ଦଫା ଲାଗିଲା ଫାଶୀ ଦଣ୍ଡର । ପୁରୀ ଗଣଦୁଷ୍କର୍ମ ମାମଲାର ଅଭିଯୁକ୍ତଙ୍କୁ ମିଳିବନି ତ୍ରାହି, ୨୦ ଦିନ ଭିତରେ ଫାଇଲ ହେବ ଚାର୍ଜସିଟ୍ ।

812

କନକ ବ୍ୟୁରୋ : ପୁରୀ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ସଙ୍ଗୀନ ଦଫା ଲଗାଇଲା ପୋଲିସ । ପକସୋ ଆଇନର ଧାରା-୬କୁ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ ଲାଗୁ କରାଯାଇଛି । ଏହି ଧାରା ଅନୁସାରେ, ଅଭିଯୁକ୍ତ ଦୋଷୀ ପ୍ରମାଣିତ ହେଲେ ଫାଶୀ ଦଣ୍ଡର ବ୍ୟବସ୍ଥା ରହିଛି । ମାମଲାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଆଜି ପୁରୀ ପୋଲିସ ପକ୍ଷରୁ ୨୦ ଦିନ ଭିତରେ ତଦନ୍ତ କରି ଚାର୍ଜସିଟ୍ ଦାଖଲ କରିବାକୁ ନିଷ୍ପତି ହୋଇଛି । ଅଭିଯୁକ୍ତମାନଙ୍କୁ କିଭଳି ଅଧିକରୁ ଅଧିକ ଦଣ୍ଡ ମିଳିବ ସେଥିପାଇଁ ଆବଶ୍ୟକ ତଥ୍ୟ ପ୍ରମାଣ ଯୋଗାଡରେ ଲାଗିଛି ପୋଲିସ ।

ଯେତେବେଳେ ହାଇଦ୍ରାବାଦରେ ଜଣେ ଡାକ୍ତରଙ୍କୁ ଦୁଷ୍ମର୍ମ ପରେ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ପ୍ରତିବାଦର ନିଆଁ ଜଳୁଛି, ଠିକ୍ ସେମିତି ବେଳେ ପୁରୀରେ ଗଣଦୁଷ୍କର୍ମ ଭଳି ସାଂଘାତିକ୍ ଘଟଣା ଜଳୁଥିବା ଏହି ନିଆଁରେ ଘିଅ ଢାଳି ଦେଇଛି । ଆଉ ଏଭଳି ସମ୍ବେଦନଶୀଳ ଘଟଣାକୁ ବେଶ ଗୁରୁତର ସହ ନେଇଛି ପୁଲିସ୍ ।
ପୁରୀ ଗଣଦୁଷ୍କର୍ମ ଘଟଣା ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର କୁମାର ସେଠୀ ଏବଂ ତାର ସହଯୋଗୀ ରାଜେଶ ସେଠୀଙ୍କୁ ପୁଲିସ୍ କୋର୍ଟ ଚାଲାଣ କରିଥିବା ବେଳେ ତାଙ୍କ ବିରୋଧରେ ଲାଗିଛି ପକସୋ ଆଇନର ୬ ଧାରା । ଏହି ଧାରା ଅନୁସାରେ ଅଭିଯୁକ୍ତ ଦୋଷୀ ପ୍ରମାଣିତ ହେଲେ ଫାଶିଖୁଂଟରେ ଝୁଲିବେ । ଏହା ସହିତ
-ଆଇପିସି ଧାରା ୩୬୩ ଅର୍ଥାତ୍ ବଳପୂର୍ବକ ଅପହରଣ । ଦଣ୍ଡ ବ୍ୟବସ୍ଥା- ସର୍ବାଧିକ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଓ ଜରିମାନା
– ଆଇପିସି ଧାରା ୩୭୬ ଡିଏ ଅର୍ଥାତ୍ ନାବାଳିକାକୁ ଦୁଷ୍କର୍ମ ଓ ଗଣଦୁଷ୍କର୍ମ । ଦଣ୍ଡ ବ୍ୟବସ୍ଥା-ଆଜୀବନ କାରାଦଣ୍ଡ
-ଆଇପିସି ଧାରା ୩୯୪ ଅର୍ଥାତ୍ ମାଡ ମାରିବା, ଆଘାତ ଦେବା ଓ ଡକାୟତି କରିବା । ଭଳି ସଂଗୀନ ମାମଲା ଲାଗିଛି । ଏହି ଧାରାରେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ବ୍ୟବସ୍ଥା ରହିଛି ।

ମାମଲାର ସମ୍ବେଦନଶୀଳତାକୁ ଆଖି ଆଗରେ ରଖି କେନ୍ଦ୍ରାଚଂଳ ଡିଆଇଜି କହିଛନ୍ତି-
– ୨୦ ଦିନ ଭିତରେ ତଦନ୍ତ କରି ଚାର୍ଜସିଟ୍ ଦାଖଲ କରିଯିବ
– ମାମଲାର ତୁରନ୍ତ ବିଚାର ପାଇଁ ଫାଷ୍ଟଟ୍ରାକ୍ କୋର୍ଟକୁ ଅନୁରୋଧ କରାଯିବ
-ପୀଡ଼ିତାଙ୍କୁ ଆଇନଗତ ସହାୟତା ଦେବା ପାଇଁ ସ୍ୱତନ୍ତ୍ର ଓକିଲ ଯୋଗଇ ଦିଆଯିବ
-ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇ ପ୍ରୟାସ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଏପଟେ ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ସହ ପୀଡ଼ିତାଙ୍କ ସୁରକ୍ଷା ପାଇଁ ପୁଲିସ୍ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ସେହିପରି ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା କରୁଛି ପୁଲିସ୍ । ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ସେ, ନିମାପଡ଼ାରୁ କାକଟପୁର ଯିବା ପାଇଁ ବସକୁ ଅପେକ୍ଷା କରିଥିବା ସମୟରେ ବହିଷ୍କୃତ ପୁଲିସ୍ କର୍ମଚାରୀ ଜିତେନ୍ଦ୍ର ସେଠୀ ଏବଂ ତାଙ୍କର ସହଯୋଗୀ, କାକଟପୁରରେ ଛାଡ଼ି ଦେବାକୁ କହି କାର୍ରେ ନେଇ ଯାଇଥିଲେ । ହେଲେ କାକଟପୁର ପରିବର୍ତେ ପୁରୀ ନେଇଯାଇଥିଲେ । ଏବଂ ପୁରୀରେ ଥିବା କ୍ୱାଟରରେ ଗଣଦୁଷ୍କର୍ମ କରିଥିଲେ ।