କେତେ ସୁରକ୍ଷିତ ବ୍ରେଡ, ପିଜା ଓ ବରଗର୍ ?

125

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସହରାଂଚଳରେ ପ୍ରାୟ ପ୍ରତ୍ୟେକ ଭାରତୀୟ ପରିବାରରେ ବ୍ରେଡ, ପିଜା ଓ ବରଗର ପରି ଶୀଘ୍ର ପ୍ରସ୍ତୁତ ହୋଇପାରୁଥିବା ଖାଦ୍ୟ ଭାବେ ବ୍ୟବହାର ହୋଇଥାଏ । କିନ୍ତୁ ଏହା କେତେ ସୁରକ୍ଷିତ ? ଏହା ଉପରେ ଏବେ ଉଠିଛି ପ୍ରଶ୍ନ । କୋଲ୍ଡ ଡ୍ରିଙ୍କସରେ କୀଟନାଶକ ଓ ମ୍ୟାଗି ନୁଡୁଲ୍ସରେ ସୀସା ପରିମାଣ ଅଧିକ ଥିବା ନେଇ ରିପୋର୍ଟ ଦେଇଥିବା ସେଂଟର ଫର ସାଇନ୍ସ ଆଣ୍ଡ ଏନଭାର୍ନମେଂଟ ଏବେ ଦେଇଥିବା ରିପୋର୍ଟ ଏକ ସାଂଘାତିକ ପ୍ରଶ୍ନ ଛିଡା କରିଦେଇଛି । ପ୍ରଥମେ ଦେଖନ୍ତୁ, ସରକାରଙ୍କୁ ଏହି ସଂସ୍ଥା କଣ ସୁପାରିଶ କରିଛି ।

– ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ ଇଣ୍ଡିଆ, ବ୍ରେଡ, ପିଜା ଓ ବରଗର୍ ପ୍ରସ୍ତୁତିରେ ବ୍ୟବହାର ହେଉଥିବା ପୋଟାସିୟମ ବ୍ରୋମେଟକୁ ନିଷିଦ୍ଧ କରିବା ଉଚିତ ।

– ଏହା କ୍ୟାନସର ପରି ମାରାତ୍ମକ ରୋଗର କାରଣ ପାଲଟିବାର ଆଶଙ୍କା ରହିଛି ।

– ଏହା ନିଷିଦ୍ଧ ନକରିବା ନେଇ କୌଣସି କାରଣ ନାହିଁ । କାରଣ ବ୍ରେଡ, ପିଜା ଓ ବରଗର୍ ପ୍ରସ୍ତୁତି ପରେ ଏଥିରେ  ପୋଟାସିୟମ ବ୍ରୋମେଟର କିଛି ଅଂଶ ରହିଯାଇଥାଏ ।

– ପୋଟାସିୟମ ଆୟୋଡେଟକୁ ମଧ୍ୟ ନିଷିଦ୍ଧ କରାଯିବା ଦରକାର ।

– ପୋଟାସିୟମ ଆୟୋଡେଟ୍ ଦ୍ୱାରା ଥାଇରଏଡ୍ ପରି ସମସ୍ୟା ଉପୁଜିବାର ଆଶଙ୍କାର ରହିଛି ।

ସେଂଟର ଫର ସାଇନ୍ସ ଆଣ୍ଡ ଏନଭାର୍ନମେଂଟ ସଂସ୍ଥା କହିଛି, ଦେଶର ବିଭିନ୍ନ ସହରରୁ ସଂଗ୍ରହ କରାଯାଇଥିବା ବ୍ରେଡ ଓ ବେକେରୀ ନମୁନାର ୮୪ ପ୍ରତିଶତ କ୍ଷେତ୍ରରେ ପୋଟାସିୟମ ବ୍ରୋମେଟ ଓ ପୋଟାସିୟମ ଆୟୋଡେଟ୍ ପରି ରାସାୟନିକ ପଦାର୍ଥ ମିଳିଥିଲା । ବ୍ରେଡ, ପିଜା ଓ ବରଗର ପରି ଖାଦ୍ୟ ପଦାର୍ଥ ପ୍ରସ୍ତୁତିରେ ଏହି ରାସାୟନିକ ପଦାର୍ଥର ଭୂମିକା ହେଉଛି ଯେ, ଏଗୁଡିକ ପ୍ରସ୍ତୁତ ଖାଦ୍ୟକୁ ସୁନ୍ଦର ଓ ଚିକ୍କଣ କରିଥାଏ ।

ଗତ ଜୁନ ୨୦୧୫ରେ ପଲୁ୍ୟସନ ମନିଟରିଂ ଲାବୋରେଟୋରୀ ଦିଲ୍ଲୀର ବିଭିନ୍ନ ଫାଷ୍ଟଫୁଡ ଓ ଖୁଚୁରା ଦୋକାନରୁ ବ୍ରେଡ ଓ ବାକେରୀ ଉତ୍ପାଦର ନମୁନା ସଂଗ୍ରହ କରିଥିଲା । ସଂସ୍ଥା ଦ୍ୱାରା କୁହାଯାଇଛି, ଅଲଟ୍ରା ଭାଓଲେଟ ଭିଜିବୁଲ ସ୍ପେକଟ୍ରୋ ମିଟର ନାମକ ଏକ ପରୀକ୍ଷାରେ ପୋଟାସିଅମ ବ୍ରୋମେଟ ଓ ପୋଟାସିୟମ ଆୟୋଡେଟ୍ ଥିବା ଜଣାପଡିଲା ।

ସେଂଟର ଫର ସାଇନ୍ସ ଆଣ୍ଡ ଏନଭାର୍ନମେଂଟ ଦର୍ଶାଇଛି, ଇଂଟରନ୍ୟାସନାଲ ଏଜେନ୍ସି ଫର ରିସର୍ଚ ଅନ କ୍ୟାନସର, ପୋଟାସିୟମ ବ୍ରୋମେଟ ଏକ କ୍ୟାନସର ସୃଷ୍ଟିକାରୀ ରାସାୟନିକ ପଦାର୍ଥ ବୋଲି କହିଛି । ଏହା କିଡନୀ ଓ ଥାଇରଏଡରେ କ୍ୟାନସର ସୃଷ୍ଟି କରିବା ଆଶଙ୍କା ରହିଛି । ସେହିପରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ପୋଟାସିୟମ ବ୍ରୋମେଟକୁ ଖାଦ୍ୟ ପଦାର୍ଥରେ ନମିଶାଇବାକୁ ପରାମର୍ଶ ଦେଇଥିଲେ । ଏହିପରି ବିଭିନ୍ନ ଅନ୍ତର୍ଜାତୀୟ ସଂସ୍ଥାର ରିପୋର୍ଟକୁ ଉଦ୍ଧାର କରି ଏହି ସଂସ୍ଥା ପୋଟାସିୟମ ବ୍ରୋମେଟକୁ ନିଷିଦ୍ଧ କରିବାକୁ ସୁପାରିଶ କରିଛି ।

ଅନ୍ତର୍ଜାତୀୟ ସ୍ତରରେ ୟୁରୋପିଅନ ୟୁନିଅନ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, କାନାଡା ପରି ଅନେକ ଦେଶରେ ପୋଟାସିଅମ ବ୍ରୋମେଟ ଓ ପୋଟାସିୟମ ଆୟୋଡେଟକୁ ନିଷିଦ୍ଧ କରାଯାଇଛି । କିନ୍ତୁ ଭାରତରେ ନିୟନ୍ତ୍ରଣ ଭିତରେ ଏହାର ବ୍ୟବହାର ପାଇଁ ଅନୁମତି ରହିଛି ।