ମଝି ଆକାଶରେ ସରିଗଲା ବିମାନର ଇନ୍ଧନ ! ଆକାଶରେ ଝୁଲି ରହିଲା ୩୭୦ ଯାତ୍ରୀଙ୍କ ଜୀବନ, ପାଇଲଟଙ୍କ ସାହସିକତା ଯୋଗୁଁ ଟଳିଗଲା ବଡ ବିପଦ ।

57

କନକ ବ୍ୟୁରୋ : ମଝି ଆକାଶରେ ଶେଷ ହୋଇଗଲା ବିମାନର ଇନ୍ଧନ  । ବିପଦରେ ୩୭୦ ଜଣ ଯାତ୍ରୀଙ୍କ ଜୀବନ । ଭାବନ୍ତୁ ଟିକେ କ’ଣ ହେଇଥିବ ପରିସ୍ଥିତି ଯେତେବେଳେ ମଝି ଆକାଶରେ ସୃଷ୍ଟି ହୋଇଥିବ ଏଭଳି ବିପଦଜ୍ଜନକ ସ୍ଥିତି । ତେବେ ବିମାନର ପାଇଲଟଙ୍କ ସାହସିକ ପଦକ୍ଷେପ ବିପଦରୁ ଉଦ୍ଧାର କରିଥିଲା ସମସ୍ତଙ୍କୁ  ।

୨୦୧୮ ସେପଟେମ୍ବର୍ ୧୧ ତାରିଖ । ମଝି ଆକାଶରେ ହଠାତ୍ ସରିଗଲା ବିମାନର ଇନ୍ଧନ । ବିପଦରେ ରହିଥିଲା ୩୭୦ ଯାତ୍ରୀଙ୍କ ଜୀବନ । ଆଉ ଠିକ ଏତିକି ବେଳେ ନ୍ୟୁୟର୍କ ଜନ ଏଫ୍ କେନେଡି ଏୟାର୍ ଟ୍ରାଫିକ୍ କଂଟ୍ରୋଲ୍ ରୁମକୁ ଆସିଥିଲା ଏୟାର୍ ଇଣ୍ଡିଆ ବିମାନର ବରିଷ୍ଠ କମାଂଡାଂଟ୍ କ୍ୟାପଟେନ୍ ରୁସ୍ତମ୍ ପାଲିଆଙ୍କ କଡ଼ା ସନ୍ଦେଶ୍  ।

କ୍ୟାପଟେନ୍ ରୁସ୍ତମ୍ ପାଲିଆ କହୁଥିଲେ, ଭୟଙ୍କର ଭାବେ ଆମେ ଫସିଯାଇଛୁ । ବିମାନର ଇନ୍ଧନ ସରିବାକୁ ବସିଲାଣି  । ଏୟାର୍ ଟ୍ରାଫିକ୍ କଂଟ୍ରୋଲ୍ ରୁମକୁ ଆସିଥିବା ବାର୍ତା ଯେତେ ଚିନ୍ତାଜନକ ଥିଲା ସେତେ ଭୟାନକ ମଧ୍ୟ । ଆଉ ରୁସ୍ତମଙ୍କ ଏହି ସନ୍ଦେଶ ପାଇବା ପରେ ଯେପରି ସଜାଗ ହୋଇ ପଡ଼ିଥିଲେ ଏଟିସି କର୍ତୃପକ୍ଷ । ସେପଟେ ବୋଇଂ ବିମାନର ଉଡ଼ାଣକୁ ଜାରି ରଖିଥିଲେ କ୍ୟାପଟେନ୍ ପାଲିଆ ଓ ସୁଶାନ୍ତ ସିଂ । ଅବତରଣ ପୂର୍ବରୁ ଦିଲ୍ଲୀରୁ ନ୍ୟୁୟର୍କ ଯାଉଥିବା ଏହି ବିମାନର ଅଧିକାଂଶ ଉପକରଣ କାମ କରିବା ବନ୍ଦ କରି ଦେଇଥିଲା ଓ ବିମାନର ଇନ୍ଧନ ଧିରେ ଧିରେ ସରିବାକୁ ବସିଥିଲା ଆଉ ବିପଦରେ ଥିଲା ୩୭୦ ଯାତ୍ରୀଙ୍କ ଜୀବନ  ।

ନିଶ୍ଚିତ ମୃତ୍ୟୁକୁ ପାଇଲଟ୍ ଦେଲେ ଚକ୍ମା । ଆଉ ୩୭୦ ଯାତ୍ରୀଙ୍କ ବଂଚାଇଲେ ଜୀବନ । ଇନ୍ଧନ ଶେଷ ହେଉଥିବାରୁ ଅବତରଣ ଜରୁରୀ ହୋଇପଡ଼ିଥିଲା, ସେପଟେ ଇଂଷ୍ଟ୍ରୁମେଂଟ୍ ଲ୍ୟାଣ୍ଡିଂ ସିଷ୍ଟମ୍ ବା ଆଇଏଲଏସ୍ ଶେଷ ମୁହୂର୍ତରେ ଦେଇଥିଲା ଧୋକା । ଯାନ୍ତ୍ରିକ ତ୍ରୁଟି ଯୋଗୁ ପାଖାପାଖୁ ଦେଢ଼ ଘଂଟା କାଳ ବିମାନଟି ଏପାଖ ସେପାଖ ହୋଇ ଉଡ଼ିଥିଲା । ଏଭଳି ସଙ୍କଟଜନକ ସ୍ଥିତିରେ ବିମାନର ୨ ପାଇଲଟ୍ ସାହସ ଦେଖାଇ ସ୍ଥିତି ସମ୍ଭାଳି ନେଇଥିଲେ  । ଏୟାର୍ ଟ୍ରାଫିକ୍ କଂଟ୍ରୋଲ୍ ରୁମ୍ ସହ ଲଗାତାର ଚାଲିଥିଲା କଥାବାର୍ତା  । ଏତିକି ବେଳେ ହଠାତ ବାଜି ଉଠିଥିଲା କକପିଟର ଆଲାର୍ମ  । ତେବେ ଲ୍ୟାଣ୍ଡିଂ ତାଲିକାରେ ଏୟାର ଇଣ୍ଡିଆ ବିମାନ ପୂର୍ବରୁ ଆଉ ଏକ ବିମାନ ଥିବାରୁ ବାଧ୍ୟ ହୋଇ ଆକାଶରେ ପୁଣି ଏକ ଚକ୍କର ମାରିଥିଲେ ପାଇଲଟ୍  । ବିମାନର ରେଡ଼ିଓ ଅଲଟିମିଟର୍ ଖରାପ ହୋଇଯାଇଥିବାରୁ ଭଲଭାବେ ଦୃଶ୍ୟମାନ ମଧ୍ୟ ହେଉନଥିଲା ପାଇଲଟଙ୍କୁ । ଏହାପରେ ଏଟିସି ଅନ୍ୟ ଏୟାରପୋର୍ଟରେ ଅବତରଣର ବିକଳ୍ପ ସମ୍ପର୍କରେ ଆଲୋଚନା କରିଥିଲେ । ଇନ୍ଧନ ଶେଷ ହେଉଥିବାରୁ ଏହା ମଧ୍ୟ ସମ୍ଭବ ନଥିଲା । ତେବେ ଅପ୍ରତ୍ୟାଶିତ ଭାବେ ପାଇଲଟଙ୍କୁ ଦୃଶ୍ୟମାନର ସ୍ତର ଭଲ ଆସିଥିଲା ଓ ନିଜ ଅଭିଜ୍ଞତାକୁ ବ୍ୟବହାର କରି ସୁରକ୍ଷିତ ଭାବେ ଅବତରଣ କରିଥିଲେ ବିମାନ ଓ ବଂଚିଯାଇଥିଲା ୩୭୦ଜଣ ଯାତ୍ରୀଙ୍କ ଜୀବନ  ।