ଅବତରଣ ବେଳେ ଏୟାରପୋର୍ଟରେ ନିୟନ୍ତ୍ରଣ ହରାଇଲା ବିମାନ ! ଭାଙ୍ଗିଲା ପାଚେରୀ, ଗଛରେ ପିଟିହେଲା ବିମାନ ।

26

ରାଜସ୍ଥାନର ଶ୍ରୀଗଙ୍ଗାନଗର ବିମାନବନ୍ଦରରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଆଜି ଏକ ବିମାନ ଏୟାରପୋର୍ଟର ବାଉଣ୍ଡ୍ରୀ କାନ୍ଥକୁ ଭାଙ୍ଗିବା ସହ ବାହାରକୁ ଚାଲିଯାଇଛି । ସୁପ୍ରିମ ଏୟାରଲାଇନ୍ସର ୯ ସିଟ୍ ବିଶିଷ୍ଟ ଏହି ବିମାନ ଜୟପୁର ଠାରୁ ଶ୍ରୀଗଙ୍ଗାନଗର ଆସୁଥିଲା । କିନ୍ତୁ ବିମାନଟି ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ମଙ୍ଗଳବାର ସନ୍ଧ୍ୟା ପାଖାପାଖି ୫ଟା ୩୦ ମିନିଟରେ ଏହି ଦୁର୍ଘଟଣା ଘଟିଥିଲା ।

ଦୁର୍ଘଟଣା ହେବା ପରେ ବିମାନଟି ଏୟାରପୋର୍ଟର ପାଚେରି ଭାଙ୍ଗି ଏକ ଗଛରେ ଯାଇ ଅଟକିଥିଲା । ଯେଉଁଥିପାଇଁ ବିମାନର ପଙ୍ଖା ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲା । ଘଟଣାର ତଦନ୍ତ ପାଇଁ ସିଭିଲ ଏବିଏସନ୍ ଡିପାର୍ଟମେଣ୍ଟର ଡାଇରେକ୍ଟର ଜେନେରାଲଙ୍କୁ ସୂଚନା ଦେଇଛି ଏୟାରଲାଇନ୍ସ । ତେବେ ପାଇଲଟଙ୍କ କହିବା ଅନୁଯାୟୀ, ବିମାନରେ ପକ୍ଷୀ ମାଡ ହୋଇଥିବାରୁ ଏପରି ଘଟିଛି । ଏଥି ପାଇଁ ବିମାନର ଗତିପଥ ବଦଳି ଯାଇଥିଲା । ଏବଂ ବିମାନଟି ସ୍ପିଡରେ ଥିବା ଯୋଗୁଁ ଏହା ପାଇଲଟଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ସୂଚନା ଅନୁଯାୟୀ, ସୁପ୍ରିମ ଏୟାରଲାଇନ୍ସର ଆରମ୍ଭ ଜୁଲାଇ ୧୦ ତାରିଖରେ ହୋଇଥିଲା । ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଏୟାରପୋର୍ଟରେ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ ।