ଝାଡଖଣ୍ଡ ସଭାରେ କଂଗ୍ରେସକୁ ଝାଡିଲେ ମୋଦି: କହିଲେ ଅଯୋଧ୍ୟା ବିବାଦକୁ ଜାଣିଶୁଣି ସମାଧାନ କରୁନଥିଲା କଂଗ୍ରେସ । ଘାରିଥିଲା ଭୋଟବ୍ୟାଙ୍କ ଭୟ

743

କନକ ବ୍ୟୁରୋ: ଅଯୋଧ୍ୟା ଜମି ବିବାଦ ପ୍ରସଙ୍ଗରେ ପୁଣିଥରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଛନ୍ତି, ବହୁବର୍ଷ ପୂର୍ବରୁ କଂଗ୍ରେସ ଅଯୋଧ୍ୟା ଜମି ବିବାଦର ସମାଧାନ କରିପାରିଥାନ୍ତା । କିନ୍ତୁ କଂଗ୍ରେସ ଏହା କରିନାହିଁ । ଭୋଟ ବ୍ୟାଙ୍କ ରାଜନୀତିକୁ ଦୃଷ୍ଟିରେ ରଖି କଂଗ୍ରେସ କୌଣସି ପଦକ୍ଷେପ ନେଇନଥିବା ମୋଦି ସିଧାସଳଖ କହିଛନ୍ତି । ଝାଡଖଣ୍ଡର ଡାଲଟୋନଗଞ୍ଜରେ ଏକ ସାଧାରଣସଭାରେ ଉଦବୋଧନ ଦେଇ କଂଗ୍ରେସ ଉପରେ ଧୂମ୍ ବର୍ଷିଛନ୍ତି ମୋଦି ।

ମୋଦି ଆହୁରି କହିଛନ୍ତି କି କଂଗ୍ରେସ ଜାଣିଶୁଣି ଦଶନ୍ଧି ଦଶନ୍ଧି ଧରି ରାମଙ୍କ ଜନ୍ମକୁ ନେଇ ଚାଲିଥିବା ଅଯୋଧ୍ୟା ବିବାଦକୁ ଝୁଲେଇ ରଖିଥିଲା । ଭୋଟବ୍ୟାଙ୍କ ଭୟ ଘାରିଥିବାରୁ ଜମି ବିବାଦ ସମାଧାନ ନକରି ପକାଇ ରଖିଥିଲା ।

ତେବେ ନଭେମ୍ବର ୯ ତାରିଖରେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଅଯୋଧ୍ୟା ମାମଲାରେ ବଡରାୟ ଶୁଣାଇଥିଲେ । ରାୟ ଯାଇଥିଲା ରାମଲଲ୍ଲା ସପକ୍ଷରେ । ମୁସଲିମ ପକ୍ଷକୁ ମସଜିଦ ନିର୍ମାଣ ପାଇଁ ଅନ୍ୟତ୍ର ୫ ଏକର ଜମି ଦେବା ପାଇଁ ରାୟରେ କହିଥିଲେ ସୁପ୍ରିମକୋର୍ଟ । ତେବେ ଅଯୋଧ୍ୟା ବିବାଦର ସମାଧାନ ହେବା ସହିତ ଦିଆଯାଇଥିବା ପ୍ରତିଶ୍ରୁତି ଖୁବ ଶୀଘ୍ର ପୂରଣ ହେବ ବୋଲି କହିଛନ୍ତି ମୋଦି ।