ଓଡିଶା ଗସ୍ତ ପୂର୍ବରୁ ରାଜ୍ୟ ସରକାରଙ୍କୁ ମୋଦୀଙ୍କ ଆକ୍ରମଣ: ଟୁଇଟ୍ କରି କହିଲେ, ଜନତାଙ୍କ ଆକାଂକ୍ଷା ପୂରଣ କରିବାରେ ବିଜୁ ଜନତା ଦଳ ବିଫଳ

278

କନକ ବ୍ୟୁରୋ: ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡିଶା ଗସ୍ତ । ଆଜିଠୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାରେ ପ୍ରଚାର ଆରମ୍ଭ କରିବେ । ଅବିଭକ୍ତ କୋରାପୁଟ ଜିଲ୍ଲାର ରାଜନୈତିକ ପ୍ରାଣକେନ୍ଦ୍ର ଜୟପୁରରୁ ଏହି ଅଭିଯାନ ଆରମ୍ଭ କରିବେ ମୋଦୀ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଉଭୟ ପୋଲିସ ଓ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଜୟପୁରର ବାଙ୍କବିଜା ପଡିଆରେ ଆୟୋଜିତ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ମୋଦି କୋରାପୁଟ ଓ ନବରଙ୍ଗପୁର ଲୋକସଭା ସମେତ ୧୪ ଟି ବିଧାନସଭା ଆସନର ବିଜେପି ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ । ଆଜି ତେଲେଙ୍ଗାନା ମଧ୍ୟ ଗସ୍ତ କରିବେ ମୋଦି । ସେଠାରେ ମଧ୍ୟ ସେ ନିଜର ପ୍ରଚାର ଆରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ।

ତେବେ ଜୟପୁର ଗସ୍ତ ପୂର୍ବରୁ ମୋଦୀ ଟୁଇଟ୍ ଯୋଗେ ଉଭୟ ବିଜୁ ଜନତା ଦଳ ଏବଂ କଂଗ୍ରେସକୁ ବିଜେଡି ଏବଂ କଂଗ୍ରେସ ଉପରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇଛନ୍ତି । ସେ ନିଜ ଟୁଇଟରେ କହିଛନ୍ତି ଯେ, କୋରାପୁଟରେ ଏକ ସାଧାରଣ ସଭାରେ ଓଡିଶାବାସୀଙ୍କ ସହ କଥା ହେବା ପାଇଁ ଉତ୍ସାହିତ । ବିଜୁ ଜନତା ଦଳ ଜନତାଙ୍କ ଆକାଂକ୍ଷା ପୂରଣ କରିବାରେ ବିଫଳ ହୋଇଛି । କଂଗ୍ରେସ ମଧ୍ୟ ବିରୋଧୀ ଦଳର ଭୂମିକା ନେବାରେ ବ୍ୟର୍ଥ ହୋଇଛି । ଓଡିଶା ଏକ ଭଲ ସରକାର ପାଇଁ ହକଦାର । କେବଳ ବିଜେପି ହିଁ ଏହାକୁ ପୂରଣ କରିପାରିବ ବୋଲି ମୋଦୀ କହିଛନ୍ତି ।

ଆଜି ମୋଦୀ ସାଧାରଣ ସଭାରେ ବିଜୁ ଜନତା ଦଳ ଉପରେ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରିବେ ବୋଲି ଆଶା କରାଯାଉଛି । ଆଗରୁ ସେ ବିଜେଡି ପ୍ରତି ନରମ ଆଭିମୁଖ୍ୟ ଆପଣାଇଥିଲେ।କଂଗ୍ରେସ ଉପରେ ମଧ୍ୟ ବର୍ଷିବେ ବୋଲି ଆଶା କରାଯାଉଛି । ରାଜ୍ୟ ସରକାରଙ୍କ ବିଭିନ୍ନ ଦୁର୍ନୀତିକୁ ନେଇ ମୋଦୀ ନବୀନଙ୍କୁ କାଠଗଡାକୁ ଟାଣିବେ ବୋଲି ବିଜେପି କର୍ମୀ ଆଶା କରୁଛନ୍ତି ।