ରାଜ୍ୟସଭାରେ ବିଜେଡି ଓ ଏନସିପିକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଂଶସା । କହିଲେ, ଏହି ଦୁଇ ଦଳ ଠାରୁ ଅନ୍ୟ ଦଳ ଶିଖିବା ଉଚିତ୍ ।

2,694

କନକ ବ୍ୟୁରୋ : ମୋଦିଙ୍କ ମୁହଁରେ ବିଜେଡି ପ୍ରଂଶସା । ରାଜ୍ୟସଭାରେ ବିଜେଡି ଓ ଏନସିପିକୁ ପ୍ରଂଶସାରେ ପୋତି ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସଂସଦର ଶୀତ ଅଧିବେଶନରେ ରାଜ୍ୟସଭାକୁ ସମ୍ବୋଧିତ କରିବା ବେଳେ ବିଜେଡି ଓ ଏନସିପିର କାର୍ଯ୍ୟଶୈଳୀକୁ ପ୍ରଂଶସା କରିବାକୁ ପଛାଇ ନାହାନ୍ତି ପ୍ରଧାନମନ୍ତ୍ରୀ ।

ରାଜ୍ୟସଭାର ୨୫୦ ତମ ଅଧିବେଶନରେ ଯୋଗ ଦେଇ ମୋଦି କହିଛନ୍ତି, ବିଜେଡି ଓ ଏନସିପି କେବେ ଗୃହର ମଧ୍ୟ ଭାଗକୁ ଆସି ହୋହାଲ୍ଲା କରିନାହାନ୍ତି । ଏପରିକି ଗୃହର କାର୍ଯ୍ୟରେ କେବେ ବାଧା ସୃ୍ଷ୍ଟି କରିନାହାନ୍ତି । ତେଣୁ ତାଙ୍କ ଠାରୁ ଅନ୍ୟ ଦଳ ଶିଖିବା ଉଚିତ । ବିଜେଡି ଓ ଏନସିପିର ସାଂସଦ ମାନେ ଅନୁଶାସନରେ ରହି କାର୍ଯ୍ୟ କରୁଛନ୍ତି । ଉଚିତ ଢଙ୍ଗରେ ବିଜେଡି ସାଂସଦ ମାନେ ନିଜର ଦାବି ଉପସ୍ଥାପନ କରିବା ସହ ସଂସଦର ନୀତି ନିୟମକୁ ମାନିଥାନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ତେଣୁ ଏହି ଦୁଇ ଦଳ ପ୍ରଂଶସାର ପାତ୍ର ବୋଲି କହିଛନ୍ତି ମୋଦି ।

ଏହାଛଡା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ କାମ କଲେ ବିକାଶମୂଳକ କାମ ଆଗକୁ ବଢିବ । ରାଜ୍ୟର ବିକାଶ କେନ୍ଦ୍ରର ଦାୟିତ୍ୱ । ଉଭୟ ରାଜ୍ୟ ଓ କେନ୍ଦ୍ର ପ୍ରତିଦ୍ୱନ୍ଦୀ ନହୋଇ ଭଲ ସହଯୋଗୀ ହୋଇ କାମ କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।