ପୁଅର ଗେମ୍ ନିଶାରେ ବାପାଙ୍କ ଉଡିଗଲା ଟଙ୍କା ! ଅନଲାଇନ୍ ଗେମ୍ ଖେଳି ବାପାଙ୍କ ଆକାଉଣ୍ଟରୁ ଟଙ୍କା ଉଡାଇଦେଲା ଚତୁର୍ଥ ଶ୍ରେଣୀରେ ପଢୁଥିବା ପୁଅ ।  

1,540

ଅନଲାଇନ୍ ଗେମ୍ ର ଚାହିଦା ଏବଂ କ୍ରେଜ୍ ଏତେ ବଢିଲାଣି ଯେ ପିଲାଠାରୁ ଆରମ୍ଭ କରି ଯୁବଗୋଷ୍ଠୀ ମଧ୍ୟ ଏହି ଗେମ୍ କବଳରେ କବଳିତ । ତେବେ ବର୍ତ୍ତମାନ ଏହି ଅନଲାଇନ୍ ଗେମ୍ ଖେଳି ଜଣେ ପୁଅ ନିଜ ବାପାଙ୍କ ଆକାଉଣ୍ଟ୍ ରୁ ଟଙ୍କା ଉଡାଇବା କଥା ସାମ୍ନାକୁ ଆସୁଛି । ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏଭଳି ଏକ ଚମକାଇ ଦେଲା ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ଚତୁର୍ଥ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ର ଅନଲାଇନ୍ ଗେମ୍ ଖେଳୁଥିବା ସମୟରେ ଠକାମୀର ସାହାରା ନେଇଥିବା କଥା ଜଣାପଡିଛି ।

ଏକ ଖବରକାଗଜ ମୁତାବକ , ଜଣେ ଛାତ୍ର ନିଜ ପିତାଙ୍କ ମୋବାଇଲ୍ ରେ ଗେମ୍ ଖେଳି ପେଟିଏମ୍ ଆକାଉଣ୍ଟ୍ ଖୋଲି ଏକହଜାର ଟଙ୍କା ଉଠାଇ ଆଣିଛି । ପିତା ଯେତେବେଳେ ଟ୍ରାଞ୍ଜାକ୍ସନ୍ ଖବର ପାଇଲେ ସେତେବେଳେ ସେ ସାଇବର୍ ସେଲରେ ଏହାର ଅଭିଯୋଗ ଲଗାଇଲେ । ଯାହା ପରେ ଜାଞ୍ଚ୍ ଆରମ୍ଭ ହେଲା । ପୁଅର ଏହି କାରନାମା ବିଷୟରେ ଅଜ୍ଞାତ ପିତା ପୋଲିସରେ ମଧ୍ୟ ଏନେଇ ଅଭିଯୋଗ କରିଥିଲେ । ଛୋଟ ପିଲାଟି ଉପରେ କାହାର ଧ୍ୟାନ ଯାଇନଥିଲା କିନ୍ତୁ ପରେ ପଚରାଉଚରା କରିବାରୁ ସମ୍ପୁର୍ଣ୍ଣ ଘଟଣା ସାମ୍ନାକୁ ଆସିଥିଲା । ଚତୁର୍ଥ ଶ୍ରେଣୀରେ ପଢୁଥିବା ଏହି ପୁଅ ଅନଲାଇନ୍ ଗେମ୍ ଖେଳିବା ପାଇଁ ପୂର୍ବରୁ ମଧ୍ୟ ବାପାଙ୍କ ଟଙ୍କା ଧୂଳିସାତ୍ କରିଦେଇଛି । ଅନଲାଇନ୍ ଗେମ୍ ଖେଳିବା ପାଇଁ ଗେମ୍ ଡାଉନଲୋଡ୍ କରିବାକୁ ପଡେ ଯେଉଁଥିପାଇଁ ଟଙ୍କା ଦରକାର ପଡେ । ଯେଉଁଥିରେ ଅନଲାଇନ୍ ପେମେଣ୍ଟ୍ କରିବା ପାଇଁ କୁହାଯାଏ । ତେବେ ୨୦୧୮ ରେ ପିତାଙ୍କ ମୋବାଇଲ୍ ଆକାଉଣ୍ଟ୍ ରୁ ପିଲାଟି ଚୁପଚାପ୍ ପେଟିଏମ୍ ଆକାଉଣ୍ଟ୍ ଖୋଲି ପ୍ରଥମେ ପ୍ରଥମେ କମ୍ ଟଙ୍କା ଖେଳ ପାଇଁ ଟ୍ରାନ୍ସଫର୍ କରୁଥିଲା । କମ୍ ଟଙ୍କା ଟ୍ରାନ୍ସଫର୍ ହେଉ୍ଥିବାରୁ ଘଟଣା କିଛି ଜଣାପଡୁନଥିଲା । କିନ୍ତୁ ବର୍ଷେ ଭିତରେ ୩୫ ହଜାର ଟଙ୍କା ଯେତେବେଳେ ପୁଅଟି ବାପାଙ୍କୁ ଚୁନା ଲଗାଇଲା ସେତେବେଳେ ଘଟଣା ସାମ୍ନାକୁ ଆସିଥିଲା ।