ବ୍ରିଟେନର ପ୍ରସିଦ୍ଧ ବୈଜ୍ଞାନିକ ଷ୍ଟିଫେନ ହକିଙ୍ଗଙ୍କ ନିଧନ : ବ୍ଲାକ ହୋଲ ଓ ବିଗ ବ୍ୟାଙ୍ଗ ଉପରେ କରିଥିଲେ ଗବେଷଣା

106

କନକ ବ୍ୟୁରୋ : ବ୍ରିଟେନର ପ୍ରସିଦ୍ଧ ଭୈାତିକ ବୈଜ୍ଞାନିକ ପ୍ରଫେସର ଷ୍ଟିଫେନ ହକିଙ୍ଗଙ୍କ ୭୬ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି । ସେ ୧୯୭୪ ମସିହାରେ ବ୍ଲାକ ହୋଲ ଉପରେ ଅସାଧାରଣ ଗବେଷଣା କରି ବିଜ୍ଞାନ ଜଗତରେ ବଡ ପରିଚୟ ସୃଷ୍ଟି କରିଥିଲେ । ୨୧ ବର୍ଷ ବୟସରୁ ସେ ମୋଟର ନ୍ୟୁରନ ରୋଗରେ ଆକ୍ରାନ୍ତ ଥିଲେ । ତାଙ୍କ ଶରୀରର କୈାଣସି ଅଙ୍ଗ କାମ କରୁନଥିଲା । ସେ ମାତ୍ର ୨ ବର୍ଷ ବଂଚିବେ ବୋଲି ଡାକ୍ତରମାନେ କହିଥିଲେ ।

ହକିଙ୍ଗ ଥରେ କହିଥିଲେ ତାଙ୍କୁ ବୈଜ୍ଞାନିକ ବନାଇବାରେ ତାଙ୍କ ରୋଗର ବଡ ଭୂମିକା ଅଛି । ସେ ଏହା ପୂର୍ବରୁ ପାଠପଢ଼ାରେ ଧ୍ୟାନ ଦେଉନଥିଲେ । କିନ୍ତୁ ସେ ରୋଗରେ ପୀଡିତ ଥିବା ସମୟରେ ବେଶି ସମୟ ବଂଚିପାରିବେ ନାହିଁ ବୋଲି ନିଜର ସବୁ ଧ୍ୟାନ ଗବେଷଣା ଉପରେ ଲଗାଇଥିଲେ ଓ ସେ ବ୍ଲାକ ହୋଲ ଉପରେ ଗବେଷଣା କରିଥିଲେ ।

ବ୍ଲାକ ହୋଲ ଓ ବିଗ ବ୍ୟାଙ୍ଗ ପରି ଘଟଣା ଉପରେ ତାଙ୍କ ଅନୁଧ୍ୟାନ ଦୁନିଆକୁ ବୁଝିବା ପାଇଁ ଅନ୍ୟ ବୈଜ୍ଞାନିକଙ୍କୁ ସାହାଯ୍ୟ କରିଥିଲା । “ଏ ବ୍ରିଫ ହିସ୍ଟ୍ରି ଅଫ ଟାଇମ” ନାମକ ବହି ସାରା ଦୁନିଆରେ ତାଙ୍କୁ ଲୋକପ୍ରିୟ କରାଇଥିଲା । ତାଙ୍କ ମହତ୍ୱପୁର୍ଣ୍ଣ ବହି ଗୁଡିକ ମଧ୍ୟରେ “ଏ ବ୍ରିଫ ହିସ୍ଟ୍ରି ଅଫ ଟାଇମ”, “ଦ ଗ୍ରାଣ୍ଡ ଡିଜାଇନ”, “ୟୁନିଭର୍ସ ଇନ ନଟସେଲ”, “ଦ ଥିଓରି ଅଫ ଏଭ୍ରିଥିଙ୍ଗ” ଅନ୍ୟତମ ।

ସେ ଅସାଧାରଣ ସାହସ ଓ ଦୃଢ଼ତା ସହ ଅନେକ ଗବେଷଣା କରି ଦୁନିଆକୁ ନୂଆ ନୂଆ ତଥ୍ୟ ପ୍ରଦାନ କରିଥିଲେ । ହକିଙ୍ଗ ତାଙ୍କ ପିଲାମାନଙ୍କୁ କହୁଥିଲେ ଯେ ତଳକୁ ନ ଚାହିଁ ସବୁବେଳେ ତାରକା କୁ ଚାହଁ ଅର୍ଥାତ ଉପରକୁ ବଢ଼, ଆଉ କେବେ କାମ କରିବା ବନ୍ଦ କରନିି । ସେ କେମ୍ବ୍ରିଜ୍ରେ ଅଧ୍ୟୟନ କଲେ ଏବଂ ଆଲବର୍ଟ ଆଇନଷ୍ଟାଇନଙ୍କ ପରେ ଜଣେ ସବୁଠୁ ମେଧାବୀ ଥିଓରେକ୍ଟିକାଲ ଫିଜିସିଷ୍ଟ ହୋଇ ପାରିଥିଲେ।