୪,୫୦୦ ଫୁଟ୍ ଉଚ୍ଚରେ ସିକ୍କିମର ପ୍ରଥମ ଏୟାରପୋର୍ଟ ! ପୋକୟାଙ୍ଗ ବିମାନବନ୍ଦରକୁ ଉଦଘାଟନ୍ କଲେ ପ୍ରଧାନମନ୍ତ୍ରୀ ।

74

କନକ ବ୍ୟୁରୋ : ଦୀର୍ଘ ବର୍ଷ ପରେ ପୁରଣ ହେଲା ସିକ୍କିମବାସୀଙ୍କ ସ୍ୱପ୍ନ । ୪ହଜାର ୫ଶହ ଫୁଟ ଉଚ୍ଚରେ ସିକ୍କିମର ପ୍ରଥମ ବିମାନ ବନ୍ଦରକୁ ଆଜି ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହ ଦେଶରେ ବିମାନ ବନ୍ଦରର ସଂଖ୍ୟା ଶହେରେ ପହଂଚିଛି । ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କେନ୍ଦ୍ର ମନ୍ତ୍ରୀ ସୁରେଶ ପ୍ରଭୁ ଉପସ୍ଥିତ ଥିଲେ । ବିମାନବନ୍ଦର ଉଦଘାଟନ ପରେ ମୋଦି ସେଠାରେ ଏକ ଜନସଭାକୁ ସମ୍ବୋଧିତ କରିଥିଲେ ।

ମୋଦି ନିଜ ଅଭିଭାଷଣରେ ସିକ୍କିମର ସୌନ୍ଦର୍ଯ୍ୟତା ଓ ପ୍ରାକୃତିକ ପରିବେଶକୁ ପ୍ରଶଂସା କରିଥିଲେ ଏବଂ କହିଥିଲେ ଆଜିର ଦିନ ସିକ୍କିମ ପାଇଁ ତଥା ଦେଶ ପାଇଁ ଏକ ଐତିହାସିକ ଦିନ । ସିକ୍କିମ ବିମାନବନ୍ଦରକୁ ମିଶାଇଲେ ପୁରା ଭାରତରେ ବିମାନବନ୍ଦର ସଂଖ୍ୟା ୧୦୦ରେ ପହଁଚିଛି । ସିକ୍କିମ ଏୟାରପୋର୍ଟ ଦ୍ୱାରା ବ୍ୟବସାୟ ପାଇଁ ଏକ ନୂଆ ବାଟ ଫିଟିଛି । ବ୍ୟବସାୟ ସହ ସିକ୍କିମ ପର୍ଯ୍ୟଟନର ମଧ୍ୟ ପ୍ରଚାର ପ୍ରସାର ହେବ । ସିକ୍କିମ ଏକ ପର୍ଯ୍ୟଟନସ୍ଥଳୀ । ଏଠାକୁ ଅଧିକରୁ ଅଧିକ ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି । ତେଣୁ ବିମାନବନ୍ଦର ଯୋଗୁଁ ଆହୁରି ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ୨୦୦୯ ମସିହାରେ ବିମାନବନ୍ଦର ପାଇଁ ଶିଳାନ୍ୟାସ କରାଯାଇଥିଲା । ତେବେ ଦୀର୍ଘ ୯ବର୍ଷ ପରେ ଆଜି ଏହାର ଉଦଘାଟନୀ ହୋଇଛି । ଗାଙ୍ଗଟକଠାରୁ ୩୩ କିଲୋମିଟର ଦୂରରେ ରହିଛି ଏହି ବିମାନବନ୍ଦର ।