ଦୁଇ ପାଇଲଟଙ୍କ ଝଗଡ଼ା ପାଇଁ ୫ ଘଣ୍ଟା ବିଳମ୍ବରେ ଉଡ଼ାଣ ଭରିଲା ପ୍ଲେନ୍, ଯାତ୍ରୀ ଭୋଗିଲେ କଷ୍ଟ !

186

କନକ ବ୍ୟୁରୋ: ଟ୍ରେନ୍ ହେଉ କିମ୍ବା ଉଡ଼ା ଯାହାଜ ବିଳମ୍ବର କାରଣ ଅନେକ ରହିଥାଏ । କିନ୍ତୁ ଉତ୍ତରପ୍ରଦେଶରେ ଥିବା ଅମୌସି ଅର୍ନ୍ତଜାତୀୟ ବିମାନବନ୍ଦରରେ ଘଟିଥିବା ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାରେ ରହିଛି। ଦୁଇ ପାଇଲଟଙ୍କ ମଧ୍ୟରେ ଝଗଡ଼ା ହେବାରୁ ଏହାର ପରିଣାମ ଯାତ୍ରୀମାନଙ୍କୁ ଭୋଗିବାକୁ ପଡ଼ିଥିଲା । ରାଗରେ ଜଣେ ପାଇଲଟ ବିମାନ ଛାଡ଼ି ଚାଲିଯିବାରୁ ଇଣ୍ଡିଗୋ ବିମାନ ୬ଇ-୨୨୬ ୫ଘଣ୍ଟା ବିଳମ୍ବରେ ଉଡ଼ାଣ ଭରିଥିଲା । ପୂର୍ବରୁ ବିମାନଟି ୪ଘଣ୍ଟା ବିଳମ୍ବ ଥିବା ବେଳେ ଦୁଇ ପାଇଲଟଙ୍କ ଝଗଡ଼ା ପାଇଁ ବିମାନଟି ଅଧିକ ୪୫ମିନିଟ୍ ବିଳମ୍ବ ହୋଇଥିଲା ।

ସୂଚନା ମୁତାବକ, ଇଣ୍ଡିଗୋ ବିମାନ ୬ଇ-୨୨୬କୁ ଚୌଧୁରୀ ଚରଣ ସିଂହ ବିମାନବନ୍ଦରରୁ  ୨.୨୦ମିନିଟ୍ ମଧ୍ୟରେ ଲକ୍ଷ୍ନୌରୁ ଉଡ଼ାଣ ଭରି ବେଙ୍ଗାଲୁରୁରେ ପହଞ୍ଚିବାର ଥିଲା । କିନ୍ତୁ ଯାତ୍ରୀମାନେ ବିମାନ ବନ୍ଦରରେ ପହଞ୍ଚିବା ପରେ ବିମାନଟି ୪ଘଣ୍ଟା ବିଳମ୍ବରେ ଚଡ଼ାଣ ଭରିବ ବୋଲି ଜାଣିବାକୁ ପାଇଥିଲେ । ଏହାପରେ ସନ୍ଧ୍ୟା ୬ଟାରେ ଯାତ୍ରୀ ବିମାନ ମଧ୍ୟକୁ ଯିବା ପରେ ମଧ୍ୟ ବିମାନଟି ରନେଓ୍ଵକୁ ଯାଇ ନଥିଲା । ଏୟାର ହୋଷ୍ଟେସଙ୍କୁ ଏ ନେଇ ପଚରାଯିବା ପରେ ଦୁଇ ପାଇଲଟଙ୍କ ମଧ୍ୟରେ ଝଗଡ଼ା ହୋଇଥିବା କଥା ଯାତ୍ରୀମାନେ ଜାଣି ପାରିଥିଲେ । ସବୁ ଜାଣି ୫ଘଣ୍ଟା ବିଳମ୍ବ ହୋଇ ସାରିଥିବାରୁ ଯାତ୍ରୀମାନେ ହଙ୍ଗାମା କରିବା ଆରମ୍ଭ କରିଥିଲେ ।

ଶେଷରେ ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ପୁଣେରୁ କୋଲକାତା ଯିବାକୁ ଥିବା ବିମାନ ୬ଇ-୫୨୩ର ପାଇଲଟଙ୍କୁ ଡ଼କାଯାଇଥିଲା । ଏହାପରେ ବିମାନ ୬ଇ-୨୨୬ଟି ସନ୍ଧ୍ୟା ୬.୫୦ରେ ଉଡ଼ାଣ ଭରିଥିଲା । ଅନ୍ୟପକ୍ଷରେ, ଦୁଇ ପାଇଲଟଙ୍କ ମଧ୍ୟରେ ଝଗଡ଼ା ହେବାର କାରଣ ସ୍ପଷ୍ଟ ହୋଇ ପାରି ନାହିଁ । ଏଭଳି ଘଟଣା ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।