ରାଜ୍ୟର ବନ୍ୟା ସ୍ଥିତି ନେଇ ଜଳସଂପଦ ସଚିବଙ୍କ ସୂଚନା। ମହାନଦୀରେ ବଡ ବନ୍ୟାର ଆଶଙ୍କା ନାହିଁ, ତଳି ଅଞ୍ଚଳ ଲୋକଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

ସେପଟେ ଏସଆରସିଙ୍କ ସୂଚନା କମୁଛି ବର୍ଷା, ଟଳୁଛି ବିପଦ

154

କନକ ବ୍ୟୁରୋ: ମହାନଦୀରେ ବଡ଼ ବନ୍ୟାର ଆଶଙ୍କା ନଥିବା କହିଛନ୍ତି ଜଳ ସଂପଦ ସଚିବ ପ୍ରଦୀପ ଜେନା । ମଧ୍ୟମ ଧରଣର ବନ୍ୟା ସ୍ଥିତି ଉପୁଜିବ,ତେଣୁ ଭୟଭୀତ ହେବାର ନାହିଁ । ତଳିଆ ଅଂଚଳ ଲୋକଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉପକୂଳ ଓଡିଶାରେ ବର୍ଷା ନଥିବାରୁ ବନ୍ୟା ସମ୍ଭାବନା କମ ରହିଛି । ଗୋଟିଏ ଗେଟ ନେଇ ହୀରାକୁଦ ହୀରାକୁଦରୁ ବନ୍ୟା ଜଳ ନିଷ୍କାସିତ ହୋଇଛି । ୨ରୁ ୩ଘଂଟା ପରେ ଗେଟ ବନ୍ଦ କରାଯିବ । ଆଜି ରାତି ୩ଟା ସୁଦ୍ଧା ମୁଣ୍ଡଳିରେ ଏହି ବନ୍ୟା ଜଳ ପହଞ୍ଚିବ । ତେଲ ନଦୀରେ ଜଳସ୍ତର କମିଛି ଏବଂ ଖଇରମାଳ ଉପରେ ସତର୍କ ନଜର ରଖାଯାଇଥିବା ଜଳ ସଂପଦ ସଚିବ କହିଛନ୍ତି ।

ସେପଟେ, ଆଜି ହୀରାକୁଦ ଛାଡିିଛି ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ । ସେଥିପାଇଁ ମହାନଦୀରେ ବନ୍ୟା ଆସିବାର ଆଶଙ୍କା ରହିଛି । ଏଥିପାଇଁ ୬ ଟି ଜିଲ୍ଲାରେ ଆଲର୍ଟ ଜାରି କରାଯାଇଛି । ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ମହାନଦୀ ଅବବାହିକା ଅଂଚଳରେ ବନ୍ୟା ଆସିବାର ଆଶଙ୍କା ଦେଖାଦେଇଛି । ତେଲ ନଦୀରୁ ଆସୁଥିବା ବନ୍ୟା ଜଳ ଯୋଗୁଁ ମହାନଦୀ ଏବଂ ଏହାର ଶାଖା ନଦୀ ଗୁଡିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ଆଜି ହୀରାକୁଦର ଜଳସ୍ତର ୬୧୮.୨୪ ଫୁଟ ରହିଛି । ଡ୍ୟାମର ଜଳଧାରଣ କ୍ଷମତା ୬୩୦ ଫୁଟ ରହିଛି । ଏହାକୁ ନଜରରେ ରଖି ଆଜି ଡ୍ୟାମରୁ ପ୍ରଥମ ବନ୍ୟା ଜଳ ଛଡାଯାଇଛି । ଏନେଇ ବିଶେଷ ପୂଜାର୍ଚ୍ଚନା ଶେଷ ହୋଇଛି ।

ଆଜି ଗୋଟିଏ ଗେଟକୁ ୨ ରୁ ୩ ଘଂଟା ପାଇଁ ପରୀକ୍ଷାମୂଳକ ଭାବେ ଖୋଲାଯାଇଛି । ତେବେ ଜନସାଧାରଣ ହୀରାକୁଦର ବନ୍ୟାଜଳ ପ୍ରବାହ ଜନିତ ବନ୍ୟା ଆଶଙ୍କାରେ ଆତଙ୍କିତ ହେବାର ନାହିଁ ବୋଲି କୁହାଯାଇଛି । ମହାନଦୀ ଅବବାହିକାରେ ଥିବା ଜିଲ୍ଲା ଗୁଡିକର ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ବା ଏସପିମାନଙ୍କୁ ବନ୍ୟା ସ୍ଥିତି ମୁକାବିଲା କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ କୁହାଯାଇଛି । ଜଳସମ୍ପଦ ବିଭାଗର ସମସ୍ତ ଯନ୍ତ୍ରୀ ଏବଂ ଅନ୍ୟ କର୍ମଚାରୀଙ୍କୁ ନିଜର ହେଡକ୍ୱାଟର୍ସରେ ରହିବାପାଇଁ ନିର୍ଦ୍ଦେଶ ଦିଆଯାଇଛି ।