ଝିଙ୍କ ଗୁମ୍ଫାରେ ମଣିଷ ! ଶିକାର କରୁ କରୁ ନିଖୋଜ ହୋଇଗଲେ ଶିକାରୀ

183

ନୟାଗଡ : ରଣପୁରର ରହସ୍ୟମୟ ପାହାଡ । ଯାହାର ଅନ୍ଧାରୀ ଗୁମ୍ଫା ଭିତରେ ହଜି ଯାଉଛି ମଣିଷ । ଏକ ଅନ୍ଧାରୀ ଗୁମ୍ଫା ଯାହା ହଜାଇଛି ଗୋଟିଏ ପରିବାରର ନିଦ । ଆଉ ନୀରବ କରି ଦେଇଛି ଗୋଟିଏ ଗାଁକୁ । ଯାହାର ଅନ୍ଧାର ଭିତରେ ବାଟବଣା ହୋଇଛନ୍ତି ଜଣେ ଯୁବକ । ଏମିତି ଏକ ଚମକାଇଲା ଭଳି ଖବର ଆସିଛି ନୟାଗଡ ଜିଲ୍ଲାରୁ । ରଣପୁରର ଜଣେ ଯୁବକ ଝିଙ୍କ ଶିକାର ପାଇଁ ଗୁମ୍ଫାରେ ପଶିବା ପରେ ନିଖୋଜ ହୋଇଯାଇଛନ୍ତି ।

କୁହାଯାଉଛି, ୪ଦିନ ତଳେ ଝିଙ୍କ ଶିକାର ଆଶାରେ ଏହି ଗୁମ୍ଫାରେ ପଶିଥିଲେ ଲୁଣିସାହି ଗାଁର ପ୍ରଦୀପ ମାଝୀ । ବାହାରେ ଅପେକ୍ଷା କରିଥିଲେ ପ୍ରଦୀପଙ୍କ ଗାଁର ୩ରୁ ୪ ଶିକାରୀ ସାଥୀ । ହେଲେ ଝିଙ୍କ ଶିକାର କରୁ କରୁ ଅନ୍ଧାରୀ ଗୁମ୍ଫାରୁ ଆଉ ପଦାକୁ ବାହାରି ନଥିଲେ ପ୍ରଦୀପ । ଦିନ ଯାଇ ରାତି ହେଲା, ରାତି ଯାଇ ଦିନ ହେଲା । ହେଲେ ପ୍ରଦୀପଙ୍କ ପତ୍ତା ମିଳିଲାନି ।

ଘଟଣା ପଦାକୁ ଆସିବା ପରେ ରହସ୍ୟମୟ ଗୁମ୍ଫା ପାଖରେ ପହଂଚିଛି ବନବିଭାଗ । ଦମକଳବାହିନୀ ବି ଖୋଜା ଖୋଜି କରି ଫେରି ଆସିଛି । ହେଲେ ଏହି ଗୁମ୍ଫା ଭିତରକୁ ପଶିବାକୁ କେହି ସାହାସ କରୁ ନାହାନ୍ତି । ସେପଟେ ପ୍ରଶାସନ କହିଛି ପ୍ରଦୀପଙ୍କୁ ଉଦ୍ଧାର କରିବାକୁ ଓଡ୍ରାଫ୍ ଟିମର ସହାୟତା ନିଆଯିବ ।

କୁଆଡେ ଗଲେ ଝିଙ୍କ ଶିକାରୀ ପ୍ରଦୀପ । ଲୁଣାସାହି ଗାଁରେ ପହଂଚି ନିଖୋଜ ଯୁବକଙ୍କ ସଂପର୍କରେ ଜାଣିବାକୁ ଚେଷ୍ଟା କରିଥିଲା କନକ ନ୍ୟୁଜ୍ । ହେଲେ ଘରେ ନଥିଲେ ପ୍ରଦୀପଙ୍କ ପରିବାର ଲୋକେ । ଏପରିକି ଗାଁ ଲୋକେ ମଧ୍ୟ ଏହି ରହସ୍ୟମୟ ଘଟଣା ମୁହଁ ଖୋଲି ନଥିଲେ । ଯାହା ଘଟଣାକୁ ଆହୁରି ରହସ୍ୟମୟ କରିଛି ।