ସାଥୀ ଥିଲେ, ବଇରୀ ହେଲେ କି? ବୈଜୟନ୍ତଙ୍କୁ ନେଇ ଦାମ କାହିଁକି ଓଗାଳିଲେ ବିଷ? ଭାଇରାଲ ହେଉଛି ଭିଡିଓ ।

ଦାମ ବାବୁ ଯେତେବେଳେ ବିଜେଡିରୁ ବହିଷ୍କୃତ ହୋଇଥିଲେ, ସେତେବେଳେ ପ୍ରଥମେ ବୈଜୟନ୍ତ ହିଁ ଦାମଙ୍କ ଘରକୁ ଯାଇ କଥା ହୋଇଥିଲେ । କେଇ ମାସ ଭିତରେ କଣ ବଦଳିଲା? ଦାମଙ୍କ ସଭା ମଂଚକୁ ବୈଜୟନ୍ତ ଯାଉନାହାନ୍ତି ବୋଲି କ୍ଷୋଭ ରହିଛି କି?

375

କନକ ବ୍ୟୁରୋ: ରାଜ୍ୟ ରାଜନୀତିରେ ଏବେ ଗସିପ୍ ଟପିକ୍ ପାଲଟିଛି ଦାମ-ବୈଜୟନ୍ତଙ୍କ ଯୋଡ଼ି । ଚା’ଖଟିରୁ ଆରମ୍ଭ କରି ଯେଉଁଠି ଦେଖିବ ଏହି ଦୁଇ ନେତାଙ୍କୁ ନେଇ ଚାଲୁଛି ଚର୍ଚ୍ଚା । ନିକଟରେ ବିଜେଡ଼ିରୁ ତଡ଼ା ଖାଇବା ପରେ ଦୁହେଁ ଦୁହିଁଙ୍କୁ ସମବେଦନା ଜଣାଇ ଚର୍ଚ୍ଚାକୁ ଆସିଥିଲେ । ଏହାପରେ ଉଭୟ ଅନେକ ସମୟରେ ରାଜ୍ୟ ସରକାରଙ୍କୁ ସମାନ ଢ଼ଙ୍ଗରେ କାଉଣ୍ଟର କରି ପରସ୍ପର ବୟାନକୁ ମଧ୍ୟ ସମର୍ଥନ ଜଣାଇଥିବା ଦେଖିବାକୁ ମିଳିଥିଲା । କିନ୍ତୁ ଏବେ ଏହି ଯୋଡ଼ି ଫ୍ଲପ ମାରିଛି ବୋଲି ଖଟିରେ ଚର୍ଚ୍ଚା ଜୋର ଧରିଛି ।

ଗତକିଛି ଦିନ ତଳେ ନୂଆ ଦଳ ଗଢ଼ିବା ନେଇ ଦାମ ଘୋଷଣା କରିଥିଲେ । ଏବଂ ଚର୍ଚ୍ଚା ଥିଲା ଯେ ବିଜେଡ଼ି ଦଳର କିଛି ପୁରୁଣା ନେତା ଏବଂ ବହିଷ୍କୃତ ହୋଇଥିବା ବୈଜୟନ୍ତଙ୍କ ଭଳି ବିଜୁ ଆନୁଗତମାନେ ଏହି ଦଳର ସେନାଭାର ସମ୍ଭାଳିବେ । ହେଲେ ଏସବୁ ପୂର୍ବରୁ ଦାମ-ବୈଜୟନ୍ତଙ୍କ ଯୋଡ଼ିରେ ଦରାର୍ ପଡ଼ିଗଲା ବୋଲି ଖଟିରେ ଚର୍ଚ୍ଚା ଜୋର ଧରିଛି । ଆଉ ଏହାର କାରଣ ହେଉଛନ୍ତି ଖୋଦ୍  ଦାମ ବାବୁ । ସୋସିଆଲ ମିଡ଼ିଆରେ ବୈଜୟନ୍ତଙ୍କୁ ନେଇ ଦାମଙ୍କ ମନ୍ତବ୍ୟ ଏବେ ମୋବାଇଲ ଟୁ ମୋବାଇଲ୍ ଘୁରିବୁଲୁଛି । ଯେଉଁଥି ପାଇଁ ଏବେ ଦାମ-ବୈଜୟନ୍ତଙ୍କ ଯୋଡ଼ିକୁ ଫ୍ଲପ ଯୋଡ଼ି କହୁଥିବା ଚର୍ଚ୍ଚା ହେଉଛି ।

ଭାଇରାଲ ଭିଡ଼ିଓଟିରେ ବୈଜୟନ୍ତଙ୍କ ଚା’ଖଟି ‘ହେଇଯାଉ’ କାର୍ଯ୍ୟକ୍ରମକୁ ଟାର୍ଗେଟ କରି ଦାମ କହିଥିଲେ ଯେ, ପଇସା ଦେଇ ଚା’ ଖଟି କରୁଛି ବୈଜୟନ୍ତ । ଯାହାର କିଛି ପଲିଟିକାଲ ଏଜେଣ୍ଡା ନାହିଁ । ଆଉ ଚା’ଖଟି ଆରମ୍ଭ କରିବା ପୂର୍ବରୁ କିଛି ଲୋକଙ୍କ ପଠାଇ ଦେଉଛି । ସେମାନେ ଯାଇ ଲୋକଙ୍କ ସହ କଥାବାର୍ତ୍ତା କରିକି ଶହେ ଦୁଇ ଶହ ଲୋକ ଯୋଗାଡ କରୁଛନ୍ତି । ଚା’ ଦୋକାନ ପାଖରେ ନିଜେ ସମସ୍ତଙ୍କୁ ଚା’ ଦେଇ ଗପସପ କରି ଆସୁଛନ୍ତି । ଯେଉଁଥିରେ ପଲିଟିକାଲ ଭାଲ୍ୟୁ କିଛି ନାହିଁ । ତାଲଚେର ଯାଇଥିଲା ବୈଜୟନ୍ତ, ବିଜେଡିବାଲା ପଚାଶ ଷାଠିଏଟା ଟୋଙ୍କାଙ୍କୁ ଚା’ ଖଟିକୁ ପଠେଇଦେଲେ । ସେଠି ବେଜିତ ହେଇକି ଆସିଲା ବୈଜୟନ୍ତ । ସେଇଟା ବୈଜୟନ୍ତ ଜମା ବୁଝୁନି  ଲୋକଙ୍କୁ ସାମ୍ନା କରିବାକୁ ପଡ଼ିବ ଏମିତି ଡରିଲେ ହେବ ନାହିଁ କହି ବୈଜୟନ୍ତଙ୍କୁ ସମାଲୋଚନା କରିଥିଲେ ଦାମ ।

କେବଳ ଏତିକି ନୁହେଁ ବାରିପଦାରେ ଦାମ-ବୈଜୟନ୍ତଙ୍କ ଭେଟଘାଟ୍ ଉପରେ ସମସ୍ତଙ୍କ ନଜରଥିବାବେଳେ ସଭାରେ ଯୋଗ ଦେଇନଥିଲେ ବୈଜୟନ୍ତ ପଣ୍ଡା । ଯାହାକୁ ନେଇ ବୈଜୟନ୍ତଙ୍କୁ ନେଇ କଟାକ୍ଷ କରିଥିବା ଘଟଣା ଏବେ ହାଟରେ ପଡ଼ି ଗାଁ ଦାଣ୍ଡରେ ଗଡ଼ୁଛି । ଏପରିକି ବୈଜୟନ୍ତଙ୍କୁ ବେପାରୀ କହି ବୈୟଜନ୍ତଙ୍କ ଉପରେ ବର୍ଷିଛନ୍ତି ଦାମ ବାବୁ । ଏହାସହ ସୋସିଆଲ ମିଡ଼ିଆରେ ବୈଜୟନ୍ତଙ୍କ ଗୁମର ଖୋଲି ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଏହି ଯୋଡ଼ି । କାରଣ ଦାମଙ୍କ ନୂଆଦଳରେ ବୈଜୟନ୍ତ ସାମିଲ ହେବେ ବୋଲି ବୈଜୟନ୍ତ ହଁ କରିଥିଲେ ବୋଲି କହିଥିଲେ ଦାମ । କିନ୍ତୁ ଏବେ ବୈଜୟନ୍ତଙ୍କ ବିରୋଧରେ ଦାମ ଦେଇଥିବା ମନ୍ତବ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଆଉ ଯାହାକି ଦାମଙ୍କ ଦଳକୁ ବୈଜୟନ୍ତଙ୍କୁ ଯିବାକୁ ମୁହଁ ମୋଡ଼ି ଦେଇଥିବା ଖଟିରେ ଚର୍ଚ୍ଚା ହେଉଛି ।