ପ୍ରଧାନମନ୍ତ୍ରୀଙ୍କ ଦୁଃସାହସିକ ଯାତ୍ରା: ଘଞ୍ଚ ଜଙ୍ଗଲରେ ଚାଲିଲେ, ନଦୀ ପାର କଲେ; ବଖାଣିଲେ ପ୍ରକୃତି ସହ ବିତାଇଥିବା ଅନୁଭୂତି

ଡିସକଭରୀ ଚ୍ୟାନେଲରେ ପ୍ରସାରିତ ହେଲା ମ୍ୟାନ୍ ଭର୍ସେସ ୱାଇଲ୍ଡ କାର୍ଯ୍ୟକ୍ରମ

281

କନକ ବ୍ୟୁରୋ: ଡିସକଭରୀ ଚ୍ୟାନେଲର ବହୁ ଚର୍ଚ୍ଚିତ କାର୍ଯ୍ୟକ୍ରମ ମ୍ୟାନ ଭର୍ସେସ୍ ୱାଇଲ୍ଡ କାର୍ଯ୍ୟକ୍ରମରେ ବିଅର ଗ୍ରିଲ୍ସଙ୍କ ସହ ଜଙ୍ଗଲ ଯାତ୍ରାରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉତ୍ତରାଖଣ୍ଡର ନାସନାଲ ପାର୍କରେ ପ୍ରଧାନମନ୍ତ୍ରୀ ବନ୍ୟଜନ୍ତୁଙ୍କୁ ଦେଖିଛନ୍ତି, ତାଙ୍କ ଜୀବନ ଶୈଳୀକୁ ଅତି ନିକଟରୁ ଲକ୍ଷ୍ୟ କରିଛନ୍ତି । ଆଉ ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଜୀବନର ଅନୁଭୂତି ବୟାନ କରିଛନ୍ତି । ଗୁଜରାଟରେ ଏକ ସାଧାରଣ ପରିବାରରେ ଜନ୍ମ ହୋଇ କିପରି ଜୀବନ ବିତାଇଥିଲେ ସେକଥା କହିଛନ୍ତି । କିପରି ଚା ଦୋକାନ କରି ପରିବାର ଚଳୁଥିଲା ଏବଂ ରେଳଷ୍ଟେସନରେ ଚା ବିକ୍ରି କରୁଥିଲେ ତାର ଅନୁଭୁତି ବଖାଣିଛନ୍ତି ।

ମୋଦି ଆହୁରି ମଧ୍ୟ ପ୍ରକୃତି ସହିତ ତାଙ୍କ ସମ୍ପର୍କର କାହାଣୀ କହିଛନ୍ତି । ଯେତେବେଳେ ଲୁଗା ସଫା କରିବା ଏବଂ ଗାଧେଇବା ପାଇଁ ପାଖରେ ସାବୁନ ନଥିଲା, ସେତେବେଳେ କାକର ବୁନ୍ଦାକୁ ସାବୁନ ଭାବେ ବ୍ୟବହାର କରୁଥିଲେ ବୋଲି ମୋଦି କହିଛନ୍ତି । ସେହିପରି ତମ୍ବା ବାସନରେ ଗରମ କୋଇଲାକୁ ବ୍ୟବହାର କରି କିପରି ପୋଷାକ ଆଇରନ୍ କରୁଥିଲେ ସେ କଥା ମଧ୍ୟ କହିଛନ୍ତି । ହିମାଳୟର ପାଦଦେଶରେ ବୁଲୁଥିବା ବେଳେ ମୋଦି ଛାତ୍ରଜୀବନ କଥା ମନେପକାଇଛନ୍ତି । ମାତ୍ର ୧୮ବର୍ଷ ବୟସରେ ଘର ଛାଡି ହିମାଳୟ ଚାଲିଆସିଥିଲେ । ଏବଂ ସର୍ବନିମ୍ନ ସାମଗ୍ରୀରେ ଜୀବନ ଅତିବାହିତ କରିବାର କଳା ସେ ହିମାଳୟରେ ରହିବା ସମୟରୁ ହିଁ ଶିଖିଥିଲେ ବୋଲି କହିଛନ୍ତି ।

ତେବେ କାର୍ଯ୍ୟକ୍ରମର ଉପସ୍ଥାପକ ବିୟର ଗ୍ରିଲ୍ସଙ୍କୁ କୌତୁହଳ ଢ଼ଙ୍ଗରେ ମୋଦି କହିଛନ୍ତି- ତାଙ୍କ ଦୀର୍ଘ ବର୍ଷର ରାଜନୈତିକ କ୍ୟାରିୟରରେ ସେ କେବେ ଛୁଟି ନେଇ ନାହାଁନ୍ତି । ତେବେ ଏହି ଜଙ୍ଗଲ ଯାତ୍ରାକୁ ଆପଣ ପ୍ରଥମ ଛୁଟି ବୋଲି ଧରି ପାରିବେ । ଆଉ କାର୍ଯ୍ୟକ୍ରମର ଶେଷରେ ବସୁଧୈବ କୁଟୁମ୍ବକମ୍ କଥା ଦୋହରାଇଛନ୍ତି ମୋଦି ।