ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ୮୦ ଟଙ୍କା । ହେଲେ ସବୁଠୁ ଅନୁନ୍ନତ ଜିଲ୍ଲା ମାଲକାନଗିରିରେ ୮୩ । ଗରିବ ଜିଲ୍ଲାରେ ମହଙ୍ଗା ତେଲକୁ ନେଇ ତେଜିଲା ଅସନ୍ତୋଷ

37

କନକ ବ୍ୟୁରୋ: ରାତି ପାହିଲା ବେଳକୁ ବଢିଯାଉଛି ପେଟ୍ରୋଲ ଓ ଡିଜେଲ ଦର । ଗତ ତିନି ସପ୍ତାହ ଧରି ଚାଲିଛି ଏପରି ମୂଲ୍ୟବୃଦ୍ଧି । ଏହି ଦରବୃଦ୍ଧି ଭିତରେ ଆଜିର ଆଉ ଏକ ଖବର ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଯେତେବେଳେ ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ୮୦ ଟଙ୍କା ରହିଛି, ସେତେବେଳେ ଦେଶର ଗରିବ ଜିଲ୍ଲା ମାଲକାନଗିରିରେ ରହିଛି ୮୩ ଟଙ୍କା । ଅର୍ଥାତ ଦିଲ୍ଲୀବାସୀଙ୍କ ଠାରୁ ମାଲକାନଗିରିର ଗରିବ ଲୋକ ଅଧିକ ଟଙ୍କା ଦେଇ କିଣୁଛନ୍ତି ପେଟ୍ରୋଲ । ମାଲକାନଗିରିବାସୀ ସଫା ସଫା କହିଛନ୍ତି, ଯଦି ସରକାର କୌଣସି ପଦକ୍ଷେପ ନ ନିଅନ୍ତି, ତେବେ ବଡ଼ ଧରଣର ଆନ୍ଦୋଳନକୁ ଓହ୍ଲାଇବେ ଜିଲ୍ଲାବାସୀ ।

ଉପରମୁହାଁ ହେଉଛି ପେଟ୍ରୋଲ ଦର । କିଛି ଦିନ ହେଲା ରାତି ପାହିଲା ବେଳକୁ ବଢିଯାଉଛି ପେଟ୍ରୋଲ ମୂଲ୍ୟ । ସବୁଠୁ ଆଶ୍ଚର୍ଯ୍ୟ କରିଦେବା ଭଳି ଖବର ହେଉଛି ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ୮୦ ଟଙ୍କା ୩୮ ପଇସା ରହିଥିବା ବେଳେ ଦେଶର ପଛୁଆ ଜିଲ୍ଲା ମାଲକାନଗିରିରେ ଛୁଇଁଛି ୮୩ ଟଙ୍କା । ଗରିବ ଅଂଚଳ, ହେଲେ ପେଟ୍ରୋଲ ଲିଟର ପାଇଁ ଅଧିକ ଦାମ ଗଣୁଛନ୍ତି ମାଲକାନଗିରିବାସୀ । ରାଜ୍ୟର ଆଦିବାସୀ, ଅନୁନ୍ନତ ଅଂଚଳ ମାଲକାନଗିରିରେ ପେଟ୍ରୋଲ ଦର ଦିନକୁ ଦିନ ଅସମ୍ଭାଳ ହେବାକୁ ଲାଗିଛି । ପେଟ୍ରୋଲ ଟାଂକିରେ ପହଁଚିବା ପୂର୍ବରୁ ଲୋକଙ୍କ ମନରେ ଘାରୁଛି ଭୟ । ଏହା ବିରୋଧରେ ବଡ଼ ଆନ୍ଦୋଳନ ଦାନା ବାନ୍ଧିବାକୁ ଯାଉଛି ।

ଏବେ ନଜର ପକାନ୍ତୁ ରାଜ୍ୟର କେଉଁ ସହରରେ କେତେ ଦର-

• ମାଲକାନଗିରିରେ ପେଟ୍ରୋଲ ଲିଟର ପିଛା ୮୨ ଟଙ୍କା ୯୯ ପଇସା

• ନବରଙ୍ଗପୁରରେ ୮୨ ଟଙ୍କା ୪୭ ପଇସା

• ଜୟପୁରରେ ମିଳୁଛି ୮୨ ଟଙ୍କା ୪୧ ପଇସାରେ ଗୋଟିଏ ଲିଟର ପେଟ୍ରୋଲ

• ସେହିପରି ସମ୍ବଲପୁରରେ ୭୯ ଟଙ୍କା ୭୩ ପଇସା ରହିଥିବା ବେଳେ ଭୁବନେଶ୍ୱରରେ ପେଟ୍ରୋଲ ଲିଟରକୁ ପଡୁଛି ୭୯ ଟଙ୍କା ୨୦ ପଇସା ।

• କଟକରେ ପେଟ୍ରୋଲ ୭୯ ଟଙ୍କା ୪୫ ପଇସା ଓ ବ୍ରହ୍ମପୁରରେ ରହିଛି ୮୦ ଟଙ୍କା ୧୭ ପଇସା ।

ସେପଟେ, ବେଲଗାମ ପେଟ୍ରୋଲ ଦରକୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁଣି ଅନ୍ତର୍ଜାତୀୟ ବଜାର ଉପରେ ଦୋଷ ଲଦିଛନ୍ତି ।  ଅନ୍ୟପଟେ, ପେଟ୍ରୋଲ ଦରକୁ ନେଇ ଲାଗିଛି ରାଜନୀତିରେ ନିଆଁ । ତେଲ ଦର ବୃଦ୍ଧି ପ୍ରତିବାଦରେ ରାଜ୍ୟର ସବୁ ପେଟ୍ରୋଲ ପମ୍ପ ଆଗରେ ତିନି ଦିନିଆ ଜନ ସଚେତନା କାର୍ଯ୍ୟକ୍ରମ ଆରମ୍ଭ କରିଛି ବିଜେଡି । ଦିନ ୧୦ଟାରୁ ୧୨ଟା ଦୁଇ ଘଂଟା ଧରି ପ୍ରତିବାଦ କରିବା ସହ ଲିଫଟେଲ୍ ବାଂଟି ଲୋକଙ୍କୁ ସଚେତନ କରିବାରେ ଲାଗିଛି ଦଳ ।

ସେହିପରି ଦରବୃଦ୍ଧି ପ୍ରତିବାଦରେ ଆସନ୍ତା ୧୦ ତାରିଖ ଅର୍ଥାତ ସୋମବାର ଦିନ ଭାରତ ବନ୍ଦ ଡାକରା ଦେଇଛି କଂଗ୍ରେସ । ଭାରତ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ସରକାରୀ କର୍ମଚାରୀଙ୍କୁ ସକାଳ ୯ଟା ୩୦ ସୁଦ୍ଧା ସଚିବାଳୟ ଓ ମୁଖ୍ୟ କାର୍ଯ୍ୟାଳୟରେ ପହଂଚିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ଆଇନ ଶୃଙ୍ଖଳା ରକ୍ଷା ପାଇଁ ଅତିରିକ୍ତ ସୁରକ୍ଷା ବଢାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।