ଝୁଲନ୍ତା ଶବର ଅକୁହା କାହାଣୀ । ରାଇରଙ୍ଗପୁର ଅଧ୍ୟାପିକାଙ୍କୁ ଦୁଷ୍କର୍ମ ପରେ ଆତ୍ମହତ୍ୟା ଘଟଣା, କଣ ଥିଲା ଆତ୍ମହତ୍ୟା ପଛର କାରଣ?

1,012

କନକ ବ୍ୟୁରୋ : ରାଇରଙ୍ଗପୁର ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପିକାଙ୍କ ଆତ୍ମହତ୍ୟା ମାମଲା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଦୁଷ୍କର୍ମ ଅଭିଯୋଗ ହେବା ପରେ ବି ଝାରପୋଖରିଆ ପୋଲିସ ଅବହେଳା ପ୍ରଦର୍ଶନ କରିଥିବାରୁ ତଦନ୍ତକାରୀ ଅଧିକାରୀ ଓ ଆଇଆଇସିକୁ ନିଲମ୍ବନ କରାଯାଇଛି । ସେପଟେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିବା ସହ କ୍ଲାସ ବର୍ଜନ କରିଥିଲେ ରାଇରଙ୍ଗପୁର ମହାବିଦ୍ୟାଳୟର ଛାତ୍ରଛାତ୍ରୀ । ଛାତ୍ରୀନିବାସରେ ସିକ୍ୟୁରିଟି ଗାର୍ଡ ନିଯୁକ୍ତି ପାଇଁ ମୟୁରଭଂଜ ଏସପିଙ୍କୁ ଦାବିପତ୍ର ଦେଇଛନ୍ତି । ଏସପି ପରମାର ସ୍ମିଥ୍ ମହାବିଦ୍ୟାଳୟରେ ପହଁଚି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି, ଆଉ ତିନି ଜଣଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଏସପି ।

ଏହା ଏମିତି ଏକ ହୃଦୟ ବିଦାରକ କାହାଣୀ, ଯାହାକୁ ଶୁଣିଲେ ଆପଣ ବିଚଳିତ ହୋଇପଡ଼ିବେ । ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନର ଅଧ୍ୟାପିକା । ମେଧାବୀ ଥିବାରୁ ପିଲାଟି ବେଳୁ ସମସ୍ତଙ୍କର ଥିଲେ ପ୍ରିୟପାତ୍ରୀ । ହେଲେ ତାଙ୍କ ଜୀବନରେ ଏପରି କିଛି ଘଟଣା ଘଟିଲା, ଶେଷରେ ଆତ୍ମହତ୍ୟା ବାଟ ବାଛିନେଲେ ଅଧ୍ୟାପିକା । ୩୦ ନଭେମ୍ବର, ରାତି ପ୍ରାୟ ୮ଟା । ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ଛାତ୍ରୀନିବାସର ରୁମ ନମ୍ବର ୮ । ରାତ୍ରିଭୋଜନ ପାଇଁ ଅଧ୍ୟାପିକାଙ୍କୁ ଡାକିଥିଲେ ହଷ୍ଟେଲ୍ ମାଟ୍ରନ । ବାରମ୍ବାର କବାଟ ବାଡେଇ ଡାକିବା ପରେ କୌଣସି ଉତର ମିଳିନଥିଲା । ଏହା ପରେ ଯାହା ଦେଖିବାକୁ ମିଳିଲା, ମାଟ୍ରନ ଓ ହଷ୍ଟେଲରେ ରହୁଥିବା ଛାତ୍ରୀଙ୍କ ହୋସ ଉଡି ଯାଇଥିଲା । ଘର ଭିତରେ ଫ୍ୟାନରେ ଝୁଲୁଥିଲା ଅଧ୍ୟାପିକାଙ୍କ ମୃତଦେହ ।

ଦୃଢ଼ମନା ଓ ଉଚ୍ଚଶିକ୍ଷିତା ହେବା ସତ୍ୱେ କାହିଁକି ଆତ୍ମହତ୍ୟା କଲେ ଅଧ୍ୟାପିକା । ଏହି କାହାଣୀ, ଯେତିକି ଦୁଃଖଦାୟକ, ସେତିକି ସନ୍ଦେହଜନକ । ପ୍ରାୟ ମାସକ ତଳେ କେନ୍ଦୁଝରରେ ରହୁଥିବା ସଂପର୍କୀୟ ଭାଉଜଙ୍କ ଘରକୁ ଯାଇଥିଲେ ଅଧ୍ୟାପିକା । ସେଠାରେ ଦୁଷ୍କର୍ମର ଶିକାର ହୋଇଥିବା ସେ ଅଭିଯୋଗ କରିଥିଲେ । ଆଉ କେହି ନୁହେଁ, ଦୁଷ୍କର୍ମ ଅଭିଯୁକ୍ତ ଥିଲେ ଭାଉଜଙ୍କ ଭାଇ ସୌମ୍ୟରଂଜନ ସାହୁ । ଏ ନେଇ ଝାରପୋଖରିଆ ଥାନାରେ ଏତଲା ଦେଇଥିଲେ । ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା ପୋଲିସ ।

ଗୋଟିଏ ପଟେ ପୋଲିସର ନିଷ୍କ୍ରିୟତା, ଅନ୍ୟପଟେ ଅଭିଯୁକ୍ତ ସୌମ୍ୟରଂଜନ ସାହୁ, ଦୁଷ୍କର୍ମ ଭିଡିଓ ଭାଇରାଲ କରିବା ସହ ତାଙ୍କୁ ଜୀବନରୁ ମାରି ଦେବାକୁ ଦେଉଥିଲା ଧମକ । ଶେଷରେ ଲୋକଲଜ୍ଜା ଓ ସାମାଜିକ ଅପବାଦ ଭୟରେ ମାନସିକ ଭାରସ୍ୟମ ହରାଇ ବସିଲେ ଅଧ୍ୟାପିକା । ବାଛିନେଲେ ଆତ୍ମହତ୍ୟାର ବାଟ । ତେବେ ଏହା ଆତ୍ମହତ୍ୟା ନୁହେଁ, ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି ପରିବାର ।

ନ୍ୟାୟ ଆଶାରେ ଦୁଷ୍କର୍ମ ପୀଡିତା ଓ ତାଙ୍କ ପରିବାର ବାରମ୍ବାର ଥାନାକୁ ଦୌଡ଼ୁଥିବା ବେଳେ ଝାରପୋଖରିଆ ପୋଲିସ ଘଟଣାକୁ ଆଦୌ ଗୁରୁତ୍ୱ ଦେଇନଥିଲା । ଆଧ୍ୟାପିକାଙ୍କ ମୃତ୍ୟୁ ପରେ ନିଦ ଭାଙ୍ଗିଥିଲା ପୋଲିସର । ୩ ଅଭିଯୁକ୍ତକୁ ଗିରଫ କରିବା ସହ ତଦନ୍ତକାରୀ ଅଧିକାରୀ ଓ ଝାରପୋଖରିଆ ଆଇଆଇସିକୁ ନିଲମ୍ବନ କରାଯାଇଛି । ଆଉ ୩ ଜଣ ଅଭିଯୁକ୍ତକୁ ଖୋଜୁଛି ପୋଲିସ । ଗୋଟିଏ ପଟେ ସରକାରଙ୍କ ଫାଇଭ-ଟି ଓ ମୋ ସରକାର ଯୋଜନା । ଯେଉଁଠି ଥାନାରେ ଅଭିଯୋଗ ଆସିବା ପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ଦୁଷ୍କର୍ମ ପୀଡ଼ିତାଙ୍କ ଅଭିଯୋଗକୁ ଥାନାବାବୁଙ୍କ ବେଖାତିର । ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣା ପୂରା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନଚିହ୍ନ ଲଗାଇ ଦେଇଛି ।