ଏକଜିଟ ପୋଲକୁ ନେଇ ପ୍ରତିକ୍ରିୟା ରଖିଲେ ପିସିସି ସଭାପତି। ନିଂରଜନ କହିଲେ, ‘ବିଶ୍ୱାସଯୋଗ୍ୟ ନୁହେଁ ଏକଜିଟ ପୋଲ’, ପ୍ରଭାବ ପକାଇବ ଭୋଟ ବିଭାଜନ

349

କନକ ବ୍ୟୁରୋ: ଏକଜିଟ ପୋଲ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଏହାକୁ ବିଶ୍ୱାସଯୋଗ୍ୟ କହିହେବନାହିଁ । ବିଧାନସଭାରେ ଆମେ ୨୦ରୁ ୩୦ ଆସନ ପାଇବୁ ବୋଲି ଆକଳନ କରିଥିଲୁ । ରାଜ୍ୟରେ ବିଜେପି କ୍ଷମତାକୁ ଆସିପାରିବନି ବୋଲି ଦୃଢୋକ୍ତି କରିଛନ୍ତି ନିରଞ୍ଜନ । କଂଗ୍ରେସ ଛିଡିବା ପାଇଁ ଆମେ ନିଜେ ହିଁ ଦାୟୀ । ଘଷିପୁରାରୁ ଜିତିନପାରୁ କିନ୍ତୁ ଭଣ୍ଡାରୀପୋଖରୀରୁ ଜିତିବୁ ବୋଲି ଦୃଢୋକ୍ତି କରିଛନ୍ତି ନିରଞ୍ଜନ ପଟ୍ଟନାୟକ ।

ସେପଟେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି, କେନ୍ଦ୍ରରେ ଆମେ ୩ ଶହରୁ ଅଧିକ ଆସନ ଜିତିବୁ । ବିଧାନସଭା ଆସନରେ ବି ଭଲ ପ୍ରଦର୍ଶନ କରିବୁ । ଖାଲି ଏତିକି ନୁହେଁ ଭାରତୀୟ ଜନତା ପାର୍ଟି ଓଡିଶାରେ ବେଧଡକ ଭାବେ ସରକାର ଗଢିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଜୁଏଲ । କାହିଁକି ନା ମୋଦି ମେଜିକ ଓଡିଶାରେ କାମ ଦେଇଛି । ଏବଂ ମୋଦିଙ୍କର ଯେଉଁ ହାୱା ଅଛି ସେଥିରେ ଏଥରକ ୩୦୦ ଉପରେ ସିଟ୍ ଯିବ ଏମପିର ଏବଂ ଓଡିଶାରେ ମଧ୍ୟର ୭୦ରୁ ଉପରେ ବିଧାନସଭା ଜିତି ବିଜେପି ସରକାର ଗଢିବ ବୋଲି ପୂରା ଦମ୍ଭ ସହ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ସେହିପରି ବିଜେପି ନେତା ସଙ୍ଗୀତା ସିଂହଦେଓ ଓ ପ୍ରଦୀପ୍ତ ନାୟକ ମଧ୍ୟ ବିଜେପି ଭଲ କରିବ ବୋଲି କହିଛନ୍ତି ।

ଅନ୍ୟପଟେ, ଏକଜିଟ ପୋଲ ନେଇ ନେଇ କଂଗ୍ରେସ ନେତା ପଂଚାନନ କାନୁନଗୋ ଓ ସୁର ରାଉତରାୟ ମଧ୍ୟ ମତ ରଖିଛନ୍ତି । ସୁର ରାଉତରାୟ କହିଛନ୍ତି, ଏକଜିଟ ପୋଲ ଯାହା କହେ ତାହା ସତ ନୁହେଁ , କିନ୍ତୁ ତାହା ପୁରାପୁରି ମିଛ ମଧ୍ୟ ନୁହେଁ । ୨୩ରେ ଜଣାପଡିଯିବ କି ବାସ୍ତବରେ କିଏ ସରକାର ଗଢିବ ଆଉ କିଏ ନୁହେଁ । ତେବେ କଂଗ୍ରେସରେ ଓଡିଶାରେ କ୍ଷତି ହୋଇଛି । ସେଥିପାଇଁ କର୍ମୀ ମାନେ ଦାୟୀ । ନିରଂଜନ ପଟ୍ଟନାୟକ ଠିକ୍ ଚଲେଇଥିଲେ । କିନ୍ତୁ କିଛି ଲୋକ ଯେଉଁମାନେ କି ଟିକେଟ ଫେରାଇଦେଲେ ସେମାନେ ଦଳଟାକୁ ବଦନାମ କରିଦେଲେ । ଆଉ ଏହି କାରଣରୁ ହିଁ ଓଡିଶାରେ ଦଳକୁ ବହୁ କ୍ଷତି ସହିବାକୁ ପଡିଛି ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ । ସେପଟେ କେନ୍ଦ୍ରରେ ଏନଡିଏର ସଂଖ୍ୟା କମିବ ଆଉ ରାଜ୍ୟରେ ଜୋରଦାର ପ୍ରତିଯୋଗିତା ହେବ ବୋଲି କହିଛନ୍ତି କଂଗ୍ରେସ ନେତା ପଂଚାନନ କାନୁନଗୋ ।