କଂଗ୍ରେସ ଭବନରେ କାରଣ ଖୋଜା । କାହିଁକି ହାରିଲା କଂଗ୍ରେସ ? ବୈଠକରେ ବିଷ ଓଗାଳିଲେ ପରାଜିତ ପ୍ରାର୍ଥୀ ।

778

କନକ ବ୍ୟୁରୋ: ୧୯ ଯୁଦ୍ଧରେ ଓଡ଼ିଶାରେ ଶୋଚନୀୟ ପରାଜିତ ହୋଇଥିବା କଂଗ୍ରେସ ଏବେ କାରଣ ଖୋଜିବାରେ ବ୍ୟସ୍ତ । ଉଭୟ ଲୋକସଭା ଓ ବିଧାନସଭାରେ କାହିଁକି ପରାଜିତ ହେଲା କଂଗ୍ରେସ ସେନେଇ କଂଗ୍ରେସ ଭବନରେ ହେଉଛି ମାନସମନ୍ଥନ । ଦଳ ଓଡିଶାରେ ୨୧ଟି ଲୋକସଭାରୁ ମାତ୍ର ୧ଟି ଆସନ ଜିତିଥିବା ବେଳେ ବିଧାନସଭାରେ ମାତ୍ର ୯ଟି ଆସନ ହାତେଇପାରିଛି । ସେପଟେ ଦଳର ମୁଖିଆଙ୍କ ସହ ଦଳର ଅନେକ ଛାମୁଆ ନେତାଙ୍କୁ ମଧ୍ୟ ପରାଜୟର ସାମ୍ନା କରିବାକୁ ପଡିଛି । ତେଣୁ ପରାଜୟର ପୋର୍ଷ୍ଟମର୍ଟମ କରିଛି ପ୍ରଦେଶ କଂଗ୍ରେସ କମିଟି ।

ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ନେତୃତ୍ୱରେ କଂଗ୍ରେସ ଭବନରେ ହୋଇଛି ପରାଜୟର ପୋଷ୍ଟମର୍ଟମ । ଏହି ସମୀକ୍ଷା ବୈଠକରେ ରାଜ୍ୟର ସବୁଠୁ ଧନୀ ତଥା କଟକ ଜିଲ୍ଲା ବିଧାୟକ ପ୍ରାର୍ଥୀ ବଡମ୍ବାର ବବି ମହାନ୍ତି ମଧ୍ୟ ନିଜ ଆସନ ବଂଚାଇପାରିଲେନି । କାରଣ ବବି ଚଳିତ ନିର୍ବାଚନରେ ଅମାନତ ହରାଇଛନ୍ତି । ନିର୍ବାଚନ ଜିତିବା ପାଇର୍ ଅର୍ଥ ଓ ବାହୁବଳ ଆବଶ୍ୟକ ବୋଲି ଚର୍ଚ୍ଚା ହୁଏ । ହେଲେ ସତ୍ୟପାଠରେ ୧୦୬ କୋଟି ସଂପତିର ମାଲିକ ବୋଲି ଦର୍ଶାଇଥିବା ଏହି କଂଗ୍ରେସ ପ୍ରାର୍ଥୀଙ୍କୁ ଦେଖିବାକୁ ପଡିଛି ପରାଜୟର ମୁହଁ । ଆଉ ସମୀକ୍ଷା ବେଳେ ପ୍ରଭାରୀ ଓ ପିସିସି ସଭାପତିଙ୍କ ସହ ଟପ ନେତାଙ୍କ ଉପସ୍ଥିତିରେ ବିଷୋଦଗାର କରିଛନ୍ତି ବବି । ପରାଜୟର କାରଣ ଖୋଜା ବେଳେ ବିଜୟ ପାଇଁ ତାଙ୍କ ପାଖରେ ଅର୍ଥର ଅଭାବ ନଥିଲା ବୋଲି ସେ କହିଛନ୍ତି । ତେବେ ନିଜ ସମର୍ଥକ ଓ କର୍ମୀଙ୍କ ବିଶ୍ୱାସଘାତ ପାଇଁ ସେ ପରାଜିତ ହେଲେ ବୋଲି ବବି ମୁହଁ ଖୋଲିଛନ୍ତି ।

ସେପଟେ ନିର୍ବାଚନରେ ହାରିବା ପରେ କଂଗ୍ରେସ କଳାହାଣ୍ଡି ଲୋକସଭା ପ୍ରାର୍ଥୀ ଭକ୍ତ ଦାସ, ପରାଜୟକୁ ନେଇ ଦଳର ପ୍ରାର୍ଥୀ ଚୟନ ଉପରେ ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି, କଂଗ୍ରେସ ଜାଣିଶୁଣି ନିଜ ସ୍ଥାନକୁ ତଳକୁ ଖସାଇ ଦେଇଛି । କଂଗ୍ରେସର ବିପର୍ଯ୍ୟୟ ଯୋଗୁଁ ବିଜେପି ରାଜ୍ୟରେ ଆଗକୁ ବଢିଛି । ୨୦୧୯ ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିନଥିଲେ ସୁଦ୍ଧା ଦଳ ସପକ୍ଷରେ ଭୋଟ ଦେଇଥିବା ଜନତାଙ୍କୁ ଧନ୍ୟବାଦ ଜଣାଇବ ଦଳ । ଏଥିପାଇଁ ଜିଲ୍ଲାସ୍ତରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରିବ ରାଜ୍ୟ କଂଗ୍ରେସ ।