସ ଫାଙ୍କିବା ପାଇଁ ରଚାଯାଇଥିଲା ପୁରା ନାଟକ

୨ ଦିନ ତଳେ ବାଇପାସରୁ ବନ୍ଧୁକ ଦେଖାଇ ଟଙ୍କା ଲୁଟର ଅଭିଯୋଗ କରିଥିଲେ ବ୍ୟବସାୟୀ

733

କନକ ବ୍ୟୁରୋ: ଖୋଲିଲା ଝାରସୁଗୁଡାରୁ ୧୦ ଲକ୍ଷ ଟଙ୍କା ଲୁଟର ରହସ୍ୟ । ମାତ୍ର ୪୮ ଘଂଟା ଭିତରେ ଲୁଟର ପର୍ଦ୍ଦାଫାଶ କରିଛନ୍ତି ଝାରସୁଗୁଡା ଏସପି । ଗତ ୧୧ ତାରିଖରେ ଝାରସୁଗୁଡା ବାଇପାସରୁ ବନ୍ଧୁକ ଦେଖାଇ ଦୁର୍ବୃତ ବ୍ୟବସାୟୀଙ୍କଠାରୁ ୧୦ ଲକ୍ଷ ଟଂକା ଲୁଟ୍ ହୋଇଥିବା ନେଇ ଅଭିଯୋଗ କରିଥିଲେ । ଏହି ଘଟଣାର ଛାନଭିନ୍ କରିବା ବେଳେ ପୋଲିସ ସିସିଟିଭି ଭିଜୁଆଲକୁ ଛାନଭିନ୍ କରିବା ସହ ଶଙ୍କର କେଡିଆ ଓ ଗୋଦାମର କର୍ମଚାରୀଙ୍କୁ ତଦନ୍ତ ପରିସରକୁ ଆଣିଥିଲା । ସମସ୍ତଙ୍କ ବୟାନରେ ରହିନଥିଲା ତାଳମେଳ । ଶେଷରେ ଏହା ଟିକସ ଫାଙ୍କିବା ପାଇଁ ଏକ ପ୍ରାୟୋଜିତ ନାଟକ ଥିଲା ପୋଲିସ ନିକଟରେ ସ୍ୱୀକାର କରିଥିଲେ ବ୍ୟବସାୟୀ ଶଙ୍କର କେଡିଆ ।

ଝାରସୁଗୁଡା ଏସପିଙ୍କ କହିବା ଅନୁଯାୟୀ ଅଭିଯୋଗକାରୀ ଶ୍ରେୟା ଟ୍ରେଡର୍ସର ମାଲିକ ଶଙ୍କର କେଡିଆ ଅଭିଯୋଗ କରିଥିଲେ ଯେ ଗୁରୁବାର ଅପରାହ୍ଣ ସାଢ଼େ ଗୋଟାଏ ବେଳେ ୩ ଜଣ ଯୁବକ ଏକ କଳା ପଲ୍ସର ଆସିଥିଲେ। ଜଣେ ବାହାରେ ଛିଡ଼ା ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୋଦାମ ଭିତରକୁ ପଶି ବନ୍ଧୁକ ଦେଖାଇ କାଉଣ୍ଟର୍ରେ ଥିବା ୧୦ ଲକ୍ଷ ୪୫ ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ। ଏହି ସମୟରେ ଗୋଦାମରେ କାମ କରୁଥିବା କର୍ମଚାରୀମାନେ ଖାଇବାକୁ ଯାଇଥିବା ସେ କହିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଥିଲା। ପୁଲିସ ପ୍ରଥମେ ବିଭିନ୍ନ ସ୍ଥାନରେ ଥିବା ସିସିଟିଭିର ଫୁଟେଜ୍କୁ ଅନୁଧ୍ୟାନ କରିଥିଲା। ସେହି ସମୟ ମଧ୍ୟରେ କେହି ହେଲମେଟ୍ ପିନ୍ଧା ଯୁବକ ଆସି ନଥିବା ଜାଣିବା ପରେ ପୁଲିସର ସନ୍ଦେହ ବଢ଼ିଥିଲା। ଟଙ୍କା ସଂପର୍କରେ ଶଙ୍କରକୁ ପଚାରି ବୁଝିଥିଲେ।

ଅଭିଯୋଗକାରୀ ଏହି ୧୦ ଲକ୍ଷ ୪୫ ହଜାର ଟଙ୍କା ୭ ଜଣ ଗ୍ରାହକଙ୍କୁ ପ୍ରଦାନ କରିଥିବା କହିଥିଲେ। ପୁଲିସ ସେହି ୭ ଜଣ ଗ୍ରାହକଙ୍କ ମଧ୍ୟରୁ ତାଲପଟିଆର ମହୋନ ସାହୁଙ୍କୁ ପଚାରିବାରୁ ସେ ଗତ ୧୧ ତାରିଖଠାରୁ ଗଙ୍ଗା ଯାଇଥିବା ବେଳେ ସେ କୌଣସି ଟଙ୍କା ପ୍ରଦାନ କରିନାହାନ୍ତି ବୋଲି କହିଥିଲେ। ଗୋଦାମର ମୁନସୀ ମଧ୍ୟ ପୁଲିସ ଆଗରେ ସ୍ବୀକାର କରିଛନ୍ତି ଯେ ଏତେ ଟଙ୍କା ଗୋଦାମରେ ନଥିଲା। ଶଙ୍କର ସେଦିନ ଖାଇବାକୁ ଯିବା ପାଇଁ କହି ଗୋଦାମରୁ ସମସ୍ତଙ୍କୁ ବାହାର କରି ଦେଇଥିଲା। ଏହି ଘଟଣାରେ ୯୦ ପ୍ରତିଶତ ମିଥ୍ୟା ଜଣାପଡ଼ିଥିବା ଏସ୍ପି କହିଛନ୍ତି। ଏହା ଜଣାପଡ଼ିବା ପରେ ଆୟକର ଫାଙ୍କିବା ପାଇଁ ଏପରି କରିଥିବା ଶଙ୍କର ଏସ୍ପିଙ୍କ ସମ୍ମୁଖରେ ସ୍ବୀକାର କରିଛି। ଏହି ମାମଲାର ତଦନ୍ତ ରିପୋର୍ଟ ମିଳିବା ପରେ ଅଭିଯୋଗକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠନ ହେବ ବୋଲି ଏସ୍ପି ସୂଚନା ଦେଇଛନ୍ତି।