ଅମାନିଆଙ୍କୁ ବାନ୍ଧିଲା ପୁଲିସ୍: ଲକଡାଉନ୍ ନିୟମ ଉଲ୍ଲଂଘନ କରି ୨୨ ଦୋକାନୀ ଗିରଫ; ତାଲାବନ୍ଦ ସତ୍ୱେ ଦୋକାନ ଖୋଲି ଜମାଉଥିଲେ ଭିଡ଼

ଭଦ୍ରକରେ ୧୬ ଓ ମାଲକାନଗିରିରେ ୬ ଜଣ ଦୋକାନୀ ଗିରଫ

3,244

କନକ ବ୍ୟୁରୋ: ରାଜ୍ୟରେ ବଢି ଚାଲିଛି ଲକଡାଉନ ଆଇନ ଉଲ୍ଲଂଘନକାରୀଙ୍କ ସଂଖ୍ୟା । ଲକଡାଉନ୍ ନିୟମ ଉଲ୍ଲଂଘନ କରି ୨୨ ଦୋକାନୀଙ୍କୁ ଗିରଫ କରିଛି ପୁଲିସ୍ । ତେବେ ଲକଡାଉନ୍ ସତ୍ୱେ ଦୋକାନ ଖୋଲି ଭିଡ଼ ଜମାଉଥିିବା ଅଭିଯୋଗରେ ଭଦ୍ରକରେ ୧୬ ଓ ମାଲକାନଗିରିରେ ୬ ଜଣ ଦୋକାନୀଙ୍କୁ ଗିରଫ କରିଛି ପୁଲିସ୍ ।

ଅନ୍ୟପଟେ, କରୋନାର ଭୟାବହତାକୁ ନଜରରେ ରଖି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ତାଲାବନ୍ଦ ଘୋଷଣା କରାଯାଇଛି । ଏପରିକି ଲକଡାଉନ କଟକଣାକୁ ଅବମାନନା କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ମାତ୍ର ସରକାରଙ୍କ କଟକଣାକୁ ଫୁ କରି ଦେଉଛନ୍ତି ଲୋକେ । ଆଉ ଏଭଳି ଅମାନିଆ ଲୋକଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିଛି । ତେବେ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ସତ୍ୱେ ଉଲ୍ଲଂଘନକାରୀଙ୍କ ସଂଖ୍ୟା ବଢି ଚାଲିଥିବା ଖବର ସାମ୍ନାକୁ ଆସିଛି ।

ଏଠାରେ ଆମେ କହି ରଖୁଛୁ ଯେ, କରୋନା ସଂକ୍ରମଣ ରୋକିବା ପାଇଁ ତାଲାବନ୍ଦ କଟକଣା ଜାରି କରାଯାଇଛି । ଅତି ଆବଶ୍ୟକ ନହେଲେ ଲୋକେ ଘରୁ ନବାହାରକୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି । ସେହିପରି ଅତ୍ୟାବଶ୍ୟକ ସେବାକୁ ଛାଡିଦେଲେ ସବୁ କିଛି ବନ୍ଦ କରି ଦେଇଛନ୍ତି ସରକାର । ଏପରିକି ସାଧାରଣ ପରିବହନରେ ବି କଟକଣା ଲଗାଯାଇଛି । ଟାକ୍ସି ଓ ଅଟୋ ରିକ୍ସା ଚଳାଚଳ ଉପରେ ରୋକ୍ ଲାଗିଥିବା ବେଳେ ସହର ସହର ମଧ୍ୟରେ ବସ୍ ଚଳାଚଳ ମଧ୍ୟ ବନ୍ଦ କରିଦିଆଯାଇଛି । ସେହିପରି ଗ୍ରୋସରୀ, ପରିବା, ମାଛ, ମାଂସ, ଅଣ୍ଡା ଆଦି ଦୋକାନ ଖୋଲା ରହିବ ଓ ଏହାର ପରିବହନ କାର୍ଯ୍ୟ ମଧ୍ୟ ଜାରି ରହିବ । ମେଡିସନ୍ ଓ ଚିକିତ୍ସା ଉପକରଣ ଦୋକାନ ଖୋଲା ରହିବ । ପେଟ୍ରୋଲ ପମ୍ପ, ଗ୍ୟାସ ଏଜେନ୍ସୀ ଓ ଏହାର ଗୋଦାମ ଖୋଲା ରହିବ, ପରିବହନ ମଧ୍ୟ ଜାରି ରହିବ ମଧ୍ୟ କୁହାଯାଇଛି । ତେବେ ନିୟମକୁ ଉଲଂଘନ କରି ଯେଉଁମାନେ ଜନଜୀବନ ପ୍ରତି ବିପଦ ଆଣିବେ, ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ସରକାର ।