କରୋନା ବେଳେ ନମୋଙ୍କ ନିଆରା ଅନ୍ଦାଜ । ବାତ୍ୟା ସମୀକ୍ଷା ସମୟରେ ସାମାଜିକ ଦୂରତା ମାନିଲେ, ହାତ ନମିଳାଇ ନମସ୍କାର କଲେ… ମୁହଁରେ ଗାମୁଛା ବାନ୍ଧି ଲୋକାଲ ଜିନିଷକୁ ଗ୍ଲୋବାଲ ପାଇଁ ପ୍ରଚାର କଲେ ପ୍ରଧାନମନ୍ତ୍ରୀ

332

କନକ ବ୍ୟୁରୋ: କରୋନା କାଳରେ ନମୋଙ୍କ ନିଆରା ଅନ୍ଦାଜ । ଅମ୍ଫାନ କ୍ଷୟକ୍ଷତି ସମୀକ୍ଷା ପାଇଁ ବାହାରିଲା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିନ୍ନ ଆଚରଣ । ଦୀର୍ଘ ୮୩ ଦିନ ପରେ ଦିଲ୍ଲୀରୁ ବାହାରେ ପାଦ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା ସଂକ୍ରମଣ ଯୋଗୁଁ ତାଲାବନ୍ଦ ଥିବା ବେଳେ ସେ ପ୍ରଥମ ଥର ପାଇଁ ଦିଲ୍ଲୀରୁ ବାହାରିଛନ୍ତିି । ଶୁକ୍ରବାର ସକାଳୁ ଯେତେବେଳେ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଗସ୍ତ ପାଇଁ ଦିଲ୍ଲୀ ବିମାବନ୍ଦରରେ ପହଂଚିଥିଲେ ମୋଦି, ଠିକ ସେହି ସମୟରେ ତାଙ୍କ ମୁହଁରେ ଗାମୁଛାକୁ ମାସ୍କ ଭାବେ ବ୍ୟବହାର କରିଥିଲେ । ସାମାଜିକ ଦୂରତାକୁ ବଜାୟ ରଖି କାହାସହ ହାତ ମିଳାଇ ନଥିଲେ ମୋଦି । ଏପରିକି ତାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାର ରଖୁଥିବା ଦେଖିବାକୁ ମିଳିଛି ।

ଏବେ ସମସ୍ତଙ୍କ ସହ ସାକ୍ଷାତର ଧାରା ମଧ୍ୟ ବଦଳାଇଛନ୍ତି ମୋଦି । ଯାହା ଶୁକ୍ରବାର ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗରେ ବିମାନରୁ ଓହ୍ଲାଇବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି, ରାଜ୍ୟପାଳ ଜଗଦୀପ ଧନଖଡ ଓ ଅନ୍ୟ ନେତାଙ୍କୁ ଦୂରରୁ ହିଁ ନମସ୍କାର କରିଥିଲେ ମୋଦି । ଆଉ ପଶ୍ଚିବମଙ୍ଗ ପରି ଓଡ଼ିଶାରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସମତେ ଅନ୍ୟ ବିଜେପି ନେତାଙ୍କୁ ଭେଟିଲାବେଳେ ସାମଜିକ ଦୂରତା ବଜାୟ ରଖିଥିଲେ ପ୍ରଧାନମନ୍ତ୍ରୀ ।

ତେବେ ଦେଶରେ ତାଲାବନ୍ଦ ହେବା ପୂର୍ବରୁ ଫେବୃୟାରୀ ୨୯ ତାରିଖରେ ଶେଷ ଥର ପାଇଁ ଉତ୍ତରପ୍ରଦେଶ ଗସ୍ତ କରିଥିଲେ ମୋଦି । ଏହାପରେ ଶୁକ୍ରବାର ଦିନ ଦିଲ୍ଲୀରୁ ବାହାରି ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଗସ୍ତ କରିଛନ୍ତି । ଯେଉଁ ସମୟରେ ସେ ସମ୍ପୂର୍ଣ୍ଣ ଭାବେ ନିଜ ଗାମୁଛାକୁ ମାସ୍କ ଭାବେ ବ୍ୟବହାର କରିବା ସହ ସାମାଜିକ ଦୂରତା ବଜାୟ ରଖିବାକୁ ଆଦୌ ଭୁଲିନଥିଲେ । ଅତି ଭୀଷଣ ବାତ୍ୟା ଅମ୍ଫାନରେ ବିଶେଷ ପ୍ରଭାବିତ ହୋଇଥିବା ଦୁଇଟି ରାଜ୍ୟର କ୍ଷୟକ୍ଷତି ଆକଳନ କରି ଫେରି ଯାଇଛନ୍ତି ମୋଦି । କରୋନାର ସଂକଟ ସମୟରେ କେନ୍ଦ୍ର ସରକାର ସମସ୍ତ ସହାୟତା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସେପଟେ ମୁହଁରେ ଗାମୁଛାକୁ ମାସ୍କ ଭାବେ ବ୍ୟବହାର କରି ଲୋକାଲକୁ ଗ୍ଲୋବାଲ କରିବାର ଯେଉଁ ନାରା ଦେଇଥିଲେ ତାର କାର୍ଯ୍ୟକାରୀ କରିଛନ୍ତି ପ୍ରଧାନମନ୍ତ୍ରୀ ।