ଉଭୟ ସରକାରୀ ଓ ପ୍ରାଇଭେଟ ହସ୍ପିଟାଲରେ ମିଳିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସୁବିଧା ! ଜାଣନ୍ତୁ ଚିକିତ୍ସା ସୁବିଧା ମିଳୁଥିବା ୨୦୮ଟି ପ୍ରାଇଭେଟ ହସ୍ପିଟାଲର ପୂରା ତାଲିକା

143

କନକ ବ୍ୟୁରୋ : ଆୟୁଷ୍ମାନ ଯୋଜନାର ଗୋଟିଏ ମାସ ପୂର୍ବରୁ ଓଡିଶାରେ ଆରମ୍ଭ ହୋଇଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ରାଜ୍ୟରେ ଲୋକମାନଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସ୍ୱାଧୀନତା ଦିବସରୁ ଆରମ୍ଭ ହୋଇଥିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ସ୍ୱାସ୍ଥ୍ୟ କ୍ଷେତ୍ରରେ ରାଜ୍ୟବାସୀଙ୍କ ସ୍ୱାଧୀନତା ଦେବାକୁ ଏହି ମହତ୍ୱାକାଂକ୍ଷୀ ଯୋଜନାର ଶୁଭାରମ୍ଭ କରିଥଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଯୋଜନାର ମୂଲ ଲକ୍ଷ୍ୟ ଥିଲା, ରାଜ୍ୟର କୌଣସି ବ୍ୟକ୍ତି ଯେପରି ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ନ ହ୍ରୁଅନ୍ତି । ଏହି ଯୋଜନା ମାଧ୍ୟମରେ ରାଜ୍ୟର ସମସ୍ତ ସରକାରୀ ଓ ୨୦୮ ସ୍ୱୀକୃତିପ୍ରାପ୍ତ ବେସରକାରୀ ଚିକିତ୍ସାଳୟରେ ବିନା ଦେୟରେ ସ୍ୱାସ୍ଥ୍ୟ ସେବା ପାଇପାରିବେ ୭୦ ଲକ୍ଷ ପରିବାର ।
୨୦୮ଟି ବେସରକାରୀ ହସ୍ପିଟାଲରେ ମିଳିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସୁବିଧା । କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାରେ ମଧ୍ୟ ଚିକିତ୍ସା ସୁବିଧା ପାଇବେ


ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସରକାରୀ ହସ୍ପିଟାଲକୁ ଛାଡି ୨୦୮ଟି ବେସରକାରୀ ହସ୍ପିଟାଲରେ ମଧ୍ୟ ଚିକିତ୍ସା ସୁବିଧା ପାଇପାରିବେ ଲୋକେ । କେବଳ ରାଜ୍ୟର ପ୍ରମୁଖ ହସ୍ପିଟାଲ ନୁହେଁ ରାଜ୍ୟ ବାହାରେ ଥିବା ଅଥାର୍ତ ଅନ୍ୟ ରାଜ୍ୟର କିଛି ହସ୍ପିଟାଲରେ ମଧ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ସୁବିଧା ପାଇପାରିବେ ରାଜ୍ୟବାସୀ । ଖାସକରି ଛତିଶଗଡର ୨ଟି ହସ୍ପିଟାଲ ଓ ଆନ୍ଧ୍ରପ୍ରଦେଶର ୪ଟି ହସ୍ପିଟାଲରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଫାଇଦା ଉଠାଇପାରିବେ ଲୋକେ । ଆନ୍ଧ୍ରପ୍ରଦେଶରେ ଥିବା ଆପୋଲ ହସ୍ପିଟାଲ, କେୟାର ହସ୍ପିଟାଲ, ସେଭେନ ହିଲ ହସ୍ପିଟାଲ ଓ ମହାତ୍ମା ଗାନ୍ଧି କ୍ୟାନସର ଇନଷ୍ଟିଚ୍ୟୁଟରେ ଚିକିତ୍ସିତ ହୋଇପାରିବେ ଲୋକେ । ସେହିଭଳି ଛତିଶଗଡର ନାରାୟଣ ହୃଦୟାଳୟା ହସ୍ପିଟାଲ , ରାମକୃଷ୍ଣ କେୟାର ହସ୍ପିଟାଲରେ ମଧ୍ୟ ସ୍ୱାସ୍ଥ୍ୟସେବାର ଲାଭ ଉଠାଇପାରିବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ଥିବା ଲୋକେ ।
ରାଜ୍ୟ ବାହାରେ ମଧ୍ୟ କାମ କରିବ ନବୀନ କେୟାର ! କେଉଁ ହସ୍ପିଟାଲରେ ପାଇପାରିବେ ଚିକିତ୍ସା ସୁବିଧା, ଜାରି ହେଲା ତାଲିକା


ଅନ୍ୟପଟେ ରାଜ୍ୟରେ ଥିବା କିଛି ପ୍ରମୁଖ ହସ୍ପିଟାଲରେ ମଧ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଚିକିତ୍ସା ସୁବିଧାର ଲାଭ ଉଠାଇ ପାରିବେ ସାଧାରଣ ଲୋକେ । କଟକ, ଭୁବନେଶ୍ୱରର କିଛି ପ୍ରମୁଖ ବେସରକାରୀ ହସ୍ପିଟାଲ ଯେପରିକି କଟକର ପଣ୍ଡା କ୍ୟୁରୀ କ୍ୟାନସର ହସ୍ପିଟାଲ,ସଦଗୁରୁ ହସ୍ପିଟାଲ ଓ ଭୁବନେଶ୍ୱରର ଆମ୍ରି , ଆପୋଲୋ, ଆଦିତ୍ୟ କେୟାର, ହାଇଟେକ , କିମ୍ସ ଭଳି ହସ୍ପିଟାଲରେ ମଧ୍ୟ ମାଗଣାରେ ନିଜର ଚିକିତ୍ସା କରିପାରିବେ ଲୋକେ ।
କ୍ୟାନସର, ହାର୍ଟ, ବ୍ରେନ ଓ କିଡନୀ ରୋଗରେ ଆକ୍ରାନ୍ତ ରୋଗୀ ମାନେ ମଧ୍ୟ ବିଜୁ ସ୍ୱାସ୍ଥ୍ୟ କଳ୍ୟାଣ ଯୋଜନା ମାଧ୍ୟମରେ ଚିକିତ୍ସିତ ହୋଇପାରିବେ । ଘୋଷଣା ଅନୁଯାୟୀ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପ୍ରତ୍ୟେକ ପରିବାରକୁ ୫ ଲକ୍ଷ ଟଙ୍କା ଓ ମହିଳାଙ୍କ କ୍ଷେତ୍ରରେ ଅତିରିକ୍ତ ୨ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ସରକାରଙ୍କ ପକ୍ଷରୁ ଉପଲବ୍ଧ କରାଯିବ ବୋଲି ବିଧାନସଭାରେ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା । ତେବେ ରାଜ୍ୟ ବାହାରେ କାମ କରୁ୍ଥିବା ଲୋକମାନଙ୍କୁ ଏହି ଯୋଜନାରେ ସ୍ୱାସ୍ଥ୍ୟ ସେବାର ସୁବିଧା ମିଳିବ ନାହିଁ ।