ହାଲୁକା ମୁଡରେ ହକି ଟିମ୍ । ପୁରୀ ବେଳାଭୂମିରେ ଭାରତୀୟ ଖେଳାଳିଙ୍କ ମଉଜମସ୍ତି

କାରଣ ଖେଳାଳିଙ୍କ ପାଇଁ ଆଜି ନଥିଲା କିଛି ବି କଟକଣା ।

234

କନକ ବ୍ୟୁରୋ: ବିଶ୍ୱକପ୍ ପାଇଁ ଓଡିଶାରେ ଥିବା ଭାରତୀୟ ପୁରୁଷ ହକି ଟିମ୍ ପାଇଁ ଆଜି ଥିଲା ଫ୍ରି ଡେ । ଫୁରସତର ଏହି ଦିନଟିକୁ ମଉଜମଜଲିସରେ କାଟିବାକୁ ପୁରା ଟିମ୍ ଯାଇଥିଲା ଶ୍ରୀକ୍ଷେତ୍ର ପୁରୀ । ଆଉ ଭାରତୀୟ ହକି ଟିମ୍ ସହ ପୁରା ଦିନ ସାମିଲ ଥିଲା କନକ ନ୍ୟୁଜ୍ ଟିମ୍ । ତେବେ ଭାରତୀୟ ଖେଳାଳି, ବିଚରେ ଖେଳିଥିଲେ, ସୁଇମିଂ ପୁଲରେ ଗାଧେଇଥିଲେ ଆଉ ହୋଟେଲରେ ଖାଇଥିଲେ ନିଜ ମନପସନ୍ଦର ଖାଦ୍ୟ । କାରଣ ଖେଳାଳିଙ୍କ ପାଇଁ ଆଜି ନଥିଲା କିଛି ବି କଟକଣା ।

ଅତିଥି ହୋଇ ଆସୁଥିଲେ ବିଶ୍ୱକପ୍ ହକିର ହିରୋ । ଷ୍ଟାର୍ସ, ଯେଉଁମାନେ ପାଲଟିଯିବେ କିମ୍ବଦନ୍ତୀ । ଆଉ ଏଭଳି କିମ୍ବଦନ୍ତୀ ଖେଳାଳିଙ୍କୁ ରାଜକୀୟ ଆତିଥ୍ୟ ପାଇଁ ଅନାଇ ରହିଥିଲା ହୋଟେଲ୍ ଦ୍ୱାର । ସକାଳୁ ସକାଳୁ ଭୁବନେଶ୍ୱରରୁ ବସରେ ପୁରୀ ପହଁଚିଥିଲେ ଖେଳାଳି । ଫୁଲମାଳ ପିନ୍ଧାଇ ହୋଟେଲକୁ ପାଛୋଟି ନେବା ପରେ ଆରମ୍ଭ ହୋଇଗଲା ଖେଳାଳିଙ୍କ ଫ୍ରି ଡେ ସେଲିବ୍ରେସନ୍ ।

କିଏ ପଇଡ ପିଇଥିଲା ତ ଆଉ କିଏ ଜୁସ୍ । ସୁଇମିଂ ପୁଲରେ ଘଂଟା ଘଂଟା ଧରି ଚାଲିଲା ସୁଇମିଂ । ଆଉ ତାଭିତରେ ଖେଳାଳି ଖାଇଥିଲେ ସ୍ନାକ୍ସ । ଖାଲି ଏତିକି ନୁହେଁ ବିଚରେ ଗାଡି ଚଲାଇବା.. ହୋଟେଲରେ ବେଶ୍ କିଛି ସମୟ କଟାଇବା ପରେ ସମୟ ଥିଲା ବିଚ୍ ଆକ୍ଟିଭିଟିର । ବାଲିରେ ସ୍ୟାଣ୍ଡ ସ୍କୁଟରର ମଜା ଉଠାଇଥିଲେ ଭାରତୀୟ ଖେଳାଳି ।

ପୁରୀ ବିଚରେ ଜମିଥିଲା ଫୁଟବଲ୍ ଆଉ ଭଲିବଲ୍ ଖେଳ । କିଏ କିଏ ତ ଓଟ ପିଠିରେ ବସି ବିଚରେ ବୁଲିଥିଲେ । ପରେ ସମୁଦ୍ରରେ ନେଇଥିଲେ ଗାଧେଇବାର ମଜା । ସମୁଦ୍ରରେ ବେଶ୍ କିଛି ସମୟର କସରତ ପରେ ହୋଟେଲକୁ ଫେରିଥିଲେ ଖେଳାଳି । ଯେଉଁଠି ଅପେକ୍ଷା କରି ରହିଥିଲା ସୁଆଦିଆ ଖାଦ୍ୟ ।

ଫ୍ରି ଡେ ଥିବାରୁ ଲଂଚରେ ମନ ପସନ୍ଦର ଖାଦ୍ୟ ଖାଇଥିଲେ ଖେଳାଳି । ଯେଉଁଥିରେ ଥିଲା ଚିକେନ୍, ମଟନ, ଚିଙ୍ଗୁଡି ଓ କଙ୍କଡା ଭଳି ନନଭେଜ ଆଇଟମ୍ । ମେନୁରେ ଖେଳାଳିଙ୍କ ପାଇଁ ପାରମ୍ପାରିକ ଓଡିଆ ଖାଦ୍ୟ ବି ପରସାଯାଇଥିଲା । ଅପରାହ୍ନ ୪ ଟାରେ ଭୁବନେଶ୍ୱର ବାହାରିଥିଲା ଟିମ୍ ଇଣ୍ଡିଆ । ଶନିବାର ଭାରତର ମୁକାବିଲା ରହିଛି କାନାଡା ସହ । ଏହି ମ୍ୟାଚ୍ ଜିତିବା ସହ ଗ୍ରୁପ୍ର ଟପରେ ରହିଲେ ଭାରତ, ସିଧାସଳଖ କ୍ୱାର୍ଟର ଫାଇନାଲକୁ ଯିବ ।