ଧର୍ମେନ୍ଦ୍ରଙ୍କ ଟଙ୍କିକିଆ ରାସନକୁ ହସରେ ଉଡ଼ାଇ ଦେଲେ ପିସିସି ସଭାପତି । କହିଲେ, ଲୁଣ, ଚାଉଳ-ଡ଼ାଲି ପାଇଁ ଏକ ଟଙ୍କା କାହିଁକି, ମାଗଣାରେ ଦେଲେ ଭଲ ହୁଅନ୍ତା ।

375

କନକ ବ୍ୟୁରୋ: ଗତକାଲି ଧର୍ମେନ୍ଦ୍ରଙ୍କ ଗୋଟିଏ ପଦ କଥା ରାଜ୍ୟ ରାଜନୀତିକୁ ଉଷ୍ମ କରିବାରେ ଲାଗିଛି । ଧର୍ମେନ୍ଦ୍ରଙ୍କ ଟଙ୍କିକିଆ ରାସନ ପ୍ରତିଶ୍ରୁତି ପରେ ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଥିବାବେଳେ ଧର୍ମେନ୍ଦ୍ରଙ୍କୁ କାଉଣ୍ଟର କରିଛନ୍ତି ପିିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଧର୍ମେନ୍ଦ୍ରଙ୍କ ଏଭଳି ପ୍ରତିଶ୍ରୁତିକୁ ନିରଞ୍ଜନ ଛିଗୁଲେଇ କହିଛନ୍ତି କି, ୧ ଟଙ୍କାରେ ଖାଲି ୫ କିଲୋ ଚାଉଳ, ଡ଼ାଲି ଓ ଲୁଣ କାହିଁକି ତା ସହିତ କିଛି ମସଲା ଆଉ ଜାଳ ବି ଦେବା ପାଇଁ କହିଥିଲେ ପ୍ରତିଶ୍ରୁତି ଟି ସୁନ୍ଦର ଦେଖାଯାଇଥାନ୍ତା ଆଉ ଭଲ ହେଇଥାନ୍ତା । ଧର୍ମେନ୍ଦ୍ର ବାବୁ ଜାଣି ସାରିଲେଣି ଯେ ବିଜେପି ଓଡ଼ିଶାରେ ଭଲ ପ୍ରଦର୍ଶନ କରିବ ନାହିଁ ତେଣୁ ଏଭଳି ପାଗଳାମି ଗପ କହୁଛନ୍ତି ବୋଲି କହି ସମାଲୋଚନା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ଏପରିକି ବିଜେପି ଇସ୍ତାହାର ପତ୍ରରେ ଏଭଳି ଘୋଷଣା ଆଗରୁ କାହିଁକି କରିନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ନିରଞ୍ଜନ । ଓଡ଼ିଶାରେ ବିଜେପିର ପରାଜୟ ଭୟରେ ଏଭଳି ପ୍ରତିଶ୍ରୁତିର ପାହାଡ଼ ଛିଡ଼ା କରୁଛି ବିଜେପି । ଯେମିତି ପୂର୍ବରୁ ବିମୁଦ୍ରାୟନ ସମୟରେ ସାରା ଭାରତବାସୀଙ୍କୁ ମୋଦି କହିଥିଲେ ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଆସିବ ସେହିଭଳି ଓଡ଼ିଶା ପାଇଁ ମଧ୍ୟ ୧ ଟଙ୍କାରେ ରାସନ ହିସାବ ଦେଉଛନ୍ତି । ଏକ ଟଙ୍କାରେ ନଦେଇ ମାଗଣା ବି କରିଦେବାକୁ ଘୋଷଣା କରିଥିଲେ ଭଲ ହୋଇଥାନ୍ତା ବୋଲି କହି ଧର୍ମେନ୍ଦ୍ର ପ୍ରଧାନଙ୍କୁ କଟାକ୍ଷ କରିଛନ୍ତି ପିସିସି ସଭାପତି ।

ସେପଟେ ବିଜେଡି ସରକାରକୁ ଗାଦିଚ୍ୟୁତ କରିବା ପାଇଁ ଗତକାଲି କଟକ ଚୌଦାର ପ୍ରଚାର ମୈଦାନରେ ଭୋଟ ବ୍ୟାଙ୍କ ହାତେଇବାକୁ ଗୋଟି ଚାଳନା କରିଥିଲେ ଧର୍ମେନ୍ଦ୍ର । ଆଉ କହିଥିଲେ କି ବିଜେପି ସରକାର କ୍ଷମତାକୁ ଆସିଲେ ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଥିବା ୩.୨୬ କୋଟି ହିତାଧିକାରୀଙ୍କୁ ୧ ଟଙ୍କାରେ ୫ କିଲୋ ଚାଉଳ, ୫୦୦ ଗ୍ରାମ ଡ଼ାଲି ଆଉ ଲୁଣ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାକୁ ନେଇ ଶାସକ ଦଳ ସହ ଅନେକ ବୁଦ୍ଧୀଜିବୀ ମହଲରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

Comments are closed.